ମହାକାଶରେ ୫୮ ହଜାର ମାଇଲ ଦୂରରୁ କିପରି ଦେଖାଯାଉଛି ପୃଥିବୀ ? ନାସାଙ୍କ ମିସନ ମୁନ୍‌ ପଠାଇଲା ଫଟୋ

ୱାସିଂଟନ ୧୯।୧୧: ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ନଭେମ୍ବର ୧୬ ତାରିଖ ଦିନ ଲଞ୍ଚ ହୋଇଥିବା ଚନ୍ଦ୍ରମା ମିସନ ‘ଆର୍ଟେମିସ-୧’ ଏବେ ଫଟୋ ପଠାଇବା ଆରମ୍ଭ କରିଛି। ଏହି ମିସନ ଲଞ୍ଚ କରିବା ବେଳେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ସତ୍ତ୍ୱେ ନାସାର ଶକ୍ତିଶାଳୀ ରକେଟ ଓରିୟନ ଏହି ସ୍ପେସ୍‌ କ୍ରାଫ୍ଟକୁ ଅନ୍ତରୀକ୍ଷରେ ପହଞ୍ଚାଇଛି।

ଏହା ପରେ ଆର୍ଟେମିସ୍-୧ନିଜକୁ କ୍ରାୟୋଜେନିକ ପ୍ରୋପଲସନ ଷ୍ଟେଜ୍‌ରୁ ପୃଥକ କରି ଏବେ ଚନ୍ଦ୍ରଙ୍କ କକ୍ଷ ଆଡକୁ ଅଗ୍ରସର ହେଉଛି। ପୃଥିବୀରୁ ଚନ୍ଦ୍ର ଯାତ୍ରା କାଳରେ ଆର୍ଟେମିସ୍-୧ ପୃଥିବୀ ଗ୍ରହର ଫଟୋ ପଠାଇଛି। ଆର୍ଟିମିସ୍-୧ ପଠାଇଥିବା ଫଟୋ ପୃଥିବୀରୁ ୫୮ ହଜାର ମାଇଲ ଦୂରରୁ ଉଠେଇଛି। ଏହି ଫଟୋ ଉଠାଇବା ପାଇଁ ଓରିୟନ ସ୍ୱତନ୍ତ୍ର କ୍ୟାମେରା ବ୍ୟବହାର କରିଛି। ଏହା ସହିତ ଏହି ଚନ୍ଦ୍ରମା ମିସନର ଏକମାତ୍ର ମାନିକିନ କମାଣ୍ଡର ମୁନିକିନ କମ୍ପୋଜଙ୍କ ଫଟୋ ମଧ୍ୟ ଜାରି କରାଯାଇଛି। ତାଙ୍କୁ ଓରିୟନ କ୍ୟାପସୁଲରେ ବସିଥିବା ଦେଖାଯାଛି। ଓରିୟନର ଅନବୋର୍ଡ କ୍ୟାମେରା ପୃଥିବୀର ଅନେକ ଅନନ୍ୟ ଦୃଶ୍ୟ ଫଟୋ ମାଧ୍ୟମରେ ପଠାଇଛି। ଏହି ମିସନରେ ସାଙ୍ଗ ହୋଇଯାଇଥିବା ରକେଟ ଓ ସ୍ପେସ୍‌ କ୍ରାଫ୍ଟ ଉଭୟରେ ହାଇଟେକ୍ ମଲ୍ଟି କ୍ୟାମେରା ଲାଗିଛି। ଯାହା ଦ୍ୱାରା ଏହି ମିସନର ଗୁରୁତ୍ୱପୂର୍ଣ୍ଣ ଡାଟା ଓ ଛବି ଏକତ୍ର କରାଯାଉଛି। ନାସାଙ୍କ ଅନୁସାରେ ଓରିୟନ ସ୍ପେସ୍‌ କ୍ରାଫ୍ଟ ପାଖାପାଖି ୧.୩ ନିୟୁତ ମାଇଲ ଦୂର ଅତିକ୍ରମ କରି ଚନ୍ଦ୍ରରେ ପହଞ୍ଚିବ।

Spread the love