କିନ୍ତୁ ସେଠାରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ବ୍ୟବସାୟୀ

ଆତ ବା କଷ୍ଟେଡ଼ ଆପଲ ଏକ ସୁସ୍ବାଦୁ ଫଳ ହୋଇଥିବାରୁ ଅନ୍ତରାଜ୍ୟ ଏବଂ ପଡୋଶୀ ରାଜ୍ୟରେ ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଅନେକ ଅଞ୍ଚଳର ଲୋକ ପାଖ ପାହାଡ଼ ପର୍ବତ ଏବଂ ନିଜ ବାଡ଼ି ବଗିଚାରେ ଏହି ସୀତାଫଳ ଅମଳ କରିଥାନ୍ତି । ଦୁର୍ଗମ ଅଞ୍ଚଳରୁ ଚାଲି ଚାଲି ରାୟଗଡା ଜିଲ୍ଲା ମୁଖ୍ୟ ବଜାରରେ ବିକ୍ରି କରି ନିଜର ବର୍ଷସାରାର ଗୁଜୁରାଣ ମେଣ୍ଟାଇଥାନ୍ତି ଏଠାକାର ସ୍ଥାନୀୟ ଲୋକେ । କିନ୍ତୁ ରାୟଗଡା ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ସୀତାଫଳ ବିକ୍ରେତା ମାନଙ୍କ ନିମନ୍ତେ କୌଣସି ଠୋସ ପଦକ୍ଷେପ ଗ୍ରହଣ ନକରିବା ହେତୁ ଏମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ପଡୋଶୀ ରାଜ୍ୟର ବେପାରୀ ।

କିନ୍ତୁ ରାୟଗଡା ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲ୍ଲାରେ ଆମଦାନୀ ହେଉଥିବା ଫଳ ପନିପରିବା ଆଦିର କୌଣସି  ନିର୍ଦ୍ଧାରିତ ବଜାର ଦର କିମ୍ବା ଏଗୁଡ଼ିକୁ ସଂରକ୍ଷିତ ରଖିବା ନିମନ୍ତେ କୌଣସି ଶୀତଳ ଭଣ୍ଡାରର ବ୍ୟବସ୍ତା କରାଯାଉ ନାହିଁ । ଯାହାର ଫଳ ସ୍ଵରୂପ ଦଲାଲି ବେପାରୀ ମାନେ ଏହାର ଫାଇଦା ଉଠାଇ ଏମାନଙ୍କ ଠାରୁ  ଆମଦାନୀ ଫଳ କମ୍ ଦାମରେ  କିଣି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ସହିତ କୋଲକତାକୁ ରପ୍ତାନୀ କରୁଛନ୍ତି। ଯାହା ଫଳରେ ଏଠାକାର ଆଦିବାସୀ ମାନେ ଏହି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମିତ ଶୀତଳ ଭଣ୍ଡାର ଓ ମେଗା ଫୁଡ଼ ପାର୍କ ଖତ ଖାଇବାରେ ଲାଗିଛି । ଯାହାକୁ ଜିଲ୍ଲା ପ୍ରଶାସନ ଦେଖି ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେବେ ସ୍ଥାନୀୟ ଲୋକଙ୍କ ସମସ୍ୟର କେବେ ହେଉଛି ସମାଧାନ ତାହା ଉପରେ ସମସ୍ତଙ୍କ ନଜର ।

Spread the love