ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ନେବା ସଂକଳ୍ପ ଆମେ ବିକଳ୍ପ

ଭୁବନେଶ୍ୱର,ତା.୧୬/୦୭: ଭୁବନେଶ୍ୱର ସ୍ଥିତ ନିୟୁ ମେରୀୟନ ହୋଟେଲରେ ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ ଯୋଗଦେଇ ଦଳକୁ ତୃଳମୂଳ ସ୍ତରରୁ ଅଧିକ ସଶକ୍ତ କରିବା ପାଇଁ ଆଗାମୀ ଦିନରେ ୭୦୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦଳରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ ତାଙ୍କ ଦଳର କାର୍ଯ୍ୟକରିବା ସହିତ ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାର ଓ ସ୍ଥାଣୁ ସରକାର ବିରୁଦ୍ଧରେ ଆନ୍ଦୋଳନ କରି ଲୋକଙ୍କୁ ସଚେତନ କରିବା ଏବଂ ଭ୍ରଷ୍ଟାଚାରୀ ସରକାରର ୨୦୨୪ରେ ବିକଳ୍ପ ବିଜେପି ହେବା ପାଇଁ ଆହ୍ୱାନ ମଧ୍ୟ ଦେଇଥିଲେ । ନୂଆ ଏବଂ ସମୃଦ୍ଧ ଓଡ଼ିଶା ପାଇଁ ଓଡିଆ ଯୁବକମାନେ ଧର୍ମପଦର ଭୂମିକା ନେବେ । ବିଜେପି ଲୋକଙ୍କ ମଧ୍ୟରେ ଅତୁଟ ହେଇଛି । ତା’ର ଶ୍ର୍ରେୟ ହେଉଛି ଓଡିଶାର ଯୁବ ବର୍ଗ ଏବଂ ଓଡ଼ିଶା ଯୁବ ମୋର୍ଚ୍ଚା ବୋଲି ଶ୍ରୀ ସିଂ କହିଛନ୍ତି । ଯୁବ ମୋର୍ଚ୍ଚା ସାଧାରଣ ଲୋକଙ୍କ ହକ୍ ପାଇଁ ରାଜରାସ୍ତାରେ ସର୍ବଦା ଲଢ଼େଇ ଜାରିରଖିବ ବୋଲି ବିଜେପି ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି ।


କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଓଡିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ହୋଇଥିବା ବ୍ୟବସ୍ଥାକୁ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀରେ ସ୍ୱାଗତ କରାଯିବା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ଦକ୍ଷତା ବିକଶିତ କରିବ । ଓଡ଼ିଆ ଜନମାନସ ଓ ଓଡିଆ ଭାଷା ପାଇଁ ସ୍ମରଣୀୟ ଦିନ ବୋଲି କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଥିଲା । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳରୁ ବୁଥ୍ ପର୍ଯ୍ୟନ୍ତ ସକ୍ରିୟ ଯୁବ କାର୍ଯ୍ୟକର୍ତାଙ୍କୁ ନେଇ କିଭଳି ସଂଗଠନ ସୁଦୃଢ଼ କରାଯିବ ସେ ବିଷୟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା ଆଲୋକପାତ କରିଥିଲେ । ଯୁବ ଗୋଷ୍ଠିଙ୍କୁ ରାଜ୍ୟ ସରକାର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ଅଣଦେଖା କରୁଛନ୍ତି ସେ ଚାକିରୀ ହେଉ ଅବା ଶିକ୍ଷା ଏହା ବିରୁଦ୍ଧରେ ଆଗାମୀ ଦିନରେ ଓଡ଼ିଶାରେ ବିରାଟ ଯୁବ ଆନ୍ଦୋଳନ ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ କହିଛନ୍ତି । ଆଜିର ଯୁବକ କାଲିର ଭବିଷ୍ୟତ ତେଣୁ ସମସ୍ତ କ୍ଷେତ୍ରରେ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଆଜିର ଏହି ବୈଠକରେ ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଯୁବ ମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ କେଶରୀ ନାୟକ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ହିଂମାଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜୀବନ ରାଉତ, ସୁରେଶ ସାହୁ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଯୋଗ ଦେଇଥିଲେ ।

Spread the love