ଭାରତ​ରେ ଦୁଇ ଲକ୍ଷ ଲୋକଙ୍କୁ ମିଳିବ ଚାକିରି !

ନୂଆଦିଲ୍ଲୀ, ୨୦/୧୧: ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ମଧ୍ୟରେ କମ୍ପାନୀମାନେ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଅବଶ୍ୟ ଭାରତୀୟ ଆଇଟି ସେକ୍ଟର ପାଇଁ ମୁନଲାଇଟିଂ ଏକ ବଡ଼ ପ୍ରସଙ୍ଗ ରହିଛି। ମୁନଲାଇଟିଂ ଯୋଗୁଁ ଅନେକ ଲୋକ ଚାକିରି ମଧ୍ୟ ହରାଇଛନ୍ତି। ଓ୍ପିପ୍ରୋ, ଏଚସିଏଲ, ଟେକ୍‌ ମହିନ୍ଦ୍ରା, ଇନଫୋସିସ୍ ଏବଂ ଟିସିଏସ ଭଳି ଦିଗ୍ଗଜ ଆଇଟି କମ୍ପାନୀମାନେ ମୁନଲାଇଟିଂକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେମାନେ ଏଭଳି କରୁଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହାରି ମଧ୍ୟରେ ଆଇଟି ସେକ୍ଟରରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଆଶ୍ବସ୍ତିକର ଖବର।

ଇନଫୋସିସ୍‌ର କୋ-ଫାଉଣ୍ଡର କ୍ରିସ୍ ଗୋପାଳକୃଷ୍ଣନ ଏକ ସମ୍ମିଳନୀରେ କହିଛନ୍ତି ଯେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରୀ ଦରବୃଦ୍ଧି ଏବଂ ଆମେରିକାରେ ମାନ୍ଦାବାସ୍ଥା ଭଳି ସମସ୍ୟା ମଧ୍ୟରେ ବି ଆଗାମୀ ସମୟରେ ୨ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ଗୋପାଳକୃଷ୍ଣ କହିଛନ୍ତି ଯେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିର ରାଜସ୍ବରେ ୨୨୦ ବିଲିୟନ ଡଲାର ଆଧାରରେ ୮-୧୦ ପ୍ରତିଶତ ହାରରେ ବଢ଼ିବା ନେଇ ଆଶା କରାଯାଉଛି। । ଏଆଇ/ଏମଏଲ, ବ୍ଳକ୍‌ଚେନ୍, ଓ୍ବେବ ୩.୦, ମେଟାଭର୍ସ ସହ ଆଇଟି ସେକ୍ଟର ଆଗକୁ ବଢ଼ିବ। ଏହି କାରଣରୁ ଆଶା ରହିଛି ଯେ ଇଣ୍ଡଷ୍ଟ୍ରିରେ ବିକାଶ ଜାରି ରହିବ। ସେ ଆହୁରି କହିଛନ୍ତି ଛଟେଇ ବହୁତ କମ୍ ସମୟ ପାଇଁ ରହିବ। ଆଇଟି ସେକ୍ଟର ସୁରକ୍ଷିତ ଭାବରେ ଆଗକୁ ବଢ଼ିବ।

ସୂଚନାଥାଉ ଯେ, ଗତ କିଛି ମାସରେ ଫେସବୁକ୍, ମେଟା, ଆମାଜନ, ଭଳି କମ୍ପାନୀ ବଡ଼ ଆକାରରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଫଳରେ ଆଇଟି ସେକ୍ଟରରେ ଚାକିରିକୁ ନେଇ ଅନେକ ପ୍ରଶ୍ନ ଉଠିଛି।

Spread the love