24 ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ନବରଙ୍ଗପୁର ଜିଲ୍ଲାପାଳ

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା ପଡ଼ିଲା ମହଙ୍ଗା l ନବରଙ୍ଗପୁର ଜିଲ୍ଲାରେ 2010 ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ 12 ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା 24 ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ l ବିନା ଛୁଟିରେ ବହୁ ବର୍ଷ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ଉକ୍ତ ନିର୍ଦ୍ଦେଶକ୍ରମେ ବହୁ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ ଗଣ ଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବିଇଓଙ୍କୁ 20 ଜୁଲାଇ 2022 ତାରିଖରେ ଚିଠି କରାଯାଇଥିଲା l ଯାହାର ତଦନ୍ତ ପରେ ଜିଲ୍ଲାରେ 31ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ସ୍ପଷ୍ଟ ହୋଇଥିଲା l  ବ୍ଲକ ଶିକ୍ଷାବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରାଯାଇଥିଲା l ସେଥିରେ ମାତ୍ର 6 ଜଣ ହିଁ ଅନୁପସ୍ଥିତି ର ବିଭିନ୍ନ କାରଣ ଦେଇ ଉତ୍ତର ଦେଇଥିବାରୁ ସେମାନଙ୍କ ଚାକିରି ବଞ୍ଚିଯାଇଥିବାବେଳେ ଅନ୍ୟ 24 ଜଣ ଶିକ୍ଷକ 15 ଦିନ ସୁଦ୍ଧା କୌଣସି ଉତ୍ତର ଦେଇନଥିଲେ l

ଅନ୍ୟପଟେ କାରଣ ଦର୍ଶାଅ ଚିଠି ଜାରି ହେବା ଆଗରୁ କୋଷା ଗୁମୁଡ଼ା ବ୍ଲକର ଜଣେ ଶିକ୍ଷକ ଗତ ଅଗଷ୍ଟ ମାସରୁ ଚାକିରି ଛାଡ଼ି ଦେଇଥିବା ସୂଚନା ମିଳିଛି l ଜିଲ୍ଲାର 24 ଜଣ ଶିକ୍ଷକ କୌଣସି ଉତ୍ତର ଦେଇନଥିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟାଚ୍ୟୁତ କରିଛନ୍ତି l ଅନ୍ୟପଟେ ଶିକ୍ଷକମାନେ ଅନୁପସ୍ଥିତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ସେମାନଙ୍କ ସ୍ଥାନରେ ନୂତନ ଶିକ୍ଷକ ପଦବି ପୁରଣ ହୋଇପାରୁନଥିଲା l ତେଣୁ ବର୍ତ୍ତମାନ ପ୍ରଶାସନର ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ଵାଗତ ଜଣାଇଛନ୍ତି l

Spread the love