ମୋଦି ଦେଉଛନ୍ତି ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ, ଏଥିରେ ରାଜ୍ୟ ସରକାରଙ୍କ ଟଙ୍କାକର ଯୋଗଦାନ ନାହିଁ : ଗୋଲକ ମହାପାତ୍ର

ଭୁବନେଶ୍ୱର,ତା.୦୬/୦୧: ମୋଦୀ ସରକାର ଏବେ ଏକ ଐତିହାସିକ ନିଷ୍ପତି ନେଇଛନ୍ତି ଯେ, ଦେଶର ଖାଦ୍ୟ ସୁରକ୍ଷା ଆଇନରେ ଥିବା ୮୦କୋଟି ହିତାଧିକାରୀଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଇ ଦେବେ । ଓଡ଼ିଶାରେ ଏହି ଯୋଜନାରେ ୩କୋଟି ୨୫ଲକ୍ଷ ଲୋକ ଉପକୃତ ହେବା ସହ ମାସକୁ ୫କିଲୋ ମାଗଣା ଚାଉଳ ପାଉଛନ୍ତି । କେନ୍ଦ୍ର ସରକାର ଏହି ବାବଦରେ ମାସକୁ ୭ଶହ କୋଟି, ବର୍ଷରୁ ୮ହଜାର ୪୦୦ଶହ କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଯେଉଁ ଦିନ କେନ୍ଦ୍ର ସରକାର ନିଷ୍ପତି ନେଲେ ସମସ୍ତ ହିତାଧିକାରୀଙ୍କୁ ୩ ଟଙ୍କାରେ ମିଳୁଥିବା ଚାଉଳକୁ ମାଗଣା କରିଦେବାର ସେହି ଦିନ ରାଜ୍ୟ ସରକାର ଏକ ମିଛ ପ୍ରହେଳିକା ଆରମ୍ଭ କଲେ “ଆମେ ମାଗଣା ଚାଉଳ ଦେଉଛୁ” । ସମସ୍ତେ ଜାଣନ୍ତି କେନ୍ଦ୍ର ସରକାରଙ୍କର ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ସାମଗ୍ରିରେ ଆଗରୁ ଚାଉଳ କିଲୋ ପିଛା ଖର୍ଚ୍ଚ ହେଉଥିବା ୩୭ଟଙ୍କା ୨୮ପଇସାରେ କେନ୍ଦ୍ର ସରକାର ଦେଉଥିଲେ ୩୪ଟଙ୍କା ୨୮ପଇସା, ରାଜ୍ୟ ସରକାର ଦେଉଥିଲେ ମାତ୍ର ୨ଟଙ୍କା । ମାତ୍ର ୨ଟଙ୍କା ଦେଇ ସବୁ ବାଃ ବାଃ ସାଉଁଟୁଥିଲେ ମୁଖ୍ୟମନ୍ତ୍ରୀ ଓ ଏହାକୁ ବିଜୁ ଜନତା ଦଳ ଏକ ଭୋଟ ରାଜନୀତିରେ ପରିଣତ କରିଦେଇଥିଲା । ଏବେ ମୋଦି ସରକାର ଘୋଷଣା କରିଲେ ଯେ, ଏଣିକି ସବୁ ଅର୍ଥ କେନ୍ଦ୍ର ସରକାର ବହନ କରିବେ । ଫଳରେ ବିଜୁ ଜନତା ଦଳ ପାଇଁ ସାଧାରଣ ଲୋକଙ୍କ ଆଗରେ ରାଜନୈତିକ ଅସ୍ତିତ୍ୱର ସଂକଟ ଦେଖାଦେଇଛି । ଆଜି ବିଜୁ ଜନତା ଦଳ ସେମାନଙ୍କର ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛି ଯେ, କେନ୍ଦ୍ରରେ ଥିବା ମୋଦି ସରକାର ଓଡିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦିଅନ୍ତି ବୋଲି । ବିଜେଡି କେବେ ମାନୁନଥିଲା ଯେ, କେନ୍ଦ୍ର ଦେଉଛି କିନ୍ତୁ ଆଜି ଏହି କଥା ଓଡ଼ିଶାବାସୀଙ୍କ ଆଗରେ ମାନିଛନ୍ତି । ଏବେ ଆଉ ବିଜୁ ଜନତା ଦଳ ଲୋକଙ୍କୁ ମିଥ୍ୟାରେ ଭ୍ରମିତ କରିପାରିବନି ଯେ, ନବୀନ ବାବୁ ଚାଉଳ ଦେଉଛନ୍ତି ଯାହା ସେମାନେ କହିଆସୁଛନ୍ତି । ସେଥିପାଇଁ ସେମାନେ ଏବେ ନୂଆ ସୁଆଙ୍ଗ ଆରମ୍ଭ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଆଜି ବିଜୁ ଜନତା ଦଳର ବାହାପିଆ ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଯାହା କହିଛନ୍ତି ତାହା ସେମାନଙ୍କର ରାଜନୈତକ ଅସହାୟତାକୁ ଦର୍ଶାଉଛି । ଯଦି ସେମାନଙ୍କର ଆନ୍ତରିକତା ଅଛି ତାହେଲେ ମୋଦି ସରକାର ଯେଉଁ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ଆଜକୁ ୮ ବର୍ଷ ହେଲାଣି ମାଗଣା ଚାଉଳ ଓ ଗହମ ଦେଉଛନ୍ତି ସେମାନଙ୍କୁ ରାଜ୍ୟ ସରକାର ଆଉ ଅଧିକ ୫ କିଲୋ ଚାଉଳ ଦେଉ । ନିଜେ କିଛି ନକରି କେବଳ ମିଛ କାନ୍ଦଣା କାନ୍ଦିଲେ ଲୋକେ ହସିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜ୍ୟ ସରକାର ଏବେ ନୂଆ ବାହାନା ଭାବରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ନାଁରେ ଏକ ନୂଆ ପ୍ରହେଳିକା ସୃଷ୍ଟି କରିଛନ୍ତି । ରାଜ୍ୟ ସରକାରଙ୍କର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୮ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ଅନ୍ତର୍ଭୁକ୍ତ କରିଛନ୍ତି । ହେଲେ ପୁରା ସୋସିଆଲ ମିଡିଆରୁ ନେଇ ମିଡିଆରେ ପ୍ରଚାର ପ୍ରସାର ଏମିତି କରୁଛନ୍ତି ଯେମିତି ସବୁ ଲୋକଙ୍କୁ ନବୀନ ବାବୁ ଚାଉଳ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାରେ ୩କୋଟି ୨୫ଲକ୍ଷ । ରାଜ୍ୟ ସରକାରଙ୍କ ଯୋଜନାରେ ମାତ୍ର ୮ଲକ୍ଷ । କେନ୍ଦ୍ର ସରକାର ବର୍ଷକୁ ଖର୍ଚ୍ଚ କରୁଛନ୍ତି ୮୪୦୦କୋଟି ଟଙ୍କା, ରାଜ୍ୟ ସରକାର ଖର୍ଚ୍ଚ କରିବେ ମାତ୍ର ୧୮୫କୋଟି ଟଙ୍କା । ଯେଉଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କଥା ରାଜ୍ୟ ସରକାର ଏବେ ଉଠାଇଛନ୍ତି, ୨୦୧୮ରେ ସେମାନେ କହିଥିଲେ ଯେ ୨୫ଲକ୍ଷ ଲୋକଙ୍କୁ ସାମିଲ କରିବେ, ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ ୩୪ଲକ୍ଷ ଲୋକଙ୍କୁ ମାଗଣା ରେସନ ଦେବେ ବୋଲି, ଏବେ କହୁଛନ୍ତି ୧୦ଲକ୍ଷ ଲୋକଙ୍କୁ ଦେଉଛନ୍ତି ବୋଲି, ହେଲେ ବିଧାନସଭାରେ କହୁଛନ୍ତି ମାତ୍ର ୮ଲକ୍ଷ ଲୋକଙ୍କୁ ଦେଉଛନ୍ତି । ତେଣୁ କେଉଁଠା ଠିକ୍‌? କାହିଁକି ୩୪ଲକ୍ଷ ଲୋକଙ୍କୁ ଦେବ ବୋଲି କହି ଏବେ ମାତ୍ର ୮ଲକ୍ଷ ଲୋକଙ୍କୁ ଦେଉଛନ୍ତି ତାହାର ଜବାବ ରଖନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବିଜେଡି ବିଜ୍ଞାପନ ମାଧ୍ୟମରେ କହୁଛି “ଆହୁରି ବର୍ଷେ ପର୍ଯ୍ୟନ୍ତ ମିଳିବ ବିନା ମୂଲ୍ୟରେ ଚାଉଳ” । ଯଦି ରାଜ୍ୟ ସରକାରଙ୍କର ଆନ୍ତରିକତା ଅଛି ତାହାଲେ ୩କୋଟି ୨୫ଲକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମାଗଣାରେ ଚାଉଳ ଦିଅନ୍ତୁ ଏହାକୁ ବିଜେପି ସ୍ୱାଗତ କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଓଡ଼ିଶାର ପ୍ରତ୍ୟେକ ବିପଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡା ହୋଇଥାନ୍ତି । ଓଡ଼ିଶାରେ କରୋନା ଯେବେ କାୟା ବିସ୍ତାର କରିଥିଲା ମୋଦୀ ସରକାର ଚାଉଳ, ଡାଲି, ମାଗଣା ଗ୍ୟାସ, ଜନ-ଧନ-ଆକାଉଂଟକୁ ଟଙ୍କା ପଠାଇବା, ଶ୍ରମିକଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । କିନ୍ତୁ ଦୁଃଖ, ପରିତାପର ବିଷୟ ମୋଦୀ ପଠାଉଥିବା ଜିନଷକୁ ଓଡ଼ିଶାର ବିଜୁ ଜନତା ଦଳ ସରକାର ନିଜେ ଦେଉଛି ବୋଲି କହି ଡିଣ୍ଡିମ ପିଟୁଛି । ମୋଦୀ ସରକାର ଓଡ଼ିଶାକୁ ଡାଲି ଦେଉଥିଲା କିନ୍ତୁ ବିଜେଡି ଲୋକଙ୍କୁ ଖେସାରୀ, ଚଣା ଦେଇ ଅସଲ ଡାଲିକୁ ଏମାନେ ଖାଇ ଦେଉଥିଲେ । “ହନୁ ମଲା ବେଳକୁ ସତ କହେ” ଠିକ୍ ସେମିତି ବିଜୁ ଜନତା ଦଳର ଏବେ ଶେଷ ସମୟ ଆସିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଯଦି ବିଜୁ ଜନତା ଦଳ ପାଖରେ ସମ୍ବେଦନଶୀଳତା ଅଛି ତାହାଲେ ମୁଖ୍ୟମନ୍ତ୍ରୀ ସୋହେଲାଠାରେ ଧାନ ପାଇଁ ଘୋଷଣା କରିଥିବା ୧୦୦ଟଙ୍କା କେବେ ଦେବେ କହୁ । ବିଜେଡିର ଚାଷୀଙ୍କ ପ୍ରତି ଦରଦ ଅଛି ବୋଲି ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ନବୀନ କାଳିଆ ଯୋଜନାରେ ୧୦ହଜାର ଟଙ୍କା ଦେବେ ବୋଲି କହିଥିଲେ; କିନ୍ତୁ ୪ହଜାର ଦେଇ ଚାଷୀଙ୍କୁ ଠକୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାଶ, ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love