ସମ୍ଭାବ୍ୟ ବାତ୍ୟାକୁ ନେଇ ୭ଟି ଜିଲ୍ଲା ଉପରେ ନଜର ରଖାଯାଇଛି : ମିଳା ମଲିକ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏଥିଲାଗି ସଜାଗ ରହିବାକୁ ରାଜ୍ୟ ସରକାର ୩୦ଟି ଜିଲ୍ଲାକୁ ନିର୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାପାଳ ଏହି ସମୟରେ ଉପସ୍ଥିତ ରହିବେ। ଜିଲ୍ଲାଗୁଡ଼ିକରେ ଔଷଧ, ପିଇବା ପାଣି ଓ ଡ଼ଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ୭ଟି ଜିଲ୍ଲା ଉପରେ ନଜର ରଖାଯାଇଛି। ମାତ୍ର ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି। ଆଜି ଚିତ୍ର ସ୍ପଷ୍ଟ ହେବା ପରେ ଆଗାମୀ ପଦକ୍ଷେପ ନିଆଯିବ।  ସରକାର ବାତ୍ୟାକୁ  ମୁକାବିଲା ଲାଗି ପ୍ରସ୍ତୁତ ଥିବା ସେ କହିଛନ୍ତି` ଏଣେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ଆଜି ସନ୍ଧ୍ୟା ୫ଟାରେ ଏକ ବୈଠକ ଡାକିଛନ୍ତି। ଏଥିରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ବୋଲି ଜଣାଯାଇଛି।

Spread the love