ଚଳିତ ବର୍ଷ ୨୦ ଦିନ ବିଳମ୍ବରେ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର

ବରଗଡ଼ ଜିଲ୍ଲାରେ ଖୋଲିଲା ସମସ୍ତ ଧାନ ମଣ୍ଡି । ପ୍ରତିବର୍ଷ ନଭେମ୍ବର ପହିଲାରୁ ମଣ୍ଡି ଖୋଲୁଥିବା ବେଳେ ଚଳିତ ବର୍ଷ ୨୦ ଦିନ ବିଳମ୍ବରେ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ଡିସେମ୍ବର ୫ରୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଚାଷୀଙ୍କ ଚାପରେ ଚେପା ହେଲେ ସରକାର । ମଣ୍ଡି ଖୋଲିବା ପାଇଁ ନଭେମ୍ବର ୨୧ ରେ ଖୋଲିବା ନିଷ୍ପତ୍ତି ନିଆଗଲା । ଗତକାଲି ଜିଲ୍ଲାରେ ମଣ୍ତି ଖୋଲିଥିଲେ ମଧ୍ୟ ଅନେକ ଅବ୍ୟବସ୍ଥା ଯୋଗୁ କେବଳ ୨ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ମୋଟ ୧୦୯.୭୭ କୁଇଣ୍ଟାଲ ଧାନ ବିକ୍ରି ହେଇଛି । ଟୋକନ୍ ସମସ୍ୟା ସହ କଟନି ଛଟନି ଯୋଗୁଁ ବଢିଲାଣି ଚାଷୀଙ୍କ ଚିନ୍ତା । ପଶ୍ଚିମ ଓଡିଶାରେ ଯେତେ ପରିମାଣରେ ଧାନ କିଣିବା କଥା ସେତିକି ପରିମାଣରେ କିଣା ଯାଇନାହିଁ ବୋଲି ଚାଷୀ ମାନେ  ଅଭିଯୋଗ କରିଛନ୍ତି। ଚାଷୀ ଅମଳ କରିଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନକୁ ଆଣି ମଣ୍ଡିରେ ବିକ୍ରି କରିବା ପାଇଁ ଜମା କରିଛନ୍ତି। ହେଲେ ଧାନ ବିକ୍ରି ହେଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଟୋକନ ଥାଇ ମଧ୍ୟ ଧାନ ବିକ୍ରି କରିବାରେ ସମସ୍ୟା ଦେଖା ଦେଇଛି । ଏପରିକି ଧାନ ବିକ୍ରି କରିବାକୁ ଆସିଥିବା ଅନେକ ଚାଷୀଙ୍କୁ ଟୋକନ ମିଳିନାହିଁ । ପଦ୍ମପୁର ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଚାଷୀ । ଅର୍ଦ୍ଧାଧିକ ଚାଷୀ ଭୋଟର ହୋଇଥିବାରୁ ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର । କିନ୍ତୁ ଇନପୁଟ ସବସିଡିରେ ବିଳମ୍ବ, ଫସଲ ବୀମା ନମିଳିବା, ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମଣ୍ଡି ସମସ୍ୟା, ଜଳସେଚନ ଧୋକ୍କା, ଟୋକନ ଲାପ୍ସ, ଧାନ ଅଭାବୀ ବିକ୍ରି ଭଳି ଯନ୍ତ୍ରଣା ଚାଷୀଙ୍କୁ ପ୍ରତି ବର୍ଷ ଭୋଗିବାକୁ ପଡୁଛି । ଯାହା ଚଳିତ ପଦ୍ମପୁର ଉପନିର୍ବାଚନରେ ସରକାରଙ୍କ ପାଇଁ ଘାତକ ସାଜିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Spread the love