ଶିକ୍ଷକଙ୍କ ଚିତ୍କାରରେ କମ୍ପୁଛି ରାଜଧାନୀ, ଦାବି ପୂରଣ ପାଇଁ ଅହୋରାତ୍ର ଧାରଣା ଜାରି

ଭୁବନେଶ୍ଵର: ରାଜଧାନୀରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଧାରଣା ଜାରି ରହିଛି । ହଜାର ହଜାର ସଂଖ୍ୟାରେ ଶିକ୍ଷକମାନେ ଲୋୟର ପିଏମଜିରେ ଏକଜୁଟ୍ ହୋଇଛନ୍ତି । ୩ ଦଫା ଦାବି ପୂରଣ ପାଇଁ ଚଳାଇଛନ୍ତି ଆନ୍ଦୋଳନ । ଏମିତି ଶୀତ ରାତିରେ ଶିକ୍ଷୟିତ୍ରୀ ମାନେ ରାଜରାସ୍ତାରେ ବସି ରହିଥିବା ଦେଖିବାକୁ ମିଳିଛି । ରାଜଧାନୀରେ ଶିକ୍ଷକ ଆନ୍ଦୋଳନ ଯୋଗୁଁ ରାଜ୍ୟର ଅନେକ ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ସେପଟେ ବିଧାନସଭା ଶୂନ୍ୟକାଳରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଶିକ୍ଷକଙ୍କ ଚିତ୍କାରରେ କମ୍ପୁଛି ରାଜଧାନୀ । ୩ଦଫା ଦାବି ପୂରଣ ପାଇଁ ଚାଲିଛି ଅହୋରାତ୍ର ଆନ୍ଦୋଳନ । ଶୀତ ରାତିରେ ଧାରଣା ବସି ରହିଛନ୍ତି ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଗତକାଲି ଠାରୁ ଭୁବନେଶ୍ବର ଲୋୟର ପିଏମଜିରେ ଆରମ୍ଭ ହୋଇଥିବା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଆଜି ପର୍ଯ୍ୟନ୍ତ ଲମ୍ବିଛି । ଆଜି ସମସ୍ତ ବିଧାୟକଙ୍କୁ ଦାବି ପତ୍ର ପ୍ରଦାନ ସହ ଅନିର୍ଦ୍ଧଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ମିଳିତ ଶିକ୍ଷକ ମହାସଂଘ । ସରକାର ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରିଥିଲେ ମଧ୍ୟ ସେମାନଙ୍କୁ କାହିଁକି ଏଥିରେ ସାମିଲ କରାଯାଇନାହିଁ ତାକୁ ନେଇ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ । ଏଥିସହ ପୁରୁଣା ପେନସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ ଭଳି ୩ଟି ଦଫା ଦାବିରେ ଗାନ୍ଧିମାର୍ଗରେ ଜାରି ରହିଛି ବିକ୍ଷୋଭ ସମାବେଶ ।

ରାଜ୍ୟର ୩୦ ଜିଲ୍ଲାରୁ ପ୍ରାଥମିକ ସ୍କୁଲ ଶିକ୍ଷକମାନେ ଆସି ରାଜଧାନୀରେ ଧାରଣାରେ ବସିଥିବା ବେଳେ ସେପଟେ ସ୍କୁଲଗୁଡ଼ିକରେ ଶିକ୍ଷାଦାନରେ ଉପୁଜିଛି  ସମସ୍ୟା  । ଇଏ ହେଉଛି ଜଗସିଂହପୁର ଜିଲ୍ଲାର ଏକ ସ୍କୁଲ । ଯେଉଁଠି ମାତ୍ର ଦୁଇ ଜଣ ଶିକ୍ଷକ ସ୍କୁଲ ସମ୍ଭାଳିଛନ୍ତି ।  ଗୋଟିଏ କ୍ଲାସ ରୁମ୍‌ର ତିନି ତିନିଟି ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ାଉଛନ୍ତି ଜଣେ ଜଣେ ଶିକ୍ଷକ । ରାୟଗଡ଼ା ମୁନିଗୁଡ଼ା ସରକାରୀ ସ୍କୁଲରେ ଜଣେ ଶିକ୍ଷକ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ଅସମ୍ଭବ ହୋଇପଡ଼ିଛି । ୩୦ ଜିଲ୍ଲାରେ ସରକାରୀ ସ୍କୁଲଗୁଡ଼ିକରେ ଏଭଳି ଅବସ୍ଥା । କେଉଁଠି ଜଣେ ଶିକ୍ଷକ ପୂରା ସ୍କୁଲ ସମ୍ଭାଳିଛନ୍ତି ତ ଆଉ କେଉଁଠି ପାଠପଢ଼ା ପୂରା ଠପ୍ ହୋଇଯାଇଛି । ପୁଣି କିଛି ଯାଗାରେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ସ୍କୁଲକୁ ପଠାଯାଇଛି ।

ସେପଟେ ଶିକ୍ଷକଙ୍କ ଦାବିକୁ ଯଥାର୍ଥ କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ବିଧାନସଭା ଶୂନ୍ୟକାଳରେ ଉଠିଛି ଶିକ୍ଷକଙ୍କ ପ୍ରସଙ୍ଗ ।  କଂଗ୍ରେସ କହିଛି ଶୀତ ରାତିରେ ଶିକ୍ଷକମାନେ ରାଜରାସ୍ତାରେ ବସିଛନ୍ତି । କିନ୍ତୁ ମନ୍ତ୍ରୀ ସେମାନଙ୍କ ପାଖକୁ ଯାଇ ଆଲୋଚନା କରୁନାହାନ୍ତି । ଲକ୍ଷାଧିକ ଶିକ୍ଷକ ଆନ୍ଦୋଳନରେ ଥିବାରୁ ସ୍କୁଲରେ ପାଠପଢ଼ା ପ୍ରଭାବିତ ହେଉଛି । ତେଣୁ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସରକାର ଆଲୋଚନା କରିବା ଦରକାର । ବିଜେପି ମଧ୍ୟ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଶିକ୍ଷକ ସହ ଆଲୋଚନା କରିବାକୁ ଦାବି କରିଛି । ତେବେ ବିଜେଡିର ଜବାବ୍ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିବା ପରେ କିଛି ଶିକ୍ଷକ ଏଥିରୁ ବାଦ୍ ପଡ଼ିଛନ୍ତି । ତାକୁ ମଧ୍ୟ ବିଚାରକୁ ନିଆଯିବ । ତେବେ ଆଇନଶୃଙ୍ଖଳା ଉପରେ ସରକାର ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି ।

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ବିରୋଧୀ  ହଟ୍ଟଗୋଳ କରିବା ପରେ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ ଶିକ୍ଷକ ଆନ୍ଦୋଳନକୁ ନେଇ ଗୃହରେ ରୁଲିଂ ଦେଇଥିଲେ ବାଚସ୍ପତି । ସରକାର ଶିକ୍ଷକ ଆନ୍ଦୋଳନ ପ୍ରତି ସ୍ବତନ୍ତ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ।

Spread the love