ଗୋଟିଏ ପଟେ ଦଳ ଅନ୍ୟପଟେ ବୋହୂ, କାହାକୁ ସମର୍ଥନ କରିବେ ରମାରଞ୍ଜନ?

ଏପଟେ ବୋହୂ ସେପଟେ ଦଳ ଏବେ କାହାକୁ ସମର୍ଥନ କରିବେ ବିଜେପି ନେତା ରମାରଞ୍ଜନ ବଳିଆରସିଂହ? ଏହାକୁ ନେଇ ଏବେ ଦ୍ବନ୍ଦ ଉପୁଜୁଛି। ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡ଼ିରୁ ପ୍ରାର୍ଥୀ ହୋଇଛନ୍ତି  ଦିବଂଗତ  ବିଜୟ ରଞ୍ଜନ ସିଂ ବରୀହାଙ୍କ ଝିଅ ବର୍ଷ ସିଂ ବରୀହା।  ବର୍ଷା ଏବେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ଏବେକାର ବିଜେପିର ବରିଷ୍ଠ ନେତା ରମାରଞ୍ଜନ ବଳିଆରସିଂଙ୍କ ବୋହୂ । ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ହେଉଛନ୍ତି ବର୍ଷା । ବିଜେଡି ପ୍ରାର୍ଥୀ ହେବା ପରେ ବର୍ଷା ସିଂ ବରିହାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବାପାଙ୍କ ବିକାଶକୁ ଆଗକୁ ବଢ଼ାଇବି ବୋଲି ସେ କହିଛନ୍ତି। ମୋର ଆଶା ଅଛି, ଲୋକଙ୍କ ଭରସା ଜିତିବି । ବାପାଙ୍କଠାରୁ ରାଜନୀତି ଶିଖିଛି ବୋଲି ସେ କହିଛନ୍ତି। ବାପାଙ୍କ ପ୍ରତି ଯେଉଁ ଭରସା ଥିଲା, ମୋ ପ୍ରତି ମଧ୍ୟ ରହିବ ବୋଲି ବର୍ଷା ସିଂ ବରିହା କହିଛନ୍ତି। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବି କହିଛନ୍ତି। ଇତିହାସରେ ସ୍ନାତକୋତ୍ତର କରିଛନ୍ତି ବର୍ଷା ସିଂ ବରିହା। ବର୍ଷାଙ୍କ ନାମ ଘୋଷଣା ହେବା ପରେ ଏବେ ରମାରଞ୍ଜନ କାହା ସପକ୍ଷରେ ଢଳିବେ ଓ ନିର୍ବାଚନ ପ୍ରଚାର କରିବେ ତାହା ଦେଖିବାକୁ ବାକି ରହିଲା।

ସେପଟେ ବିଜେପି ତରଫରୁ ପ୍ରଦୀପ ପୁରାହିତଙ୍କୁ ପ୍ରାର୍ଥୀ କରାଯାଇଛି। କୁହାଯାଉଛି ପଦ୍ମପୁର ଉପନିର୍ବାଚନରେ  ପ୍ରଦୀପଙ୍କ ପଲ୍ଲା ଟିକେ ଭାରି ରହିଛି। ତେଣୁ ତାଙ୍କୁ ଟକ୍କର ଦେବାକୁ ବିଜେଡ଼ି ସ୍ବତନ୍ତ୍ର ରଣନୀତି ଆପଣାଇ ଦିବଗଂତ ନେତା ବିଜୟ ରଞ୍ଜନ ସିଂ ବରୀହାଙ୍କ ଝିଅକୁ ଟିକେଟ ଦେଇଛି। ଧାମନଗର ସ୍ଥିତିର ଯେପରି ପୂନରାବ୍‌ତ୍ତି ନହେବ ସେଥିପାଇଁ ବିଜେଡି ପଦ୍ମପୁରରେ  ଜୋରାଦାର ପ୍ରୟାସ କରିବ ବୋଲି ସୂଚନା ମିଳୁଛି। ଅନ୍ୟପଟେ ପଦ୍ମପୁରକୁ  ଜିଲ୍ଲା ଘୋଷଣା କରିବା ନେଇ ଯେଉଁ  ଦାବି ଉଠୁଛି ତାହା ମଧ୍ୟ ଏହି ନିର୍ବାଚନର ମୁଖ୍ୟ ମୁଦ୍ଦା ରହିବ ବୋଲି ଅନୁମାନ କରାଯାଉଛି। ହେଲେ ସବୁ ପରେ ବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦଳ ଗଡ଼ ହାସଲ କରିବାକୁ ଜୋରଦାର ବଳ କଷିବେ ବୋଲି ଜଣାପଡିଛି।

Spread the love