ଭାରତ ସମେତ ଏହି ୭ ଦଳ ବିଶ୍ଵ କପ୍ ୨୦୨୩ ପାଇଁ କଲେ କ୍ଵାଲିଫାଏ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଭାରତରେ ଖେଳାଯିବ ବିଶ୍ଵ କପ୍ ୨୦୨୩। ମୋଟ୍ ୧୦ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଏହି କ୍ରମରେ ସାତୋଟି ଦଳ ବିଶ୍ଵ କପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ୨୦୨୩ ଦିନିକିଆ ବିଶ୍ଵ କପ୍ ପାଇଁ ସେହି ଦଳର ତାଲିକା ଜାରି କରିଛି, ଯେଉଁମାନେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଆୟୋଜକ ଦେଶ ହୋଇଥିବା କାରଣରୁ ଭାରତକୁ ସିଧାସଳଖ ପ୍ରବେଶ ମିଳିଛି। ଅନ୍ୟ ଛଅ ଦଳ ହେଉଛି ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନ। ଏହି ତାଲିକାରେ ସାମିଲ୍ ହୋଇଥିବା ନୂଆ ଦଳ ହେଉଛି ଆଫଗାନିସ୍ତାନ। ରବିବାର ଶ୍ରୀଲଙ୍କା ବିପକ୍ଷରେ ଦ୍ଵିତୀୟ ଦିନିକିଆ ବର୍ଷା ଯୋଗୁଁ ଧୋଇ ହୋଇଯିବାରୁ ଆଫଗାନିସ୍ତାନକୁ ବିଶ୍ଵ କପ୍ ୨୦୨୩ର ଟିକେଟ୍ ମିଳିଛି।

ସୂଚନାଯୋଗ୍ୟ, ବିଶ୍ଵ କପ୍‌ ୨୦୨୩ ପାଇଁ ମୋଟ୍ ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରି ପାରିବେ। ଏମିତିରେ ଆଉ ଗୋଟିଏ ସ୍ଥାନ ଖାଲି ରହିଛି। ଏହି ସ୍ଥାନ ପାଇଁ ତିନି ଦାବିଦାର ଦକ୍ଷିଣ ଆଫ୍ରିକା, ଓ୍ଵେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ରହିଛି। ସଦ୍ୟତମ ତାଲିକା ଅନୁସାରେ, ଓ୍ଵେଷ୍ଟଇଣ୍ଡିଜ ୮୮ ପଏଣ୍ଟ ସହ ଅଷ୍ଟମ, ଶ୍ରୀଲଙ୍କା ୬୭ ପଏଣ୍ଟ ସହ ଦଶମ ଏବଂ ୫୯ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୧୧ତମ ସ୍ଥାନରେ ରହିଛି। ଏବେ ଦେଖିବା ବାକି ରହିଲା କେଉଁ ଦଳ ବିଶ୍ଵ କପ୍ ୨୦୨୩ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରି ପାରୁଛି।

ଆଇସିସି କ୍ରିକେଟ୍ ବିଶ୍ଵ କପ୍‌ ସୁପର ଲିଗ୍‌ର ଏହା ହେଉଛି ପ୍ରଥମ ସଂସ୍କରଣ। ଏହି ଲିଗ୍ ଜରିଆରେ ଭାରତ ସମେତ ମୋଟ୍ ୮ଟି ଦଳ ୨୦୨୩ ବିଶ୍ଵ କପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ବାକି ଦୁଇ ଦଳର ଚୟନ ବିଶ୍ଵ କପ୍ କ୍ଵାଲିଫାୟର ଜରିଆରେ କରାଯିବ। ସୁପର ଲିଗ୍‌ରେ ମୋଟ୍ ୧୩ଟି ଦଳ ଅଂଶଗ୍ରହଣ କରିଛନ୍ତି। ସୁପର ଲିଗ୍‌ରେ ପ୍ରତିଟି ଦଳକୁ ୪ ଘରେ ଏବଂ ୪ ବାହାରେ ଅର୍ଥାତ ମୋଟ୍ ୮ ସିରିଜ୍‌ ଖେଳିବାକୁ ପଡିବ। ପ୍ରତିଟି ସିରିଜ୍‌ରେ ମୋଟ୍ ୩ଟି ମ୍ୟାଚ୍ ରହିବ। ଜିତିବା ଦଳକୁ ୧୦ ପଏଣ୍ଟ, ଟାଇ/ପରିଣାମ ନବାହାରିଲେ ୫ ପଏଣ୍ଟ ମିଳିବ।

Spread the love