ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା

ଭୁବନେଶ୍ୱର,୨୪/୧୧: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଇ-ସ୍କୁଟର ଉପଲବ୍ଧ। ପୂର୍ବରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର କରାଯାଉଥିବା ବେଳେ ଗୁରୁବାର ଦିନ ସୋଆର କ୍ୟାମ୍ପସ୍ ୨ରେ ୨୦ଟି ଇ-ସ୍କୁଟର ବ୍ୟବହାର ଆରମ୍ଭ ହୋଇଛି।

ଏହି ବ୍ୟବସ୍ଥା ଶୀଘ୍ର ଅନ୍ୟ ସୋଆ କ୍ୟାମ୍ପସ ରେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ଡ୍ରାଇଭ ନାମକ ଷ୍ଟାର୍ଟ-up ର ସହ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଅଙ୍କୁର ବି. ପଟେଲ୍ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଇ-ସ୍କୁଟର ବ୍ୟବହାର ନିମନ୍ତେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସଙ୍କ ଉପସ୍ଥିତିରେ କ୍ୟାମ୍ପସ୍ ୨ରେ ଇ-ସ୍କୁଟର ପ୍ରଚଳନ ଆରମ୍ଭ କରାଯାଇଛି ।

ଏହି ଇ- ସ୍କୁଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ଆସିବ ଏବଂ କ୍ୟାମ୍ପସ୍‌ଗୁଡ଼ିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ଶ୍ରୀମତି ଦାସ ଏହି ଅବସରରେ କହିଛନ୍ତି । ଆଗାମୀ ଦିନରେ ସୋଆର ସବୁ କ୍ୟାମ୍ପସ୍‌ରେ ଇ-ସ୍କୁଟର ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି ।

ସୋଆର ପୂର୍ବତନ ଛାତ୍ର ଶ୍ରୀ ପଟେଲ୍ ଏହି ଷ୍ଟାର୍ଟଅପ ଆରମ୍ଭ କରିଥିବା ବେଳେ କହିଛନ୍ତି ଯେ ଏହି ଇ-ସ୍କୁଟରକୁ ଭଡ଼ାରେ ନେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ କିଲୋମିଟର ପ୍ରତି ୭୦ ପଇସା ଏବଂ ମିନିଟ୍ ପ୍ରତି ୪୦ ପଇସା ଦେବାକୁ ପଡିବ । କ୍ୟାମ୍ପସ୍‌ର ଡିମାଣ୍ଡ ଅନୁସାରେ ଇ-ସ୍କୁଟରର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ କ୍ୟାମ୍ପସ୍‌ରେ ବୁଲିବା ଖୁବ୍ ସହଜ ହେବ । ବିଭିନ୍ନ କ୍ୟାମ୍ପସ୍‌ରେ ଏହାର ରି-ଚାର୍ଜିଂ ସୁବିଧା ମଧ୍ୟ ରହିଛି ।

ଏହି ଅବସରରେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love