ଓଡ଼ିଶାରେ ହକିର ଇତିହାସ ଓ ହକି ବିଶ୍ୱକପର ଆୟୋଜନକୁ ଏନସିଇଆରଟି ପାଠ୍ୟପୁସ୍ତକରେ ସାମିଲ କରାଯିବ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ହକି ଇତିହାସର ଉପଲବ୍ଧି ଓ ହକି ବିଶ୍ୱକପର ଆୟୋଜନକୁ ଏନସିଇଆରଟି ପାଠ୍ୟପୁସ୍ତକରେ ଉଲ୍ଲେଖ କରାଯିବ ବୋଲି ଗୁରୁବାର ଲୋକସଭା ଭବନରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ମାଧ୍ୟମରେ ଓଡ଼ିଶାର କଳା, ଐତିହ୍ୟ ଓ ପରମ୍ପରାକୁ ସର୍ବୋଚ୍ଚ ବ୍ରାଣ୍ଡିଂ କରିବା ନେଇ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେବା ସହ କହିଛନ୍ତି ଯେ ସମଗ୍ର ଭାରତବର୍ଷ ସବୁବେଳେ ହକି ଖେଳରେ ନିଜର ଦକ୍ଷତା ଦେଖାଇଛି । ଓଡ଼ିଶାର ଜନଜାତି ଯୁବ ଯୁବତୀଙ୍କ ଅତ୍ୟନ୍ତ ପ୍ରିୟ ଖେଳ ହେଉଛି ହକି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସଠିକ୍ ଖେଳାଳୀ ମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା କାରଣରୁ ଦେଶର ଯୁବକମାନେ ଆଗାମୀ ଅଲିମ୍ପିକ ପାଇଁ ନିଜକୁ ପ୍ରସ୍ତୁତ କରିପାରୁଛନ୍ତି । ଯେତେବେଳେ ଓଡ଼ିଶା ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରୁଥିବ, ସେହି ବର୍ଷ ଭାରତରେ ଅଲିମ୍ପିକ ହେବାର ସମ୍ଭାବନା ଅଛି । ଏଥର ଓଡ଼ିଶାରୁ ୭ ଜଣ ଖେଳାଳୀ ଅଲିମ୍ପିକ ଖେଳିବା ପାଇଁ ଯାଇଥିଲେ । ୨୦୩୬ ଅଲିମ୍ପିକ ସୁଦ୍ଧା ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ବିଶେଷ ଭାବରେ ଓଡ଼ିଶାର ଆଦିବାସୀ ଓ ପଛୁଆ ବର୍ଗର ପିଲାମାନେ କେମିତି ଯୁବକ ଯୁବତୀ ଅଲିମ୍ପିକ ଖେଳିବା ପାଇଁ ଯିବେ, ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛତାର ଜନଆନ୍ଦୋଳନ ଆରମ୍ଭ କରିଛନ୍ତି । ଭାରତ ସରକାରଙ୍କ ବ୍ୟୟବରାଦରେ ସ୍ମାର୍ଟ ସିଟି ଭୁବନେଶ୍ୱର ଓ ରାଉରକେଲାରେ ନୂଆ ନୂଆ ପ୍ରକଳ୍ପ ହୋଇଛି । ବିଶ୍ୱକପ ଅବସରରେ ଏହି ଦୁଇ ସ୍ମାର୍ଟ ସିଟିରେ ସ୍ୱଚ୍ଛତା ଆନ୍ଦୋଳନରେ ଲୋକଙ୍କୁ ସାମିଲ କରାଯାଉ । ସ୍ଥାନୀୟ ଖେଳର ପ୍ରଚାର ପ୍ରସାର କରିବା ସହ ରାଜ୍ୟକୁ ଆସୁଥିବା ୧୬ଟି ଦେଶର ଖେଳାଳି ମାନଙ୍କ ପାଇଁ ସେମାନଙ୍କ ଭାଷାରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଉପରେ ଏକ କଫି ଟେବୁଲ ପୁସ୍ତକ ପ୍ରସ୍ତୁତ କରାଯାଉ । ଏହାସହ ରାଉରକେଲା-ଭୁବନେଶ୍ୱର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ସହ ଖେଳାଳିଙ୍କୁ ରାଜ୍ୟରେ ଉତ୍ପାଦିତ ସାମଗ୍ରୀକୁ ଉପହାର ଦେବା ପାଇଁ ଶ୍ରୀ ପ୍ରଧାନ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦେଇଥିବା କହିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଭାରତରେ ମିଲେଟ୍ ବର୍ଷ ପାଳନ କରାଯିବ । ଏ ଦୃଷ୍ଟିରୁ ବିଶ୍ୱକପରେ ଖେଳାଳି ମାନଙ୍କ ଭୋଜନରେ ଆମର ମାଣ୍ଡିଆକୁ ପ୍ରାଥମିକତା ଦେବା ପାଇଁ ବୈଠକରେ ସେ ପ୍ରସ୍ତାବ ଦେଇଛନ୍ତି ।ଦେଶରେ ତଥା ରାଜ୍ୟରେ କ୍ରମାଗତ ଦୁଇ ଥର ହକି ବିଶ୍ୱକପ ଆୟୋଜନ ହେବା ଗର୍ବର ବିଷୟ । ହକି ବିଶ୍ୱକପ୍ ପାଇଁ ଭାରତବର୍ଷର ସବୁ ସ୍କୁଲ କଲେଜ ଗୁଡିକୁ ନିମନ୍ତ୍ରଣ କରାଯିବାର ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ।

ଭାରତ, ଜି-୨୦ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଆସନ୍ତା ଏପ୍ରିଲ ଓ ମଇ ମାସରେ ଓଡ଼ିଶା ସହ ଜଡ଼ିତ ଶିକ୍ଷା, ଶକ୍ତି ଏବଂ ସଂସ୍କୃତି ବିଭାଗକୁ ନେଇ ଜି-୨୦ର ଓ୍ୱାର୍କିଂ ଗ୍ରୁପର ବୈଠକ ହେବ । ଏହି ବୈଠକ ଦ୍ୱାରା ଭାରତ ଏବଂ ଓଡ଼ିଶାର ଗୌରବ ବଢିବ । ବିଶ୍ୱ ସ୍ତରରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ ବ୍ୟଞ୍ଜନ ପ୍ରସିଦ୍ଧ ହେବ। ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Spread the love