ଆମାଜନରେ ଛଟେଇ, ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ନେଇ ପ୍ଲାନ୍

ନୂଆଦିଲ୍ଲୀ: ମିଲେନିୟମ୍ କମ୍ପାନୀମାନଙ୍କରେ ଜାରି ରହିଛି କର୍ମଚାରୀ ଛଟେଇ ପର୍ବ । ଟ୍ବିଟର, ମେଟା ପରେ ଏହି କଷ୍ଟ କିଟିଂ ଧାଡ଼ିରେ ଯୋଡ଼ି ହୋଇଛି ଅନ୍‌ଲାଇନ ମାର୍କେଟିଂ କମ୍ପାନୀ ଆମାଜନ । ଇ-କମର୍ସ କମ୍ପାନୀ ନିଜର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଯୋଜନା କରୁଛି । ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ କାଢ଼ିବା ନେଇ ହୋଇଛି ପ୍ଲାନ୍ ।

ବିଶ୍ବରେ ଅର୍ଥନୈତିକ ମାନ୍ଦା ଅବସ୍ଥା ଜାରି ରହିଛି । ବ୍ୟବସାୟରେ ଆଶା ଅନୁଯାୟୀ ରାଜସ୍ବ ଆସୁନଥିବାକୁ କଷ୍ଟ କଟିଂ ଫନ୍ଦାକୁ ଆପଣାଇଛନ୍ତି ବିଭିନ୍ନ କମ୍ପାନୀ । ସୋସିଆଲ ମିଡିଆ କମ୍ପାନୀ ଟ୍ବିଟର, ମେଟା ପରେ ଏବେ ଏହି ଧାରାରେ ଯୋଡ଼ି ହୋଇଛି ଇ-କମର୍ସ କମ୍ପାନୀ ଆମାଜନ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଅନଲାଇନ ମାର୍କେଟିଂ କମ୍ପାନୀ ଆମାଜନ ନିଜର ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଯାଉଛି । ଏହି ସପ୍ତାହରେ କମ୍ପାନୀ କର୍ମାଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ବିଧିବଦ୍ଧ ପ୍ଲାନ୍ କରିଛି । ବ୍ୟବସାୟରେ ମାନ୍ଦ ଅବସ୍ଥା ଜାରି ରହିଥିବାରୁ ରାଜସ୍ବ ମଧ୍ୟ ହ୍ରାସ ପାଇଛି । ତେଣୁ କଷ୍ଟ୍ କଟିଂ ନେଇ କମ୍ପାନୀ କର୍ମଚାରୀଙ୍କୁ ବାହାର କରୁଥିବା କୁହାଯାଉଛି ।  ଇ-କମର୍ସ କମ୍ପାନୀ ଆମାଜନ ଇତିହାସରେ ଏହା ସବୁଠାରୁ ବଡ଼ ଛଟେଇ। ତେବେ ଏହି ଖବରକୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ବିଭିନ୍ନ ଉତ୍ପାଦକ କମ୍ପାନୀମାନେ ଲଗାତର ଭାବେ ନିଜର ସାମଗ୍ରୀର ଦାମ୍ ବୃଦ୍ଧି କରୁଛନ୍ତି । ତେଣୁ  ପର୍ବପର୍ବାଣୀରେ ମଧ୍ୟ ବ୍ୟବସାୟରେ ମାନ୍ଦା ଅବସ୍ଥା ଦେଖାଦେଉଛି । ଫଳରେ ଅଧିକ ରାଜସ୍ବ କମାଇବାରେ ବିଫଳ ହୋଇଛି କମ୍ପାନୀ । ଆମେରିକାର ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆମାଜନ ନିଜର କର୍ମଚାରୀଙ୍କ ଅନ୍ୟ ସ୍ଥାନରେ ଚାକିରି ଖୋଜିବାକୁ  ପୂର୍ବରୁ ଚେତାବନୀ ଦେଇଥିଲା ।

ଗତ ମାସରେ ଟ୍ବିଟର ନିଜର କର୍ମଚାରୀଙ୍କୁ ଛଟେଇ କରିଛି । ମାଇକ୍ରୋସଫ୍ଟ ମଧ୍ୟ ହଜାରେରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି । ସେହିପରି ଫେସବୁକର ମୂଳ କମ୍ପାନୀ ମେଟା ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିଥିବାବେଳେ ଏହି ଧାରାରେ ଯୋଡ଼ି ହୋଇଛି  ଆମାଜନ ।

Spread the love