ରାଜ୍ୟ ସରକାରଙ୍କର ମନ୍ତ୍ରୀ, ନେତା ଓ ବିଧାୟକ ସ୍ୱଚ୍ଛ ତାହାଲେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଉତର ରଖନ୍ତୁ: ମୋହନ ମାଝୀ

ଭୁବନେଶ୍ୱର, ତା.୨୮/୧୧: ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ କେଳେଙ୍କାରୀ ସାମ୍ରାଜ୍ୟକୁ ନେଇ ଓଡ଼ିଶାର ରାଜ୍ୟ ରାଜନୀତି ବେଶ୍ ସରଗରମ । ଅର୍ଚ୍ଚନାର କଳାସାମ୍ରାଜ୍ୟ ପଛରେ ଓଡିଶାର ବଡ ବଡିଆ ବାବୁ, ମନ୍ତ୍ରୀ, ବିଧାୟକ, ରାଜନେତା, ବ୍ୟବସାୟୀ ଓ ପୋଲିସ ବିଭାଗର ବଡ ଅଧିକାରୀ ଲିପ୍ତ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଧାନସଭାରେ ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ ସମ୍ପର୍କରେ ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ପ୍ରସଙ୍ଗ ଉଠାଇଥିବାରୁ ଶାସକ ଦଳର ମନ୍ତ୍ରୀମାନେ ବିରୋଧ କରିଥିଲେ । ଶ୍ରୀ ମାଝୀ କହିଛନ୍ତି ଯେ, ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ସମୃକ୍ତ ଅଛନ୍ତି । ନାଗ ଦମ୍ପତିଙ୍କ ମେଲ ଆଇଡିରୁ ବିଜେଡିର ୬୪ଜଣ ନେତାଙ୍କ ଫଟୋ ସହ ୫ଟି ଡାଏରୀ, ୪ଟି ଲାପଟପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କିନ୍ତୁ ପୋଲିସ ନାଗ ଦମ୍ପତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ ଖସେଇ ଦେବାର ଉଦ୍ୟମ କରୁଛି । କିନ୍ତୁ ସେକ୍ସ ର‌୍ୟାକେଟର କଳାସାମ୍ରାଜ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଚୁପ୍ ରହିବା କେତେଦୂର ଉଚିତ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।
ଇଡିକୁ ରାଜ୍ୟ ପୋଲିସ ସହଯୋଗ କାହିଁକି କରୁନି । ଓଡ଼ିଶା ପୋଲିସ ଗୁଇନ୍ଦା ବିଭାଗ ମଉନ ବ୍ରତରେ ଶୋଇଥିଲେ କି? ନାଗ ଦମ୍ପତିଙ୍କ ଘଟଣାରେ ଆରମ୍ଭରୁ ନିଜ ଅଧିକାରୀ ଓ ନେତାକୁ ରାଜ୍ୟ ସରକାର କାହିଁକି ଲୁଚାଇ ରଖିଛନ୍ତି । ଅର୍ଚ୍ଚନା ନାଗଙ୍କ ଘରେ ସରକାରୀ କାର୍ଯ୍ୟର ଟେଣ୍ଡର ଫିକ୍ସିଂ ଓ ଠିକାଦାରୀର ନିଷ୍ପତି ହେଉଥିଲା । ଯାହାକି ଅର୍ଚ୍ଚନା ନାଗ କଳାସାମ୍ରାଜ୍ୟ ପଛରେ ରାଜ୍ୟ ସରକାରଙ୍କ ସଂପୃକ୍ତି ଥିବା ପ୍ରମାଣ ହେଉଛି ।
ସୂଚନାଥାଉ କି, ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ମାମଲା ରୁଜୁ ବେଳେ ସମସ୍ତ ନାଁ ଉଲ୍ଲେଖ କରିଥିଲେ ବି କାହିଁକି ପୋଲିସ ଜଗବନ୍ଧୁଙ୍କୁ ସାମାନ୍ୟ ପଚରାଉଚରା କରି ଛାଡିଦେଲା ଏହାର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି । ରାଜ୍ୟ ସରକାରଙ୍କ ଗୁମର ଖୋଲିଯିବ ବୋଲି ପ୍ରଥମରୁ ଗିରଫ ନକରି ବହୁଦିନ ଧରି ଖୋଲା ଛାଡି ଦିଆଯାଇଥିଲା । ଯଦ୍ୱାରା ଘଟଣାର ପ୍ରମାଣ ନଷ୍ଟ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ଶାସକ ଦଳର ବିଧାୟକଙ୍କୁ ଇଡି ଡାକୁଥିବାବେଳେ ରାଜ୍ୟ ସରକାର ତାଙ୍କୁ ଘଂଟ ଘୋଡାଉଛନ୍ତି । ଇଡିକୁ ଯେଉଁଭଳି ଓଡ଼ିଶା ପୋଲିସ ସହଯୋଗ କରିବା କଥା ତାହା କରୁନାହିଁ । ତୃତୀୟ ମହଲାର ଇଙ୍ଗିତରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେବାର ଅପଚେଷ୍ଟା କରୁଛି । ରାଜ୍ୟ ସରକାରଙ୍କର ମନ୍ତ୍ରୀ, ନେତା ଓ ବିଧାୟକ ସ୍ୱଚ୍ଛ ତାହାଲେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଏହାର ଉତର ରଖିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି ।

Spread the love