ଓଡ଼ିଶାର ୩ କୋଟି ୨୫ ଲକ୍ଷ ନାଗରିକ ମୋଦି ସରକାର ଦେଉଥିବା ମାଗଣା ଚାଉଳ ପାଉଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩.୨୫ କୋଟି ହିତାଧିକାରୀଙ୍କୁ ମୋଦି ସରକାର ଦେଉଥିବା ମାଗଣା ଚାଉଳକୁ ରାଜ୍ୟ ସରକାର ଠିକ୍ ଭବେ ବିତରଣ କରନ୍ତୁ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଘୋଷଣା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଖାଦ୍ୟାନ୍ନର ୯୦ ରୁ ୯୫ ଭାଗ ମୋଦି ସରକାର ଦେଉଥିବା ବେଳେ ଅବଶିଷ୍ଟ ଭାଗ ରାଜ୍ୟ ସରକାର ଦେଉଥିଲେ । ଏବେ ଦେଶରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ମାସକୁ ୫କେଜି ଚାଉଳ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

ଓଡ଼ିଶାର ୪.୫ କୋଟି ନାଗରିକମାନଙ୍କ ମଧ୍ୟରୁ ୩ କୋଟି ୨୫ ଲକ୍ଷ ନାଗରିକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ପ୍ରଦାନ କରାଯାଉଛି । ଆଜି ବଜାର ମୂଲ୍ୟ ଅନୁସାରେ ବର୍ତ୍ତମାନ୍ କେଜି ପିଛା ୩୭ ଟଙ୍କା ୨୮ ପଇସା ଖର୍ଚ୍ଚ ହେଉଛି । ଅର୍ଥାତ୍ ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦ୍ର ସରକାର ବର୍ଷକୁ ପ୍ରାୟ ୮,୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ମାତ୍ର ୧୮୫ କୋଟି ଦେଉଛନ୍ତି ।

ମୋଦି ସରକାର ଓଡ଼ିଶାରେ ପ୍ରାୟ ୮୦ ଭାଗ ଲୋକଙ୍କର ବିନା ମୂଲ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିବାର ଦାୟିତ୍ୱ ନେଇଛନ୍ତି । ବିତରଣର ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ନିର୍ଭୁଲ ଓ ନିର୍ଦ୍ଦିଷ୍ଟ ଲାଭାର୍ଥୀଙ୍କୁ ଚାଉଳ ଦେବା ପାଇଁ ଚାଉଳ ବିତରଣ ପ୍ରଣାଳୀରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନେକ ସହାୟତା ଦେଇଛନ୍ତି । କମ୍ପ୍ୟୁଟରକରଣ, ଆଧୁନିକୀକରଣ ଓ ଆକାଉଣ୍ଟିଂ ଭଳି ସହଯୋଗ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ନିର୍ଭୁଲ ଭାବରେ ସଠିକ୍ ହିତାଧିକାରୀଙ୍କୁ ଚାଉଳ ବିତରଣ କରିବା ନେଇ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

Spread the love