ସରିଲା ମୋତିଆବିନ୍ଦୁ ଅପରେସନ: ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କର ରବିବାର ଦିଲ୍ଲୀ ଆର୍ମି ହସ୍‌ପିଟାଲ୍‌ରେ ମୋତିଆବିନ୍ଦୁ ଅପରେସନ ହୋଇଛି। ଏନେଇ ରାଷ୍ଟ୍ରପତିଭବନ ପ୍ରବକ୍ତା ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କର ସର୍ଜରି ସଫଳ ହୋଇଛି। ସର୍ଜରି ସରିବା ପରେ ତାଙ୍କୁ ଡାକ୍ତରକାନାରୁ ଡିସ୍‌ଚାର୍ଜ କରାଯାଇଛି ବୋଲି ପ୍ରବକ୍ତା ସୂଚନା ଦେଇଛନ୍ତି। ବାମ ଆଖିରେ ମୋତିଆବିନ୍ଦୁ ଅପରେସନ କରିବା ପାଇଁ ରାଷ୍ଟ୍ରପତି ଆଜି ସକାଳେ ଦିଲ୍ଲୀ କ୍ୟାଣ୍ଟ ସ୍ଥିତ ଆର୍ମି ହସ୍‌ପିଟାଲ୍‌ ରିସର୍ଚ ଆଣ୍ଡ ରେଫରଲରେ ପହଞ୍ଚିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ଦିନ ୧୧.୩୦ରେ ତାଙ୍କର ମୋତିଆବିନ୍ଦୁ ଅପରେସନ କରାଯାଇଥିଲା।

ସର୍ଜରୀ ବ୍ରିଗେଡିୟର ଏସ୍‌କେ ମିଶ୍ର ଓ ତାଙ୍କ ଟିମ୍‌ ରାଷ୍ଟ୍ରପତିଙ୍କର ମୋତିଆବନ୍ଦୁ ସର୍ଜରୀ କରିଥିଲେ। ଅପରେସନ ସରିବା ପରେ କିଛି ସମୟ ଅବଜରବେସନରେ ରଖି ଦିନ ୧.୩୦ ମିନିଟ୍‌ରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଅପରେସନ ପରେ ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସୂଚନା ସେନା ହସ୍‌ପିଟାଲ୍ ଆର୍‌ ଆଣ୍ଡ ଆର୍‌ ପକ୍ଷରୁ ଦିଆଯାଇଛି। ଓଡ଼ିଶା ମୟୂରଭଞ୍ଜର ୬୪ ବର୍ଷୀୟ ମୁର୍ମୂ ଦେଶରେ ୧୫ ତମ ରାଷ୍ଟ୍ରପତି ଭାବେ ସପଥ ନେଇଛନ୍ତି। ଜୁଲାଇ ୨୫ ତାରିଖ ୨୦୨୨ରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। 

Spread the love