ଋଷ ସେନା ଟ୍ରେନିଂ ସେଣ୍ଟରରେ ଆକ୍ରମଣ: ୧୧ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ୟୁକ୍ରେନ୍‌ ଉପରେ ଆଉ ତୀବ୍ର ପ୍ରହାର କରିବ ନାହିଁ ବୋଲି କହିଥିଲା ଋଷିଆ। ହେଲେ ଶନିବାର ଋଷ ଉପରେ ତୀବ୍ର ଆକ୍ରମଣ ହୋଇଛି। ଋଷ ସେନା ଟ୍ରେନିଂ ସେଣ୍ଟରରେ ବନ୍ଧୁକଧାରୀମାନେ ଆକ୍ରମଣକାରୀ ଗୁଳିକାଣ୍ଡ ଘଟାଇଛନ୍ତି। ଆଖିବୁଜା ଗୁଳିମାଡ଼ରେ ୧୧ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଋଷ ପ୍ରତିରକ୍ଷାମନ୍ତ୍ରାଳୟ ଏହି ସୂଚନା ଦେଇଥିବା ରୟଟର୍ସରେ ଖବର ପ୍ରକାଶ ପାଇଛି। ବେଲଗୋରଡ ଅଞ୍ଚଳରେ ଲାଇଭ୍ ଫାୟାର ଟ୍ରେନିଂ ସେଣ୍ଟରରେ ଏହି ଆକ୍ରମଣ ହୋଇଛି।

ଋଷ ଗଣମାଧ୍ୟମ RIAରେ ପ୍ରକାଶିତ ଖବର ଅନୁସାରେ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଆସିଥିବା ଦୁଇ ବ୍ୟକ୍ତି ଋଷ ସେନା ଉପରେ ଗୁଳି ଚଳାଇଥିଲେ। ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଣ୍ଟରକୁ ଆସିଥିଲେ। ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଏକ ଛୋଟ ବନ୍ଧୁକରେ ଟ୍ରେନିଂରତ ଋଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। RIAକୁ ସୂଚନା ଦେଇ ଏପରି କହିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ।

ମନ୍ତ୍ରାଳୟର ସୂଚନା ଅନୁସାରେ, ଦୁଇଜଣ ଶୁଟର ଏହି ଆକ୍ରମଣ କରିଥିଲେ। ଏମାନେ ପୂର୍ବତନ ଶୋଭିଏତ ରିପବ୍ଲିକର ନାଗରିକ ବୋଲି ଜଣାପଡ଼ିଛି। ତେବେ ଆକ୍ରମଣ ପରେ ଦୁଇ ଶୁଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ୟୁକ୍ରେନ୍‌ ନିକଟସ୍ଥ ସେନା ଟ୍ରେନିଂ ସେଣ୍ଟରରେ ଏହି ଆକ୍ରମଣ ହୋଇଥିଲା। ସ୍ୱେଚ୍ଛାକୃତ ଭାବେ ଯୁଦ୍ଧରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରି ଟ୍ରେନିଂ ନେଉଥିବା କିଛି ଭଲ୍ୟୁଣ୍ଟରଙ୍କ ଉପରେ ଆକ୍ରମଣକାରୀମାନେ ଆକ୍ରମଣ କରିଥିବା ଆର୍‌ଆଇଏ ରିପୋର୍ଟ ପ୍ରକାଶ କରିଛି।

Spread the love