ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦; ୬୫ ରନ୍‌ରେ ଜିତିଲା ଟିମ୍ ଇଣ୍ଡିଆ, ସୂର୍ଯ୍ୟକୁମାର ପ୍ଲେୟାର ଅଫ ଦି ମ୍ୟାଚ୍

ନୂଆଦିଲ୍ଲୀ: ଦ୍ବିତୀୟ ଟି-୨୦ରେ ଭାରତ ବଡ଼ ବିଜୟ । ୬୫ରନରେ ଜିତିଲା ଟିମ୍ ଇଣ୍ଡିଆ । ୧୮.୫ ଓଭରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ହାର୍ଦ୍ଦିକ ବାହିନୀ । ବିସ୍ଫୋରକ ବ୍ୟାଟିଂ ପାଇଁ ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଛନ୍ତି । ୧୮.୫ ଓଭରରେ ଘରୋଇ ଦଳ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୧୨୬ ରନ କରିବାରେ ସକ୍ଷମ ହୋଇଥିଲା।

ରବିବାର ନ୍ୟୁଜିଲାଣ୍ଡର ବେ ଓଭାଲରେ ଖେଳାଯାଉଥିଲା ଦ୍ବିତୀୟ ଟି-୨୦ । ଏହି ମ୍ୟାଚ୍‌କୁ ସହଜରେ ଜିତି ନେଇଛି ଟିମ୍ ଇଣ୍ଡିଆ । କ୍ବି ଦଳ ୧୦ ଓ୍ବିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୧୯୨ ରନ୍‌ର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ । ଯେଉଁଥିରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକୀୟ ପାରି ରହିଥିଲା । ମାତ୍ର ୫୧ଟି ବଲରୁ ୧୧୧ରନର ଦମ୍‌ଦାର ପାରି ଖେଳିଥିଲେ ମିଷ୍ଟର ୩୬୦ ଡିଗ୍ରୀ । ସେହିପରି ଇଷାନ କିଶାନ ୩୬ ରନ୍ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ୍ ଓ ଶ୍ରେୟସ ଆୟର ୧୩ ରନ୍‌ର ଛୋଟ ପାରି ଖେଳିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦୀ ଶେଷ ଓଭରରେ ହାଟ୍ରିକ୍ ଓ୍ବିକେଟ୍ ନେଇଥିଲେ ।

ନ୍ୟୁଜିଲାଣ୍ଡ ଟିମ୍ ବିଶାଳ ସ୍କୋରର ପିଛା କରି ୧୮.୫ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୧୨୬ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ବେ ଓଭାଲ ମ୍ୟାଚ୍‌ରେ ଦୀପକ ହୁଡ୍ଡାଙ୍କ ସ୍ପିନ୍ ବୋଲିଂ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ମାତ୍ର ୨.୫ ଓଭରରେ ୧୦ ରନ୍ ଦେଇ ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିଲେ ଦୀପକ । ସେହିପରି ମହମ୍ମଦ ସିରାଜ ଓ ଚହଲଙ୍କୁ ୨ଟି ଲେଖାଏଁ ଓ୍ବିକେଟ୍ ମିଳିଥିବାବେଳେ ଭୁବନେଶ୍ବର କୁମାର ଓ ଓ୍ବାସିଂଟନ ସୁନ୍ଦରଙ୍କ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଛି । ଫଳରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌କୁ ସହଜରେ ଜିତି ନେଇଛି ଟିମ୍ ଇଣ୍ଡିଆ । ୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-0ରେ ଆଗରେ ରହିଛି ଭାରତ ।

Spread the love