ଶ୍ରଦ୍ଧା ହତ୍ୟା ମାମଲା: ଅଫତାବ ଅସୁସ୍ଥ

ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ତଥା ଲିଭ ଇନ୍ ପାର୍ଟନର ଅଫତାବ ପୁନାୱାଲା ଅସୁସ୍ଥ ହୋଇପଡିଛି। ବୁଧବାର ତାର ପଲିଗ୍ରାଫ ଟେଷ୍ଟ ହେବାର ଥିଲା। ତେବେ ଅସୁସ୍ଥତା କାରଣରୁ ପୋଲିସକୁ ପଲିଗ୍ରାଫ ଟେଷ୍ଟ ଟାଳିବାକୁ ପଡିଛି। ଅଫତାବର ନାରକୋ ଟେଷ୍ଟ କରାଯିବ। ହେଲେ ତା ପୂର୍ବରୁ ପଲିଗ୍ରାଫ ଟେଷ୍ଟ ଜରୁରି। ଏଥି ପାଇଁ ବୁଧବାର ତାରିଖ ଧାର୍ଯ୍ୟ ହୋଇଥିବାବେଳେ ତାହା ଟଳିଛି।

ଦିଲ୍ଲୀ ପୋଲିସର ଜୋନ-୨ର ଲ ଏଣ୍ଡ ଅର୍ଡର ସ୍ପେଶାଲ ସିପି ସାଗର ପ୍ରିତ ହୁଡ୍ଡା ବୁଧବାର ଅଫତାବ ପୁନାୱାଲାର ପଲିଗ୍ରାଫ ଟେଷ୍ଟ ହୋଇ ପାରିନଥିବା ଗଣମାଧ୍ୟମକୁ କହିଛନ୍ତି। ଅଫତାବକୁ ଜ୍ୱର ହୋଇଯାଇଛି। ଏଣୁ ଜ୍ୱରରେ ତାର ପଲିଗ୍ରାଫ ଟେଷ୍ଟ ସମ୍ଭବ ନୁହେଁ ବୋଲି ସିପି କହିଛନ୍ତି। ଅଫତାବର ସ୍ୱାସ୍ଥ୍ୟ ଠିକ୍ ହେବା ପରେ ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଥିବା ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ତାର ପଲିଗ୍ରାଫ ଟେଷ୍ଟ ହେବ।

ଏହା ପୂର୍ବରୁ ଦିଲ୍ଲୀ ସାକେତ କୋର୍ଟ ମଙ୍ଗଳବାର ଅଫତାବର ପୋଲିସ କଷ୍ଟଡି ଅବଧି ୪ ଦିନ ବଢାଇ ଦେଇଥିଲେ। ଏହି ଅବଧିରେ ତାର ପଚରା ଉଚରା ସହ ପଲିଗ୍ରାଫ ଟେଷ୍ଟ ମଧ୍ୟ ହେବାର ଥିଲା। ତେବେ ସେ ଅସୁସ୍ଥ ହୋଇ ପଡିବା ଯୋଗୁ ତାର ସବୁ କାର୍ଯ୍ୟକ୍ରମକୁ ପୋଲିସ ରୋକି ଦେଇଛି। ମଙ୍ଗଳବାର ଅଫତାବର ଓକିଲ ଅବିନାଶ ତା ପରିବାର ଲୋକେ ତାକୁ ଭେଟିବାକୁ କୋର୍ଟଙ୍କ ଅନୁମତି ମଧ୍ୟ ମାଗିଥିଲେ। ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି।

Spread the love