ଡେଲୋଏଟ୍, ଭୁବନେଶ୍ୱରରେ ସେଣ୍ଟର ଖୋଲି ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି– ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଜାନୁଆରୀ ୦୬ – ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ‘ଡେଲୋଏଟ’ ଭୁବନେଶ୍ୱରରେ ସେଣ୍ଟର ଖୋଲି ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି ବୋଲି ଶୁକ୍ରବାର କମ୍ପାନୀର “କାପାବିଲିଟି ଏନହାନ୍ସମେଣ୍ଟ ସେଣ୍ଟର”ର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କିଛି ବର୍ଷ ପୂର୍ବେ ଡାଭୋସ ଠାରେ ବିଶ୍ୱ ଅର୍ଥନୀତି ଫୋରମର ଏକ ବୈଠକରେ ସେ ଡେଲଏଟରର ଗ୍ଲୋବାଲ ସିଇଓ ପୁନୀତ ରେନଜେନଙ୍କୁ ଓଡ଼ିଶାରେ ଡେଲୋଏଟର ଏକ ସେଣ୍ଟର ଖୋଲିବା ପାଇଁ ଅନୁରୋଧ କରିଥିଲେ । ଆଜି ଏହା ବାସ୍ତବର ରୂପ ନେଇଥିବାରୁ ଶ୍ରୀ ପ୍ରଧାନ ଶ୍ରୀ ରେନଜନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆଜି ଏକ ବଡ଼ ଦିନ । ବିଶ୍ୱର ଅନେକ ସ୍ଥାନକୁ ଯିବାବେଳେ ଓଡ଼ିଆ ପିଲା ମାନଙ୍କୁ ଭେଟିବା ବେଳେ ସମସ୍ତଙ୍କ ମନରେ ଓଡ଼ିଶାରେ ସୁଯୋଗ ମିଳିବା ନେଇ ପ୍ରଶ୍ନ ଥିଲା । ମାତ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଓ ଇନୋଭେସନର ସ୍ୱପ୍ନ ସାକାର ହେଉଛି । ଦେଶରେ ଇନୋଭେସନ, ଟେକ୍ନୋଲୋଜି, ନୂଆ ଅର୍ଥନୀତିର ମଡେଲ ଧୀରେ ଧୀରେ ଉଭା ହେଉଛି । ଭୁବନେଶ୍ୱରରେ ଡେଲୋଏଟ ସେଣ୍ଟର ଏ ଦିଗରେ ଗୋଟିଏ ବଡ ପଦକ୍ଷେପ । ଏହି ସଂସ୍ଥାରେ ପିଲାମାନେ କାମ କଲେ ସେମାନଙ୍କର ଦକ୍ଷତା ବଢିବ । ଭାରତ ଯେତେବେଳେ ବିଶ୍ୱର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହେଉଛି ସେ ସମୟରେ ଡେଲୋଏଟର ଏହି କମ୍ପାନୀ ଦ୍ୱାରା ଭାରତ ମଧ୍ୟ ୧୫୦ଟି ଦେଶ ସହ ଯୋଡ଼ିହେବ । ଏହା ଦ୍ୱାରା ଆମର ଅର୍ଥନୀତି, ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପ୍ରସାର ଘଟିବ ।
ଅନେକ ବର୍ଷ ପୂର୍ବେ ଆଦିକବି ସାରଳା ଦାସ ପ୍ରଥମ ଭାଷାଭିତ୍ତିକ ମହାଭାରତର ରଚନା କରିଥିଲେ । ପ୍ରାୟ ଦୁଇ ଶହ ବର୍ଷ ପର୍ବେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି । ଏହା ଆମ ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାର ଚରମ ନିଦର୍ଶନ । ଆଉ ସେହି ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇ ଭୁବନେଶ୍ୱର ଠାରେ ନିଜ ଟେକ୍ନିକାଲ ସେଣ୍ଟର ସ୍ଥାପନ କରିଥିବାରୁ ଡେଲୋଏଟକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳରୁ ଆସି ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଓଡ଼ିଆ ପିଲାମାନେ ସୁଯୋଗ ପାଇଲେ ବୈଷୟିକ ଦକ୍ଷତା ପ୍ରତିପାଦିତ କରିପାରିବେ । ପିଲା ଦିନରୁ ଥିବା ମୋର ଏହି ଧାରଣା ବାସ୍ତବର ରୂପ ନେଉଛି । ଡେଲୋଏଟର ଟେକ୍ନିକାଲ ସେଣ୍ଟରରେ ନବନିଯୁକ୍ତ ଓଡ଼ିଆ ଯୁବପିଢି ଆନନ୍ଦପୁର, ସୋନପୁର, କଳାହାଣ୍ଡି, ଅନୁଗୋଳ, ବାରିପଦା, ରାଇରଙ୍ଗପୁର ଭଳି ଅଞ୍ଚଳକୁ ଡେଲୋଏଟକୁ ନେବା ପାଇଁ ବଡ ଭାଇ ଭାବେ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପୂର୍ବ ଭାରତର ବିକାଶ ବିନା ସମଗ୍ର ଭାରତର ବିକାଶ ଅସମ୍ଭବ ଏବଂ ଏଥିପାଇଁ ସେ ‘ପୂର୍ବଦୋୟ ମିଶନ’ର କଳ୍ପନା କରିଛନ୍ତି । ପୂର୍ବ ଭାରତର ବିକାଶ ଦ୍ୱାରା ଆମ ଦେଶ ଭାରତ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ ହେବା ସହ ପୁଣି ଥରେ ବିଶ୍ୱଗୁରୁ ଭାବରେ ବିବେଚିତ ହେବ । ରାଜ୍ୟରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଓଡ଼ିଶାରେ ଡେଲୋଏଟର ଟେକ୍ନିକାଲ ସେଣ୍ଟର ରାଜ୍ୟ ପାଇଁ ଅପାର ସମ୍ଭାବନା ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ଜାନୁଆରୀ ୨୩ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଥିବା ସମ୍ଭାବନା ନେଇ ଡେଲୋଏଟର ଗ୍ଲୋବାଲ ଚେୟାମ୍ୟାନର ସହ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଥିଲା । ପରେ ୨୦୧୯ ଫେବୃୟାରୀ ୨୨ ତାରିଖରେ ଡଲୋଏଟର ଓ୍ୱାର୍ଲଡକ୍ଲାସ ଇନିସିଏଟିଭ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନେଶ୍ୱର ଠାରେ ଡେଲୋଏଟର ସଂପ୍ରସାରଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଟ୍ୱିଟ୍ କରିବା ପରେ ତାଙ୍କୁ ଓ ଡେଲୋଏଟର ଗ୍ଲୋବାଲ ସିଇଓ ପୁନୀତ ରେନଜେନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାବ୍ୟତିତ ଗତବର୍ଷ ଅକ୍ଟୋବର ୦୭ ତାରିଖରେ ପ୍ରତ୍ୟକ୍ଷ ଭାବରେ ଶ୍ରୀ ପ୍ରଧାନ ଶ୍ରୀ ରେନଜେନଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଓଡ଼ିଶାରେ ଡେଲୋଏଟ ସେଣ୍ଟର ଖୋଲିବା ଅନୁରୋଧକୁ ରକ୍ଷା କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।