ପୁଣି ପୁରୁଣା ପେନସନ ଯୋଜନା ଲାଗୁ କରିବ ବିଜେପି ସରକାର ?

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହ ଜଡିତ ଅନେକ ନେତାଙ୍କ ସହ ବୈଠକ କରିଛନ୍ତି । ଏହି ସମୟରେ ଅନେକ ନେତା ତାଙ୍କୁ ପୁରୁଣା ପେନସନ ବ୍ୟବସ୍ଥା ପୁଣି ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ନଭେମ୍ୱର ୨୧ରୁ ୨୮ ମଧ୍ୟରେ ଆୟୋଜିତ ଏହି ବୈଠକରେ ସଂଘର ଅନେକ ନେତା ଆସନ୍ତା ବଜେଟରେ ୫୧ ଗୋ-କେନ୍ଦ୍ରିକ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ପରାମର୍ଶ ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବର ଏହି ପୂର୍ଣ୍ଣକାଳୀନ ବଜେଟରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତରେ କୃଷକଙ୍କ ପାଇଁ ସର୍ବନିମ୍ନ ସହାୟକ ଆୟରେ ବୃଦ୍ଧିକୁ ମୁଦ୍ରାସ୍ଫୀତି ସହ ଯୋଡାଯାଉ । ଏହାସହ ଅଧିକ ରୋଜଗାର ସୃଜନ କରିବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଛି ।

ସଂଘ ସହ ଜଡିତ ସଂଗଠନ ଭାରତୀୟ ମଜଦୂର ସଂଘ, ଭାରତୀୟ କିଷାନ ସଂଘ ଏବଂ ସ୍ୱଦେଶୀ ଜଗରଣ ମଞ୍ଚ ସ୍ୱଦେଶୀ ଅର୍ଥବ୍ୟବସ୍ଥାକୁ ଆତ୍ମନିର୍ଭର କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦେଇଛି । ନଭେମ୍ୱର ୨୨ରେ ବୈଠକ ସମୟରେ ଭାରତୀୟ କିଷାନ ସଂଘର ନେତାମାନେ ଚାଷୀଙ୍କ ଆୟ ବଢାଇବା ଉପାୟ ଉପରେ ଜୋର ଦେବାକୁ ଅର୍ଥ ମନ୍ତ୍ରୀଙ୍କୁ କହିଛନ୍ତି । ଏହାସହ ମୁଦ୍ରାସ୍ଫୀତି ଯୋଡି ପିଏମ କିଷାନ ସମ୍ମାନ ନିଧି ରାଶିକୁ ବଢାଇବାକୁ ପରାମର୍ଶ ଦେଇଛନ୍ତି । ସାରା ଦେଶରେ ୨୨୦୦୦ ହାଟ ବିକଶିତ କରିବାକୁ ପରାମର୍ଶ ଦେଇଛି ଭିକେସି । ୨୦୧୮-୧୯ ବଜେଟରେ ଅରୁଣ ଜେଟଲୀ ଏଥିପାଇଁ ୨୦୦୦ କୋଟି ଟଙ୍କାର ପ୍ରବଧାନ କରିଥିଲେ । ଦ ପ୍ରିଣ୍ଟ ଅନୁସାରେ ସଂଘର ଶ୍ରମିକ ସଂଘ ଭାରତୀୟ ମଜଦୂର ସଂଘର ନେତମାନେ ନଭେମ୍ୱର ୨୮ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସହ ବୈଠକ କରି କର୍ମଚାରୀଙ୍କୁ ପୁରୁଣା ପେନସନ ବ୍ୟବସ୍ଥାକୁ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ପୁରୁଣା ପେନସନ ବ୍ୟବସ୍ଥାକୁ ୨୦୦୪ ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ହଟାଯାଇଥିଲା ଏବଂ ଏହା ପରିବର୍ତ୍ତେ ନୂଆ ପେନସନ ବ୍ୟବସ୍ଥା ଲାଗୁ କରାଯାଇଥିଲା ।      

Spread the love