ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୧୬/୧୧: ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ । ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନ ର କଳା ରହିଛି । ଶ୍ରଦ୍ଧା , ଭକ୍ତି ଓ ନିଷ୍ଠା ର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି କହିଛନ୍ତି ଫୁଡ୍ ଷ୍ଟାର୍ଟ ଅପ୍ “ରୋଜିସ୍ କିଚେନ୍‌” ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ସରୋଜା ଚୌଧୁରୀ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ରେ ମହିଳା ମାନଙ୍କ ନିମନ୍ତେ ବୁଧବାର ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀମତି ଚୌଧୁରୀ । ଶ୍ରୀମତି ଚୌଧୁରୀ କହିଥିଲେ ଯେ ମହିଳାମାନେ ରନ୍ଧନ ର ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେବା ଆବଶ୍ୟକ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ପରୀକ୍ଷା ନିରୀକ୍ଷକ ପ୍ରଫେସର ମଞ୍ଜୁଳା ଦାସ କହିଥିଳେ ଯେ ପରିବାରକୁ ସୁସ୍ଥ ରଖିବା ର ଦାୟିତ୍ୱ ମହିଳାମାନଙ୍କ ହାତରେ ରହିଥାଏ । ବଜାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଅପେକ୍ଷା ମହିଳାମାନେ ଘରେ ହାତ ରନ୍ଧା ପୁଷ୍ଟିକର ଖାଦ୍ୟ ରାନ୍ଧିବା ଦ୍ୱାରା ହିଁ ପରିବାରବର୍ଗ ସୁସ୍ଥ ରହିଥାନ୍ତି । ଖାଦ୍ୟ ରାନ୍ଧିବା ବେଳେ ଖାଦ୍ୟପଦାର୍ଥ, ସମୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ମହିଳାମାନେ ଗୁରୁତ୍ୱ ଦେବା ଉଚିତ୍ ବୋଲି ପ୍ରଫେସର ଦାସ କହିଥିଲେ ।
ବୁଧବାର ନଭେମ୍ବର ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର “ଉଇ କ୍ୟାନ୍ କୁକ୍‌” ପ୍ରତ୍ୟେକ ଦିନ ଦିନ ୨ଟାରୁ ୫ ଟା ଯାଏଁ ଜାରି ରହିବ । ଏହି ଶିବିରରେ ଇଣ୍ଡିଆନ୍‌,କନ୍‌ଟିନେଟଂଟାଲ୍ ଖାଦ୍ୟ ସମେତ ବିଭିନ୍ନ ବେକିଂ ଓ ମକ୍‌ଟେଲ୍ ର ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ଶିବିରରେ ଭାଗ ନେଇଥିବା ୩୦ ଜଣ ମହିଳା ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏସଏଚ୍‌ଏମ୍‌ର ଡିନ୍ ଇନ୍‌ଚାର୍ଜ ଡକ୍ଟର ସପନ କୁମାର ସାଢ଼ୁଆଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଆସିଷ୍ଟାଂଟ୍ ପ୍ରଫେସର ସଂଘମିତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love