ମୋରବି ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ମୋଦି

ଅହମ୍ମଦାବାଦ ୧।୧୧: ଗୁଜରାଟ ମୋରବି ପୋଲ ଦୁର୍ଘଟଣା ୧୩୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା କମ୍ପାନୀ ଅଜନ୍ତା (ଓରେଭା ଗ୍ରୁପ) ଉପରେ ପ୍ରଶ୍ନ ଉଠୁଛି। ନିଜେ ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ଆହତ ଲୋକଙ୍କ ହାଲଚାଲ ଜାଣିବା ପାଇଁ ମୋରବିରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ମୋରବି ବ୍ରିଜର କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଓରେଭା ଗ୍ରୁପର ହୋର୍ଡିଂକୁ କପଡା ଘୋଡେଇ ଦିଆଯାଇଥିବାର ଦେଖାଯାଇଛି। ତେବେ କେବଳ ଦୁର୍ଘଟଣାସ୍ଥଳରେ କମ୍ପାନୀର ନାମଫଳକ ନୁହେଁ ଅହମ୍ମଦାବାଦରେ ଓରେଭା ଗ୍ରୁପର କାର୍ଯ୍ୟାଳୟ ଏବଂ ଓରେଭା ଫାର୍ମ ହାଉସରେ ମଧ୍ୟ ତାଲା ଝୁଲୁଥିବାର ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ବୁଲି ଦେଖିବା ପରେ ଦୁର୍ଘଟଣା ଦିନ ସେଠାରେ ଉଦ୍ଧାରକାର୍ଯ୍ୟ କରିଥିବା ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପରେ ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ଲାଗି ସିଭିଲ ହସ୍ପିଟାଲ ପହଞ୍ଚିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଓରେଭା କମ୍ପାନୀ ପୋଲର ରକ୍ଷଣାବେକ୍ଷଣଲାଗି ୧୫ ବର୍ଷ ନିମନ୍ତେ କଣ୍ଟ୍ରାକ୍ଟ ହାସଲ କରିଛନ୍ତି। ଏହି କମ୍ପାନୀ କାନ୍ଥ ଘଣ୍ଟା ଓ ବଲବ ତିଆରି କରେ। ୭ ମାସ୍ ପୂର୍ବେ କମ୍ପାନୀ ଏହି ରକ୍ଷଣାବେକ୍ଷଣା କାମ ଥାର୍ଡ ପାର୍ଟି ଦେବ ପ୍ରକାଶ ସଲ୍ୟୁସନକୁ ଦେଇଥିଲା। ୨ କୋଟି ଟଙ୍କା ବ୍ୟୟରେ ପୋଲର ରିନୋଭେସନ କାମ ସରିବା ପରେ ଅକ୍ଟୋବର ୨୬ ତାରିଖ ଦିନ ବ୍ରିଜକୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରାଯାଇଥିଲା। ସାଧାରଣଙ୍କ ନିମନ୍ତେ ପୋଲ ଖୋଲିବାର ୪ ଦିନ ପରେ ଅର୍ଥାତ ୩୦ ଅକ୍ଟୋବର ରବିବାର ସନ୍ଧ୍ୟାରେ ଛିଡିପଡିଛି।

ତେବେ ପୋଲ ନବୀକରଣ କେବଳ କଗଜପତ୍ରରେ ହୋଇଛି। ଏଥିରେ ଅବହେଳା ଓ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହୋଇପଡୁଛି। ଏଥିରେ ରିନୋଭେସନରେ ଜଙ୍କ ଲଗା କେବୁଲ କଢାଯାଇନଥିବା ବେଳେ ଫ୍ଲୋର ପ୍ଲେଟକୁ ମଧ୍ୟ ଠିକରେ ଲଗାଯାଇ ନଥିଲା। ୮ରୁ ୧୨ ମାସ ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ କାମ ହେବା କଥା। ତେବେ କମ୍ପାନୀ ତରବରିଆ ଭାବେ ବ୍ରିଜକୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରିଦେଇଥିଲା। ପୋଲକୁ ଲୋକଙ୍କ ଲାଗି ଖୋଲିବା ନିମନ୍ତେ ଫିଟନେସ ସାର୍ଟିଫିକେଟ ନିଆଯାଇନଥିଲା କି ପ୍ରଶାସନ ନିକଟରୁ କୌଣସି ଅନୁମତି  ମଧ୍ୟ ନିଆଯାଇନଥିଲା। ତେବେ ପ୍ରଧାନମନ୍ତ୍ରୀ ସିଭିଲ ହସ୍ପିଟାଲରୁ ଫେରିବା ପରେ ଗୁଜରାଟ ପ୍ରଶାସନର ବଡ଼ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ଏହି ଦୁର୍ଘଟଣା କିପରି ଘଟିଲା ତାହା ସବୁ ଦିଗରୁ ବୁଝାଯିବା ଦରକାର ଓ ମାମଲାର ବିସ୍ତୃତ ଯାଞ୍ଚ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ପୋଲ ଦୁର୍ଘଟଣାର ଯାଞ୍ଚ ଲାଗି ରାଜ୍ୟ ସରକାର ଏସଆଇଟି ଗଠନ କରିଥିବା ବେଳେ ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ ପଚରା ଉଚରା କରାଯାଉଛି।

Spread the love