ଟ୍ୱିଟର ଏକ ବେକାର ଜିନିଷ: କାହିଁକି ଏମିତି କହିଲେ ପ୍ରଖ୍ୟାତ ଲେଖକ ଚେତନ ଭଗତ ?

ନୂଆଦିଲ୍ଲୀ: ଟ୍ୱିଟରକୁ ନେଇ ନାନା ତମ୍ବି ତୋଫାନ ଲାଗି ରହିଥିବା ବେଳେ ଭାରତର ପ୍ରଖ୍ୟାତ ଲେଖକ ତଥା ସିନେ ବ୍ୟକ୍ତିତ୍ୱ ଚେତନ ଭଗତ କିନ୍ତୁ ଏହାକୁ ବେକାର ବୋଲି କହିଛନ୍ତି। ଟ୍ୱିଟର ଏକ ବେକାର ଜିନିଷ ବୋଲି କହିଛନ୍ତି ଚେତନ ଭଗତ। ସୋସିଆଲ୍‌ ମିଡିଆରେ ରହି ଯୁବପିଢ଼ି କିପରି ନିଜର ବୋଧଶକ୍ତି ହରାଉଛି ସେ ନେଇ ଏକ ଚର୍ଚ୍ଚାରେ ଭାଗ ନେଇ ଏପରି କହିଛନ୍ତି ଚେତନ। ଜାତୀୟ ଗଣମାଧ୍ୟମ ଆଜତକର ସାହିତ୍ୟ ଆଜତକ ୨୦୨୨ କାର୍ଯ୍ୟକ୍ରମରେ “ଏକ ମୋଟିଭେସନାଲ ସ୍ପିକର” ଶୀର୍ଷକ ବିଷୟକୁ ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଭଳି ସୋସିଆଲ ମିଡିଆ ଯୁବ ପିଢ଼ିର ମାନିସିକତାକୁ ନଷ୍ଟ କରୁଛି ଓ ପ୍ରେରଣାଦାୟୀ କଥା ମାଧ୍ୟମରେ ସେମାନଙ୍କୁ ଉଚିତ ପଥ ଦେଖାଇ ହେବ ତା’ଉପରେ ଆଲୋକପାତ କରିଥିଲେ ଚେତନ।

ସେ କହିଥିଲେ “ ଶସ୍ତା ଡାଟା ପ୍ୟାକ୍ ଯୁବ ପିଢ଼ିଙ୍କୁ ଦୁର୍ବଳ କରିଦେଉଛି। ଝିଅମାନଙ୍କ ଅପେକ୍ଷା ପୁଅଙ୍କୁ ଏହା ଅଧିକ ନଷ୍ଟ କରିଦେଉଛି। ସେମାନେ ସ୍କ୍ରଲ୍ କରି ରିଲ୍ସ ଦେଖିବାରେ ମଜ୍ଜିଯାଉଛନ୍ତି। ଯେତେବେଳେ ମୁଁ ଭାବେ ଯେ ଦିନେ ଯୁବ ପିଢ଼ି କାର୍‌ଗିଲ୍‌ରେ ଦେଶ ପାଇଁ ଲଢ଼ୁଥିଲା ଆଉ ଏବେ ଯୁବ ପିଢ଼ି ରିଲ୍ସ ଦେଖିବାରେ ବ୍ୟସ୍ତ ରହୁଛି, ସେତେବେଳେ ମୋତେ ଖୁବ କଷ୍ଟ ହୁଏ। ମୋ ଲକ୍ଷ୍ୟ ହେଲା ଅନେକ ଲୋକଙ୍କୁ ଉଚିତ ପଥକୁ ଫେରାଇ ଆଣିବା, ଯେଉଁଠି ସେମାନେ ନିଜର ଦକ୍ଷତାର ବିକାଶ କରିପାରିବେ।”

ଆଜିର ସମୟରେ ପଢ଼ିବା କେତେ ଜରୁରୀ ସେ ନେଇ ନିଜର ମତ ରଖି ଚେତନ କହିଛନ୍ତି “ପ୍ରତ୍ୟେକ ଜୀନବରେ ପଢ଼ିବାର ଆବଶ୍ୟକତା ରହିଛି। ଏହା ଲୋକଙ୍କୁ ସ୍ଥିରଚିତ କରିବା ସହିତ ସୃଜନଶୀଳତା ବଢାଇଥାଏ। ପଢ଼ିବା ଏକ ପ୍ରବହମାନ କାର୍ଯ୍ୟ ଭଳି। ଯଦି ଆପଣ ଭଲ ବହିଟେ ପଢ଼ୁଛନ୍ତି ତେବେ ଏହା ଆପଣଙ୍କ ମାନସିକତାକୁ ସତେଜ କରିଦେବ। ଯାହା ଘଣ୍ଟା ଘଣ୍ଟା ଟିଭି ଦେଖିଲେ ହୁଏନି। ଆମେ ଜାଣୁ ଯେ ଡାଟା ଖୁବ ଶସ୍ତାରେ ମିଳୁଛି। କିନ୍ତୁ ତାହାର ଅର୍ଥ ନୁହେଁ, ଆପଣ ଏହାକୁ କେବଳ ରିଲ୍ସ ଦେଖି ସାରିବେ। ତେଣୁ ଆପଣଙ୍କୁ ପଢ଼ିବା ଅଭ୍ୟାସକୁ ପୁଣିଥରେ ଫେରିବାକୁ ପଡ଼ିବ।” ତେବେ ସେ କୌଣସି ଜ୍ଞାନ ଦେବାକ ଚାହୁଁ ନାହାନ୍ତି ବରଂ ସେ ନିଜେ ପରଦାରୁ ଧ୍ୟାନ ହଟାଇବା ପାଇଁ ସଂଘର୍ଷ କରୁଛନ୍ତି ବୋଲି ଚେତନ କହିଛନ୍ତି।  

ସେହିପରି ଟ୍ୱିଟର ବିବାଦକୁ ନେଇ ଭଗତ କହିଛନ୍ତି “ ଟ୍ୱିଟର ଏକ ବେକାର ଜିନିଷ। ଜଣେ ଏଥିରେ କେବଳ ଅଧିକରୁ ଅଧିକ ୫-୧୦ ମିନିଟ ବିତାଇବା ଦରକାର। କାରଣ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ। ସେହିଭଳି ଇନଷ୍ଟାଗ୍ରାମ୍‌ ରିଲ୍ସର ସମୟ ବିତାଇବା ପରେ ଲୋକେ ରିୟଲ ଲାଇଫ୍‌ରେ ସମୟ କାଟିବାରେ ସମସ୍ୟା ଭୋଗୁଛନ୍ତି। ମୁଁ କେବଳେ ଆପଣଙ୍କ ଆଖି ଖୋଲିବାକୁ ଚାହୁଁଛି। ଆପଣ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଦରକାର।”

Spread the love