ରାତିରେ ମା’ ଓ ସକାଳେ ବର ବାପାଙ୍କ ହେଲା ମୃତ୍ୟୁ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ହୋଇଥିବା ବଡ଼ଧରଣର ସିଲିଣ୍ଡର ବିସ୍ଫୋରଣରେ ଏଯାବତ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ମଙ୍ଗଳବାର ସକାଳେ ଅନ୍ୟ ୪ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ବର ସୁରେନ୍ଦ୍ର ସିଂହଙ୍କ ବାପା ବି ରହିଛନ୍ତି। ଏହାପୂର୍ବରୁ ଗତ ସୋମବାର ରାତିରେ ସୁରେନ୍ଦ୍ରଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାର ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ସାମିଲ ରହିଛନ୍ତି।

ଗୁରୁବାର ବିଜୟ ସିଂହଙ୍କ ସାନ ଝିଅଙ୍କ ବିବାହ ପାଇଁ ବରଯାତ୍ରୀ ଶେରଗଡର ଭୁଙ୍ଗରା ଗ୍ରାମରୁ ଆସିବାର ଥିଲା। ତେବେ ଏଠାରେ ବିବାହ ପାଇଁ ଜୋର‌ସୋର ପ୍ରସ୍ତୁତି ଚାଲିଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହୋଇଯାଇଥିଲା। ଏହି ଦୁର୍ଘଟଣା ଯୋଗୁ ୬୦ ଜଣ ନିଆଁରେ ଜଳି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ।

୫୨ଜଣ ପୀଡିତାଙ୍କୁ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ୩ ମହିଳା ଏବଂ ୨ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେତେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସମସ୍ତ ସମ୍ଭାବ୍ୟ ଚିକିତ୍ସାର ଖର୍ଚ୍ଚ ରାଜ୍ୟସରକାର ବହନ କରିବେ ବୋଲି ଆହତଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି।

ଅନ୍ୟପଟେ ଚିରଞ୍ଜୀବୀ ଯୋଜନା ଅନୁଯାୟୀ ଆହତମାନଙ୍କୁ ୧ଲକ୍ଷ ଟଙ୍କା ଏବଂ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଗେହଲଟ ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ସରକାର ୨ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ।

Spread the love