୨୮ରୁ ଖଣ୍ଡଗିରି କୁମ୍ଭମେଳା

ସାରା ଓଡ଼ିଶା ଏବେ ହକି ଫିଭର୍‌ରେ ପଡ଼ିଥିବାବେଳେ ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା। ୨୮ରୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜନ କରାଯିବ। ଏହାକୁ କିପରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବ ସେ ନେଇ ଶନିବାର ବିଏମ୍‌ସି କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମ କରି ଏଥର ଯାତ୍ରା ପାର୍ଟିଗୁଡିକ ପାଇଁ ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛି। ଯାତ୍ରା ପୂର୍ବରୁ ଷ୍ଟେଜ୍‌ର ମ୍ୟାପ୍‌ ସହିତ ବିଦ୍ୟୁତ୍‌ ବିଭାଗଠାରୁ ଆରମ୍ଭ କରି ଫାୟାରସେପ୍ଟି ପର୍ଯ୍ୟନ୍ତ ସବୁକିଛିର ଏନ୍‌ଓସି ନେବା ଜରୁରୀ। ଏହା ପରେ ବିଏମ୍‌ସି ପକ୍ଷରୁ ଯାତ୍ରା ପାଇଁ ଅନୁମତି ମିଳିବ। ଖଣ୍ଡଗିରି ଯାତ୍ରାରେ ଯେପରି କିଛି ଅଶ୍ଳୀଳନୃତ୍ୟ ବା କାହାର ଭାବାବେଗକୁ ଆଘାତ ପହଞ୍ଚତ୍ବା ଭଳି ଶବ୍ଦର ବ୍ୟବହାର ନ କରାଯିବ ସେ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏଥିସହ ମେଳାରେ ଦୋକାନ ପକାଇବା ପାଇଁ ଷ୍ଟଲ ଆଲଟ୍‌ମେଣ୍ଟ କରାଯିବ। ଏହାପରେ ସମ୍ପୃକ୍ତ ଦୋକାନୀ ବା ସଂସ୍ଥାକୁ ଏଥିପାଇଁ ଏନ୍‌ଓସି ନେବାକୁ ପଡ଼ିବ। ପୂର୍ବଥର ମେଳାରେ ୩୮୫ ଷ୍ଟଲ୍‌ ପଡିଥିବାବେଳେ ଚଳିତ ବର୍ଷ ଦୋକାନ ସଂଖ୍ୟା କମ୍‌ ରହିବ। ସେହିପରି ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି। ରାସ୍ତାପାର୍ଶ୍ୱରେ କୌଣସି ଗାଡ଼ି ପାର୍କିଂ ହେବନାହିଁ। ପାର୍କିଂ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି। ପାର୍କିଂ ଫି’କୁ ନେଇ ଯେପରି ସାଧାରଣ ଲୋକ ହଇରାଣ ନ ହେବେ ବା ଲୋକଙ୍କ ଠାରୁ ଅଧିକ ଫି’ ଆଦାୟ ନ ହେବ ସେ ନେଇ ଦୃଷ୍ଟି ଦିଆଯିବ। ଏଥିପାଇଁ ପାର୍କିଂ ସ୍ଥଳରେ ବିଏମ୍‌ସି ପକ୍ଷରୁ ରେଟ୍‌ ଚାର୍ଟ ବୋର୍ଡ ମରାଯିବ। ଏହାବାଦ୍‌ ସେଠାରେ ବିଏମ୍‌ସି କଣ୍ଟ୍ରୋଲ ରୁମ୍‌ ରହିବ ଏବଂ ଜଣେ ଅଧିକାରୀ ମଧ୍ୟ ନିୟୋଜିତ ହେବ। ପାର୍କିଂ ଫି’କୁ ନେଇ ଅସୁବିଧା ଥିଲେ ଲୋକମାନେ ସେଠାକୁ ଯାଇ ଅଭିଯୋଗ କରି ପାରିବେ। ମେଳାରେ ପ୍ରବଳ ଗହଳି ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ମୋବାଇଲ୍‌ ଟଏଲେଟ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ବିଏମ୍‌ସି ୨ଟି ଏବଂ ପୁରୀରୁ ଆଉ ୨ଟି ମୋବାଇଲ୍‌ ଟଏଲେଟ୍‌ ମେଳାରେ ରହିବ। ସେହିପରି ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍‌ କରାଯିବ ବୋଲି ମେୟର ସୂଚନା ଦେଇଛନ୍ତି। ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅତିରିକ୍ତ କମିଶନର, ପୋଲିସ ଅଧିକାରୀ, ଯାତ୍ରାପାର୍ଟିର କର୍ମକର୍ତ୍ତା ଏବଂ କର୍ପୋରେଟରମାନେ ଉପସ୍ଥିତ ଥିଲେ।

Spread the love