ଫସଲ ବୀମାର ସୁଆଙ୍ଗ ରଚୁଛି ବିଜେଡ଼ି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୩୧/୧୦ : ଧାମନଗରରେ ବିଜେଡ଼ିର ଟଙ୍କା ବଂଟାରୁ ମୁହଁ ଲୁଚାଇବା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ବଂଚାଇବା ଓ ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ବିଜେଡ଼ି ନେତାଙ୍କୁ ଘଂଟ ଘୋଡାଇବା ପାଇଁ ବିଜେଡ଼ି ଫସଲ ବୀମାର ସୁଆଙ୍ଗ ରଚୁଛି ବୋଲି ଗଣମାଧ୍ୟମକୁ କହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଯେ, କୃଷି ବୀମା ଯୋଜନା ପ୍ରାକୃତିକ ଦୁର୍ବିପାକ ଓ ରୋଗପୋକ ଦାଉରୁ ଫସଲ ନଷ୍ଟ ହେଲେ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଉଦ୍ଦିଷ୍ଟ । ବୀମା କମ୍ପାନୀ ଏବଂ ଚାଷୀ ମାନଙ୍କ ମଧ୍ୟରେ ବୀମାରାଶିକୁ ନେଇ ସମସ୍ୟା ଉପୁଜିଲେ କେନ୍ଦ୍ର ସରକାର ସଂଶୋଧିତ ପରିଚାଳନା ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ଗାଇଡ ଲାଇନ ଅଧିନରେ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶ କମିଟି(ଏସଟିଏସି) ଦ୍ୱାରା ବିଚାର ହୋଇ ସମାଧାନ ହୋଇପାରିବ । ଉକ୍ତ କମିଟିରେ କୃଷି ବିଭାଗର ପ୍ରମୁଖ ସଚିବ, ରାଜ୍ୟର ବିଶ୍ୱବିଦ୍ୟାଳୟ ପ୍ରଫେସର, ଷ୍ଟେଟ୍ ରିମୋଟସେନ୍ସିଂର ବରିଷ୍ଠ ଅଧିକାରୀ ଓ ଆସିଏଆରର ପ୍ରତିନିଧି ରହିବାର ନିୟମ ରହିଛି ।
କିନ୍ତୁ ଏହାକୁ ଅମାନ୍ୟ କରି ବିଜେଡ଼ି ସରକାର ନିୟମକୁ ଭାଙ୍ଗି ଜଣେ ଡାଇରେକ୍ଟର ସ୍ତରର ଅଧିକାରୀଙ୍କ ଦ୍ୱାରା ଏ ସମ୍ପର୍କୀତ ବିବାଦ ସମାଧାନ କରିବାକୁ ଉଦ୍ୟମ କରିବା ଲଜ୍ଜ୍ୟାଜନକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ପତ୍ରାଳାପ ପରେ ରାଜ୍ୟ ସରକାରଙ୍କ ବୀମା ମାମଲା ଫଇସଲା କରି ନିର୍ଦ୍ଦେଶ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ସେପ୍େଟମ୍ବର ୧୬ରେ କେନ୍ଦ୍ରକୁ ଚିଠି ଲେଖିବା ସହ ମୋଟ ୧୮୯ମାମଲା ସମାଧାନ ହୋଇ ପାରିନଥିବା ଉଲ୍ଲେଖ କରାଯାଇଛି । ଏହି ମୋଟ ୧୮୯ ମାମଲାର ତର୍ଜମା କରି କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶ କମିଟି ଆସନ୍ତା ନଭେମ୍ବର ୩ ତାରିଖରେ ବୈଠକ କରି ନିର୍ଣ୍ଣୟ ନେବା ପରେ ନିର୍ଦ୍ଦେଶନାମା ଜାରି କରିବେ ।
ସେ କହିଛନ୍ତି ଯେ ଚାଲି ନଜାଣି ବାଟର ଦୋଷ ଦେବା ବିଜେଡି ସରକାରର ଅଭ୍ୟାସଗତ ପରମ୍ପରା । ପ୍ରଥମେ ବିଜେଡ଼ି ସରକାର ନିୟମ କାନୁନ ଭାଙ୍ଗିବା କାରଣରୁ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି । ଅପରପକ୍ଷରେ ରାଜ୍ୟରେ ସମାଧାନ ହୋଇପାରିନଥିବା ମୋଟ ୧୮୯ ମାମଲା ଆସନ୍ତା ନଭେମ୍ବର ୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷ୍ପତି ନିଆଯିବ ବୋଲି ଜଣାପଡିବା ପରେ ରାଜ୍ୟରେ ଚାଷୀ ମାନଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରାଯାଉଛି । ବିଜେଡି ସରକାର ନିଜେ ପଡିଥିବା ହରଡ଼ଘଣାରୁ ଦୃଷ୍ଟି ହଟାଇବା ପାଇଁ ଏହି ସୁଆଙ୍ଗ କରୁଛନ୍ତି ଓ ମିଛରେ କୃଷି ବୀମା ପ୍ରସଙ୍ଗ ଉଠାଉଛନ୍ତି ।
ବାସ୍ତବ କଥା ହେଉଛି ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେଡିର ମାଳ ମାଳ ଟଙ୍କା ବାଂଟିବାର ଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେଉଛି । ମନ୍ତ୍ରୀ ସମୀର ଦାଶ ତାଙ୍କ ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ସହ ଜଡ଼ିତ ଯୌନ କେଳେଙ୍କାରୀ ନେଇ ବିଜେଡି ସରକାର ସମାଲୋଚନାର ଶିକାର ହୋଇଛନ୍ତି ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି । ମାତ୍ର ଏହି ସବୁ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ଶାସକ ବିଜୁ ଜନତା ଦଳ କୃଷି ବୀମା ନ ମିଳିବା ନେଇ ସୁଆଙ୍ଗ କରି ଜନମତକୁ ବିଭ୍ରାନ୍ତି କରିବାକୁ ଅପଚେଷ୍ଟା କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Spread the love