ଆଉ ଉପାସ ରହିବେନି ପ୍ରଭୁ ଲିଙ୍ଗରାଜ । ସ୍ୱାଭାବିକ ହେଲା ନୀତିକାନ୍ତି

ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି । ତୁଟିଲା ୩ ଦିନ ଧରି ଚାଲିଥିବା ଅଚଳାବସ୍ଥା । ସର୍କିଟ ହାଉସ ବୈଠକ ପରେ ନୀତିକାନ୍ତି ପାଇଁ ବାହାରିଛି ସମାଧାନର ବାଟ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ କରାଯାଇଛି । ନୂଆ ବର୍ଷ ଦିନ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ଦେଖା ଦେଇଥିଲା ବିବାଦ । ପରେ ମହାପ୍ରଭୁଙ୍କ ୩ ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା । ମନ୍ଦିରରେ ଅଚଳାବସ୍ଥା ଲାଗି ରହିଥିବା କାରଣରୁ ଲଗାତାର ତିନି ଦିନ ହେଲା ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ୩ଦିନ ହେଲା ସମସ୍ତ ନୀତିକାନ୍ତି ବନ୍ଦ ରହିବାକୁ ବିରୋଧ କରିଥିଲେ ସେବା ପ୍ରତିନିଧି ।

ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କରି ସେବା ପ୍ରତିନିଧି ଧାରଣା ଦେଇଥିଲେ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିବା କଥା ହେଲା ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା ପରମ୍ପରା ରହିଛି । କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବଂଟାଯାଇଥିବା ଅଭିଯୋଗ ହୋଇଥିଲା । ସେପଟେ ଭୋଗ ବିକ୍ରୀ କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଛି, ସମସ୍ତ ଭୋଗକୁ ପୋତାଯାଇଛି । ଆବଶ୍ୟକ ହେଲେ ସିସିଟିଭି ଯାଂଚ କରାଯାଉ । ଏହି ବିବାଦରୁ ନୀତିକାନ୍ତି ବନ୍ଦ ରହିଥିଲା ଓ ଦୁଇ ନିଯୋଗ ପରସ୍ପରକୁ ଦୋଷ ଦେଉଥିଲେ । ଅଚଳାବସ୍ଥା ତୁଟାଇବାକୁ କାଲି ବୈଠକ ଡାକିଥିଲେ ପ୍ରଶାସନ, କିନ୍ତୁ ବୈଠକକୁ ବ୍ରାହ୍ମଣ ନିଯୋଗ ସଦସ୍ୟ ନ ଆସିବାରୁ ନିଷ୍କର୍ସ ବାହାରି ପାରିନଥିଲା ।

Spread the love