କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କଟା ଘା’ରେ ଲୁଣ ଦେବା ସଦୃଶ : ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର, ତା.୨୩/୧୧: ଫସଲ ବୀମା, ଇନପୁଟ ସବସିଡ୍‌, ପଦ୍ମପୁର ରେଳ ଲାଇନ ପ୍ରକଳ୍ପର ମିଥ୍ୟା ପରେ କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ୟାକେଜ ଘୋଷଣା ଆଉ ଏକ ମିଥ୍ୟା । କେନ୍ଦୁପତ୍ର ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପୋଡା ଘା’ରେ ଲୁଣ ଦେବା ଭଳି ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ସେ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କଣ ଆଗରୁ କେନ୍ଦୁପତ୍ର ଶ୍ରମିକମାନେ ସାମିଲ ନଥିଲେ? ଏବେ ସାମିଲ ହେଲେ ବୋଲି ଘୋଷଣା କରାଗଲା । ଏହା ବିଜୁ ଜନତା ଦଳ ସରକାରଙ୍କର ଆଉ ଏକ ମିଛ ଘୋଷଣା । ସାଧାରଣ ପିଲାଙ୍କ ପାଇଁ ମିଳୁଥିବା ଛାତ୍ରବୃତିରୁ ବଂଚିତ ଥିଲେ କି କେନ୍ଦୁପତ୍ର ଶ୍ରମିକଙ୍କ ପିଲା ମାନେ ନା ଆଜିର ଘୋଷଣା କେବଳ ମିଥ୍ୟା ପ୍ରଚାର ।
ରାଜ୍ୟ ସରକାର କେନ୍ଦୁପତ୍ରରୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି । କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ଓଡିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ସେ ଘୋଷଣା କୁଆଡେ ଗଲା?
ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ଛାଡ କରି ଉଦାହରଣ ସୃଷ୍ଟି କରନ୍ତୁ । ଜିଏସଟି କାଉନସିଲରେ କାହିଁକି ଅର୍ଥ ମନ୍ତ୍ରୀ ବିଦ୍ଧିବଦ୍ଧ ଭାବରେ ରାଜ୍ୟ ସରକାର ଜିଏସଟି ଛାଡ କରିବା ପାଇଁ ପ୍ରସ୍ତାବ ରଖିନାହାନ୍ତି ? ଜିଏସଟି କାଉନସିଲ ବୈଠକରେ ସମର୍ଥନ, ଭୁବନେଶ୍ୱରରେ ବିରୋଧ ।
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ? କରୋନା ମହାମାରୀ ସମୟରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରିଥିଲେ । ତୋଳାଳୀଙ୍କ ପାଇଁ ୧୦୦ ପ୍ରତିଶତ ବୋନସ ଲାଗୁ କରିବା, ସିଜନାଲ ଷ୍ଟାଫ ଓ ବନ୍ଧାଳୀଙ୍କୁ ୪୦ ପ୍ରତିଶତ ଇନସେନଟିଭ ଆଲାଉନସ୍ ଲାଗୁ କରିବା, ଝିଅ ବାହାଘର ସହାୟତା କେବେ ଦେବେ ମିଳିବ ବୋଲି ବିରୋଧୀ ଦଳ ନେତା ଟ୍ୱିଟ୍ କରିଛନ୍ତି ।

Spread the love