ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କଲେ ଭିକାରୁଣୀ

ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନକଲେ ଭିକାରୁଣୀ। ୬୦ ବର୍ଷୀୟା ଏହି ଭିକାରୁଣୀଙ୍କ ନାମ ତୁଳା ବେହେରା। ସେ ଫୁଲବାଣୀ ସହରରେ ଭିକମାଗି ଚଳନ୍ତି। ଏହି ଭିକ ଟଙ୍କା ମଧ୍ୟରୁ କିଛିକିଛି ଟଙ୍କା ତାଙ୍କ ନାମରେ ଥିବା ପୋଷ୍ଟାଲ ଆକାଉଣ୍ଟରେ ଜମା କରୁଥିଲେ। ଏହି ସଞ୍ଚୟ ଟଙ୍କା ମଧ୍ୟରୁ ପ୍ରାୟ ୧ ଲକ୍ଷ ଟଙ୍କାକୁ ସେ ଆଜି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦାନ କରିଛନ୍ତି।

ତୁଳା କହିଛନ୍ତି, ‘ମୋର ସବୁକିଛି ସେହି ଜଗନ୍ନାଥ। ତାଙ୍କରି ଶରଣ ପଶିଛି। ତାଙ୍କୁ ସବୁ ଦେଇଛି, ଆଗକୁ ବି ଦେବି। ମାଗି ମାଗି ଠୁଳ କରିଥିବା ଟଙ୍କାକୁ ତାଙ୍କୁ ଦେଇଦେଲି। ଏହି ଟଙ୍କା ଶ୍ରୀଜଗନ୍ନାଥଙ୍କ ମନ୍ଦିର ତୋଳିବା କାମରେ ବ୍ୟବହୃତ ହେଉ। ମୁଁ ଏକ ଝୁପୁଡ଼ିରେ ରୁହେ। ହେଲେ ମୋ ସମୟ ତ ସରିଲା, ଆଉ ଘର କ’ଣ ହେବ। ପୁଅ-ଝିଅ ବି କେହି ନାହାନ୍ତି। ତେଣୁ ଶ୍ରୀଜଗନ୍ନାଥଙ୍କୁ ରଖିଥିବା ଟଙ୍କା ଦାନ କରିଦେଲି।’

ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସଭାପତି ସୁନାଶୀର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଏବଂ ଅନ୍ୟ ସଦସ୍ୟ ମାନେ ଏହି ଦାନ ଅର୍ଥକୁ ଗ୍ରହଣ କରିବା ସହ ତୁଳାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ତୁଳାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଅନ୍ୟପଟେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିବାକୁ ମନ୍ଦିର କମିଟି ଦାୟିତ୍ୱ ନେଇଥିବା ସୂଚନା ଦେଇଛନ୍ତି କମିଟିର ସଦସ୍ୟ ରଜତ କୁମାର ମହାନ୍ତି।

ସେପଟେ ଜଣାପଡ଼ିଛି, ଅନେକ ବର୍ଷ ତଳୁ ତାଙ୍କ ସ୍ଵାମୀଙ୍କ ପରଲୋକ ହୋଇଯାଇଛି। ଏବେ ସେ ପୂରା ଏକାକୀ ହୋଇଯାଇଛନ୍ତି। ମନ୍ଦିର ସାମ୍ନାରେ ଥିବା ଗୋଟିଏ କୁଡିଆ ଘରେ ରହୁଛନ୍ତି। ବହୁ ଝଡ଼ଝଞ୍ଜା ଭିତରେ ସେ ଅହରହ ସଂଗ୍ରାମ କରିଚାଲିଥିଲେ ହେଁ ଠାକୁରଙ୍କ ଉପରେ ରହିଥିବା ତାଙ୍କର ଆସ୍ଥା ସମସ୍ତଙ୍କୁ ହତବାକ୍ କରିଛି।

ତୁଳା’ଙ୍କ ପ୍ରକୃତ ଘର ହେଲା କଟକ ଜିଲ୍ଲା ଚାଉଳିଆଗଞ୍ଜ ଅଞ୍ଚଳରେ। କଟକରେ ସେ ରହଣି ସମୟରେ କନ୍ଧମାଳ ଜିଲ୍ଲା ଦୁବଗଡ଼ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତାହା ପରେ ଦୁହେଁ ପ୍ରେମ ବିବାହ କରି କଟକ ଛାଡ଼ି ଦୁବଗଡ ଗ୍ରାମରେ ଆସି କିଛି ଦିନ ରହିଥିଲେ। ତେବେ ଆକସ୍ମିକ ଭାବେ ପ୍ରଫୁଲ୍ଲଙ୍କର ମୃତ୍ୟୁ ହୋଇଥିଲା। ତାହାପର ଠାରୁ ତୁଳା ଫୁଲବାଣୀ ସହରରେ ଏକା ହୋଇଯାଇଥିଲେ।

ପ୍ରଥମେ ସେ ମୂଲମଜୁରୀ କରି ଚଳୁଥିଲେ। ପରେ ବିଭିନ୍ନ ଲୋକଙ୍କ ଘରେ କାମ କରି ଗୁଜୁରାଣ ଚଳାଇଥିଲେ। ବଳ ବୟସ ଖସିବାରୁ ସେ ପରେ ଭିକମାଗି ଚଳି ଆସୁଛନ୍ତି। ସେପଟେ ଭିକରେ ଯାହା ମିଳେ ସେଥିରୁ ଆବଶ୍ୟକ ଟଙ୍କା ନିଜ ଖର୍ଚ୍ଚ ପାଇଁ କିଛି ରଖି ବଳକା ଟଙ୍କାକୁ ଦୀର୍ଘ ବର୍ଷ ହେବ ଫୁଲବାଣୀର ଏକ ଡାକ ଘରେ ଜମା ଖାତାରେ ରଖୁଥିଲେ। ଡାକଘରେ ଜମାଖାତା ଖୋଲି ଟଙ୍କା ସଞ୍ଚୟ କରିବାରେ ତାଙ୍କୁ ଫୁଲବାଣୀ ଜଗନ୍ନାଥ ମନ୍ଦିରର ପୂଜକ ଶଙ୍କର ପାଢୀ ସହଯୋଗ କରୁଥିଲେ। ଏହି ଜମା ଖାତାରେ ରଖିଥିବା ୧ ଲକ୍ଷ ଟଙ୍କାକୁ ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Spread the love