ଭାରତରେ ୧୮ ଲକ୍ଷ ଧନୀକ ପରିବାରଙ୍କ ବାର୍ଷିକ ଆୟ ୨ କୋଟିରୁ ବି ଅଧିକ, ୧.୨୫ ଲକ୍ଷ ଆୟକାରୀଙ୍କ ପରିବାର ମଧ୍ୟ ଦେଖି ପାରନ୍ତି କାର ଓ ଏୟାର କଣ୍ଡିସନରର ସ୍ୱପ୍ନ

ନୂଆଦିଲ୍ଲୀ ୨।୧୧: ବିଶ୍ୱରେ ମଧ୍ୟମବର୍ଗଙ୍କ ଚିହ୍ନଟ ଲାଗି ନିର୍ଦ୍ଧିଷ୍ଟ କୌଣସି ମାପକ ନାହିଁ। ଏଥିରେ ମଧ୍ୟମବର୍ଗକୁ ନେଇ ଯେବେବି କୌଣସି ସର୍ଭେ ହୁଏ ବିଭିନ୍ନ ସମସ୍ୟା ଉପୁଜିଥାଏ। ନିକଟରେ ଏକ ସର୍ଭେକ୍ଷଣ ଲାଗି ୭ ଶ୍ରେଣୀ କରାଯାଇଥିଲା। ଏଥିରେ ସବୁଠୁ ତଳେ ନିମ୍ନ ସ୍ତରରେ ବେସାହାରା ଗରିବଙ୍କୁ ରଖା ଯାଇଥିଲା, ୨୦୨୦-୨୧ରେ ଯେଉଁମାନଙ୍କର ବାର୍ଷିକ ଆୟ ୧.୨୫ ଲକ୍ଷରୁ କମ୍ ଥିଲା। ସେହିପରି ସର୍ଭେକ୍ଷଣର  ସବୁଠୁ ଉପରେ ସୁପର ରିଚ୍‌ଙ୍କୁ ରଖା ଯାଇଥିଲା। ଯେଉଁମାନଙ୍କର ବାର୍ଷିକ ଆୟ ୨ କୋଟି ଟଙ୍କାରୁ ଅଧିକ ଥିଲା। ଏଣୁ ସର୍ବନିମ୍ନ ଓ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ରଖାଯାଇଥିଲା ମଧ୍ୟମ ବର୍ଗଙ୍କୁ।

‘ଭାରତରେ ମଧ୍ୟମବର୍ଗଙ୍କ ଉଦୟ’ ଶିର୍ଷକ ରିପୋର୍ଟର ଲେଖକ ‘ପ୍ରାଇସ୍‌’ର ଏମଡି ତଥା ସିଇଓ ରାଜେଶ ଶୁକ୍ଲା ଏମାନଙ୍କ ରେଞ୍ଜ ୫୦ରୁ ୪୦୦ ନିୟୁତ ପର୍ଯ୍ୟନ୍ତ ବୋଲି ଆକଳନ କରିଛନ୍ତି,ଯେଉଁମାନଙ୍କର ବାସ୍ତବିକ ସାମର୍ଥ୍ୟ ଓ ସେମାନଙ୍କ କ୍ରୟ କ୍ଷମତା ଉପରେ ଅନେକ ପ୍ରଶ୍ନ ହେଉଛି ବୋଲି ଉଲ୍ଲେଖ କରିଛନ୍ତି। ଏହି ସର୍ଭେରୁ ସବୁଠୁ ନିମ୍ନ ଆୟକାରୀ ପରିବାରଙ୍କ ନିକଟରେ  ଅତି କଷ୍ଟରେ ଗୋଟିଏ କାର ରହିଛି। ଏପରି ଲୋକଙ୍କୁ ‘ସିକର୍ସ’ ଶ୍ରେଣୀରେ ରଖା ଯାଇଛି।

ସେହିପରି ଏୟାର କଣ୍ଡିସନରର କଥା ହେଲେ ଅତ୍ୟନ୍ତ ଗରିବ ଓ ବେସାହାରା ପରିବାରରେ ଏପରି ଯନ୍ତ୍ର ଆଦୌ ନାହିଁ। ତେବେ ‘ଏସ୍ପାରର’  ଶ୍ରେଣୀର ପ୍ରତି ୧୦୦ ଜଣରେ ୨ ଜଣ ନିଜ ଘରେ ବାତାନୁକୂଳିତ ଯନ୍ତ୍ର ରଖିବାକୁ ସକ୍ଷମ। ତେବେ ଅଧାରୁ ଅଧିକ ସୁପର ରିଚଙ୍କ ଘରେ ଏୟାର କଣ୍ଡିସନର ଏକ ସାଧାରଣ କଥା। ଏହି ସର୍ଭେ ଅନୁସାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଧନିକ ବସବାସ କରନ୍ତି। କେବଳ ଏହି ରାଜ୍ୟରେ ସୁପର ରିଚ୍‌ ପରିବାରଙ୍କ ସଂଖ୍ୟା ୬.୪ ଲକ୍ଷ। ୨୦୨୧ରେ ଏପରି ପରିବାରଙ୍କ ବାର୍ଷିକ ଆୟ ୨ କୋଟି ଟଙ୍କାରୁ ଅଧିକ ଥିଲା।

ମହାରାଷ୍ଟ୍ର ପଛକୁ ୧.୮ ଲକ୍ଷ ସୁପର ରିଚ୍ ପରିବାରଙ୍କ ସହ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ରହିଛି ଗୁଜରାଟ, ଏଠାରେ ସୁପରରିଚ୍ ପରିବାରଙ୍କ ସଂଖ୍ୟା ୧.୪ ଲକ୍ଷ। ଚତୁର୍ଥ ସ୍ଥାନରେ ତାମିଲନାଡୁ ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ପଞ୍ଜାବ। ରିପୋର୍ଟ ଅନୁସାରେ ଦେଶରେ ସୁପର ରିଚ୍ ପରିବାରଙ୍କ ସଂଖ୍ୟା ୧୯୯୪-୯୫ ମସିହାରେ ୯୮ ହଜାର ଥିଲା। ତେବେ ୨୦୨୦-୨୧ ବେଳକୁ ଏହି ସଂଖ୍ୟା ଦେଶରେ ୧୮ ଲକ୍ଷକୁ ପହଞ୍ଚି ଯାଇଛି। ଏହି ହାଇ ଇନକମ୍‌ ସେଗମେଣ୍ଟରେ ସୁରଟ ଓ ନାଗପୁରର ଗ୍ରୋଥ ସବୁଠୁ ଅଧିକ।

Spread the love