୬୨,୨୭୧ଟି ପ୍ଲଟରେ ହୋଇନି ଧାନ ଚାଷ, ତନାଘନା ଆରମ୍ଭ

କେନ୍ଦୁଝର୦୧/୧୨: ସାଟେଲାଇଟ୍‌ ସର୍ଭେରୁ ଜଣାପଡ଼ିଲା ପ୍ରକୃତ ସତ୍ୟ। ଖୋଲିଲା ନକଲି ଚାଷୀଙ୍କ ମୁଖା । ଏପରି ଏକ ଘଟଣା କେନ୍ଦଝର ଜିଲ୍ଲାରେ ଦେଖିବାକୁ ମିଳିଛି। ଧାନ ବିକ୍ରି କରିବାପାଇଁ  ମିଲର୍‌ଙ୍କ ସହିତ କିଛି ଅସାଧୁ ବ୍ୟବସାୟୀମାନେ ଅଣଧାନ ଜମିକୁ ଚାଷୀଙ୍କ ନାମରେ ପଞ୍ଜୀକଣ କରି ପ୍ରତିବର୍ଷ କଳା କାରବାର କରିଥାନ୍ତି। ଏପରି ଭାବେ ଚଳିତ ବର୍ଷ ୬୨ ହଜାର୨୭୧ଟି ପ୍ଲଟରେ ଧାନ ଚାଷ ହୋଇନାହିଁ ବୋଲି ସାଟେଲାଇଟ୍‌ ସର୍ଭେରୁ ଜଣାପଡ଼ିଛି। ଏହି ସର୍ଭେ ରିପୋର୍ଟ ଆସିବାପରେ ଅଧିକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିବା ସହିତ ତନାଘନା ଆରମ୍ଭ ହୋଇଛି।

ଖବର ଅନୁସାରେ, କେନ୍ଦୁଝରରେ ମୋଟ ୧ ଲକ୍ଷ ୬୦ ହଜାର ୩୯୦ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କୃଷି ବିଭାଗର ଏହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ଏହି ଜମିରୁ ଅମଳ ହେଉଥିବା ଧାନ ବିକ୍ରି କରିବା ପାଇଁ  ଏବର୍ଷ ମୋଟ ୬୪,୦୬୦ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି। ଯେଉଁ ଚାଷୀମାନଙ୍କର ନାମ ପଞ୍ଜୀକୃତ ହୋଇଛି  ଓ ତାଙ୍କ ଜମିରେ ସେମାନେ ଚାଷ କରିଛନ୍ତି ବୋଲି ତଥ୍ୟ ଦେଇଛନ୍ତି, ସେଥିରୁ ୬୨, ୨୭୧ଟି ପ୍ଲଟରେ ଧାନ ଚାଷ ହୋଇ ନାହିଁ ବୋଲି ସାଟେଲାଇଟ ଇମେଜରୁ ଜଣାପଡ଼ିଲାଣି।

ସବୁଠୁ ବଡ଼ କଥା ହେଉଛି ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନରୁ ୨୦ ହଜାର ୮୧୧ ରୁ ଅଧିକ ପ୍ଲଟ ଚିହ୍ନଟ ହୋଇ ସାରିଲାଣି। ଯାହାକି ପୋଖରୀ ହୁଡ଼ା, ଅନ୍ୟାନ୍ୟ ଅବ୍ୟବହୃତ ପ୍ଲଟ ରହିଛି । ସେଥିରେ ପ୍ଲଟରେ କେବେବି ଧାନ ଚାଷ ହୁଏନାହିଁ।  ଅଥଚ ଚାଷୀଙ୍କ ଦ୍ବାରା ଏସବୁ ପ୍ଲଟ ପଞ୍ଜୀକରଣ କରାଯାଇଛି। ଧାନ ଚାଷ ନ କରି ଏଭଳି ଅଣ ଧାନ ଚାଷର ପ୍ଲଟକୁ ପଞ୍ଜୀକୃତ କରି କିଛି ଦଲାଲ ଶହଶହ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ପାଉଥିବା ଜଣାପଡ଼ିଛି। ଏହି ଦଲାଲ ବେପାରୀ ଓ ସୋସାଇଟି ସମ୍ପାଦକଙ୍କ ସଲାସୁତୁରାରେ ଚାଷୀ ଟୋକନ୍‌ରେ ବିପୁଳ ପରିମାଣର ଧାନ ବିକି ମାଲେମାଲ୍ ହେଉଥିଲେ। ବିନା ତଦନ୍ତରେ ଚାଷୀ ଜମି ପଞ୍ଜୀକରଣ କରିବା କାରଣରୁ ଏପରି ସମ୍ଭବ ହେଉଥିଲା। ଏହାଦ୍ବାରା ନକଲି ଚାଷୀ ନାଁରେ ହଜାର ହଜାର କୁଇଣ୍ଟାଲ୍ ଧାନ ବିକ୍ରି ହେଇଯାଉଥିବା ବେଳେ ପ୍ରକୃତ ଚାଷୀ କିନ୍ତୁ ମଣ୍ତିରେ ଧାନ ବିକିବାରୁ ବଞ୍ଚିତ ହେଉଥିଲେ।

ଟୋକନ୍ ଅବଧି ସରିଯାଉଥିଲା ପଛେ ପ୍ରକୃତ ଚାଷୀ ମଣ୍ତିରେ ଧାନ ଦେଇ ନ ପାରି ଅଭାବି ବିକ୍ରିର ଶିକାର ହେଉଥିଲେ। ଏଭଳି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଜୀକରଣ ହୋଇଥିବା ପ୍ଲଟ ଗୁଡ଼ିକର ସାଟେଲାଇଟ ଇମେଜ ନିଆଯାଇଥିଲା। ଏହି ସାଟେଲାଇଟ ଇମେଜରୁ ଏବେ ଏଭଳି ରୋଚକ ତଥ୍ୟ ସମ୍ମାନକୁ ଆସିଛି। ଅର୍ଥାତ କେନ୍ଦୁଝର ଜିଲ୍ଲାରେ ମୋଟ ୬୨, ୨୭୧ଟି ପ୍ଲଟରେ ଧାନ ଚାଷ ହୋଇ ନାହିଁ ବୋଲି ଜଣାପଡ଼ିଛି। ଏହି ତଥ୍ୟ ଆସିବା ପରେ ଏନେଇ ତଦନ୍ତ ଆରମ୍ଭ ହୋଇଛି। ଲ୍ୟାମ୍ପ ଓ ସୋସାଇଟିର ସମ୍ପାଦକ, ସହକାରୀ ସମ୍ପାଦକ, ଡାଟା ଏଣ୍ଟ୍ରି ଅପରେଟର, ରାଜସ୍ୱ ନିରିକ୍ଷକ, ବ୍ଲକ୍ କୃଷି ବିଭାଗ କର୍ମଚାରୀଙ୍କୁ ନେଇ ଗଠିତ କମିଟି ଚାଷ ଜମିକୁ ଯାଇ ବାସ୍ତବରେ ଧାନ ଫସଲ ହୋଇଛି କି ନାହିଁ, ତାହା ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଏବେ ବିନା ଯାଞ୍ଚରେ ଏତେ ପରିମାଣର ନକଲି ପ୍ଳଟ ପଞ୍ଜିକରଣ  କିପରି ହେଲା ତାକୁ ନେଇ ସମବାୟ ନିମନ୍ଧକ ମୁହଁ ଖୋଲୁ ନଥିବା ବେଳେ, ଠିକ ସମୟରେ ଯାଞ୍ଚ ସାରି ଧାନ କିଣା ଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।

Spread the love