ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ

ପୁରୀ:  ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି ଅନୁଷ୍ଠିତ ହେବ । ରତ୍ନବେଦୀରେ ସୁନାବେଶ ହେବେ କଳାଠାକୁର । ସକାଳ ଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।

ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ଦେବାଭିଷେକ ନୀତି ଅନନ୍ୟ ଯାତ୍ରା ଅଟେ । ଆଜିର ଦିନରେ  ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ସଜିତ କରାଯିବ । ଗତକାଲି ଚତୁର୍ଦଶୀ ତିଥିରେ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ ।

ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ । ଏବଂ ଏହାପରେ ରତ୍ନସିଂହାସନରେ ମହାପ୍ରଭୁମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ  ଆଦି ବିବିଧ ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ  ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ ।

Spread the love