ହକି ବିଶ୍ୱକପ ଟ୍ରଫି ଭିଡରେ ଦୁର୍ବ୍ୟବହାରର ଶିକାର ହେଲେ ଦେବଗଡ଼ ରାଣୀ

ଦେବଗଡ଼ : ଦେବଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ର୍ନିବାଚନୀ ମଣ୍ଡଳୀରେ କ୍ଷମତାସିନ ବିଜେପିର ସାଂସଦ ଓ ବିଧାୟକଙ୍କ କଳି ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ ହକି ବିଶ୍ୱକପକୁ ସ୍ୱାଗତ କରିବା ଆଳରେ ବିଧାୟକ ଓ ସାଂସଦଙ୍କ କଳି ପୁଣି ଥରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଗତ ୫ ତାରିଖ ଦିନ ଦେବଗଡ଼ ଜିଲ୍ଲାରେ ହକି ବିଶ୍‌କପ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ଯ ସମ୍ବର୍ଦ୍ଧନା ସହ ନଗର ଶୋଭାଯାତ୍ରାରେ ବାହାରି ଥିବା ବେଳେ ରାଜବାଟୀ ସମ୍ମୁଖରେ ଟ୍ରଫିକୁ ସ୍ୱାଗତ ପାଇଁ ପୂର୍ବରୁ ପ୍ରସ୍ତୁତ ଘରୋଇ ବସ ମାଲିକ ସଙ୍ଘର ସଦସ୍ଯ ତଥା ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସମ୍ପର୍କୀୟ ଭାଇ ସତ୍ୟ ନାରାୟଣ ପାଣି ଓ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଦେବୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥାକଟି ଗୁରୁତର ଆକାର ଧାରଣ କରି ମାମଲା ଥାନାରେ ପହଞ୍ଚିଛି। ସତ୍ୟନାରାୟଣ ସର୍ବ ସମ୍ମୁଖରେ ରାଣୀଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କରିବା ସହ ଗାଳିଗୁଲଜ କରି ନାନା ଧମକ ଦେଇଥିବା ନେଇ ରାଣୀ ଅରୁନ୍ଧତୀ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସତ୍ୟନାରାୟଣ ମଧ୍ୟ ରାଣୀ ଅରୁନ୍ଧତୀ ତାଙ୍କୁ ସର୍ବ ସମ୍ମୁଖରେ ଧମକ ଦେବା ଏବଂ ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ନେଇ ଅରୁନ୍ଧତୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି।

ଅଭିଯୋଗ କୁ ପୁଲିସ ଷ୍ଟେସନ ଡାଏରୀ କରି ତଦନ୍ତ ଆରମ୍ଭ କରିଥିବା ବେଳେ ରାଣୀ ଅରୁନ୍ଧତୀ ସାମାଜିକ କାର୍ଯ୍ଯକ୍ରମ ଯୋଗୁଁ ତାଙ୍କ ବଢୁଥିବା ଲୋକପ୍ରିୟତା କୁ ସହ୍ଯ କରିନପାରି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଇଙ୍ଗିତ ରେ ତାଙ୍କ ଦଳୀୟ କର୍ମୀ ହୋଇ ମଧ୍ୟ ସତ୍ୟନାରାୟଣ ସର୍ବ ସମ୍ମୁଖରେ ତାଙ୍କୁ ଅପମାନିତ କରି ହାତୋତ୍ସାହିତ କରିବାକୁ ପ୍ରୟାସ କରିଥିବା ପ୍ରକାଶ କରିଥିବା ବେଳେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡିଶା ସାରା ବିଶ୍ୱରେ ପରିଚିତ ହୋଇ ପାରିଥିବା ଏବଂ ହକି ବିଶ୍ୱକପ ସମ୍ଭବ ହୋଇଥିବା ପ୍ରକାଶ କରିଥିବା ବେଳେ ହକି ବିଶ୍ୱକପ ସ୍‌ୱାଗତ କାର୍ଯ୍ଯକ୍ରମକୁ ଭଣ୍ଡୁର କରିବା ପାଇଁ ବିଧାୟକ ସୁବାଷ ନିଜ ଭାଇଙ୍କ ସହାୟତାରେ ଯୋଜନା କରିଥିବା ଆଶଙ୍କା ପ୍ରକାଶ କରିଛନ୍ତି।

ଏଥିସହ ନାରୀ ଜାତିକୁ ସମ୍ମାନ ଦେଉନଥିବା ବିଧାୟକଙ୍କ ସମ୍ପର୍କୀୟଙ୍କୁ ନ ଡରିବାକୁ ସେ ନାରୀ ସମାଜକୁ ଆହ୍‌ୱାନ ଦେଉଥିବା ନିଜ ପ୍ରତିକ୍ରିୟାରେ ମତ ବ୍ଯକ୍ତ କରିଛନ୍ତି। ଅନ୍ଯ ପକ୍ଷରେ ବିଧାୟକଙ୍କ ଭାଇ ସତ୍ୟନାରାୟଣ ରାଣୀ ଅରୁନ୍ଧତୀ ଜଣେ ଦୁଷ୍ଟ ମହିଳା ଓ କଥାକଥାକେ ଲୋକଙ୍କୁ ଧମକ ଓ ଥାନାର ଭୟ ଦେଖାଉଥିବା ପ୍ରକାଶ କରିବାସହ ସେ ଦିନର ଘଟଣାରେ ତାଙ୍କ କୌଣସି ଭୁଲ ନଥିବା ପ୍ରକାଶ କରିଛନ୍ତି।

ଦେବଗଡ଼ ବିଜେପିର ଦୁଇ କ୍ଷମତା କେନ୍ଦ୍ରରେ ଦୀର୍ଘ ଦିନର କଳି ଏବେ ରୁଦ୍ଧ କୋଠରୀରୁ ବାହାରୀ ହାଟଦାଣ୍ଡରେ ଲୋକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଉଥିବା ବେଳେ ଗତ 2019 ର୍ନିବାଚନରେ ଜିଲ୍ଲାବାସୀ ଜିଲ୍ଲାର ପ୍ରଗତିର ସ୍ୱପ୍ନ ଦେଖି ଯେଉଁ ବିଶ୍ୱାସରେ ଡବଲ ଇଂଜିନ ସରକାର କୁ କ୍ଷମତାସିନ କରାଇ ଥିଲେ ଲୋକଙ୍କ ବିଶ୍ୱାସ ଜିଣିବାରେ ଉଭୟ ବିଧାୟକ ଓ ସାଂସଦ ବିଫଳ ହୋଇଥିବା ବେଳେ ଉଭୟଙ୍କ ଅନ୍ତଃକନ୍ଦଳର ପ୍ରତିକୂଳ ପ୍ରଭାବ 2024 ର୍ନିବାଚନରେ ପ୍ରତିଫଳିତ ହେବା ନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

Spread the love