ପଦ୍ମପୁର ଉପ ନିର୍ବାଚନ: ୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ, ଦୁଇ ଜଣଙ୍କ ନାକଚ

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ପର୍ବ ଜୋରସୋରରେ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ବି ସରିଛି। ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି, ବିଜେଡି ଏବଂ କଂଗ୍ରେସ ତିନି ପ୍ରମୁଖ ଦଳର ପ୍ରାର୍ଥୀପତ୍ର କାଏମ ରହିଛି। ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥାପ୍ପା ଏବଂ ଦେବେନ୍ଦ୍ର ସୁନାନୀଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଛି। ଗତକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଥିଲା। ଆଉ ଶେଷ ଦିନରେ ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବାକୁ ଯାଉଛି। ବିଜେଡି ଦିବଙ୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। ଆଉ ଏବେ ପଦ୍ମପୁରରେ ଜୋର ଧରିବ ନିର୍ବାଚନ।

Spread the love