ସ୍ଥାନୀୟକରଣ ବିନା ସ୍ଥାୟୀ ବିକାଶର ଲକ୍ଷ୍ୟପୂରଣ ହେବନାହିଁ
ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ୟୁଥ କାଉନ୍ସିଲ ଫର ଡେଭଲପମେଣ୍ଟ ଅଲଟରନେଟିଭସ’ର ତିରିଶତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଓ ସିଭିଲ ସୋସାଇଟିର ଭୂମିକା” ସମ୍ପର୍କିତ ବିକାଶ ସଂପାନ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ନିଜ ବକ୍ତବ୍ୟ ରଖି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼ଃ ଅରବିନ୍ଦ ବେହେରା କହିଥିଲେ ଯେ ସ୍ଥାୟୀ ବିକାଶର ୨୦୩୦ କାର୍ଯ୍ୟସୂଚୀ ହେଉଛି ପୃଥିବୀ ଓ ଏଠି ବସବାସ କରୁଥିବା ସବୁ ମଣିଷଙ୍କ ପାଇଁ ମର୍ଯ୍ୟଦା, ଶାନ୍ତି ଓ ପ୍ରଗତିର ରୂପରେଖ ନକ୍ସା। ଏହି କାର୍ଯ୍ୟସୂଚୀର ପ୍ରତ୍ୟେକ ଲକ୍ଷ୍ୟ ଆମେ ବଂଚୁଥିବା ସମୟ ଓ ଆଗାମୀ ପିଢ଼ି ପାଇଁ ଏକ ଉନ୍ନତ ମାନବୀୟ ଜୀବନର ମାଇଲଖୁଣ୍ଟ। ଏହାର ପ୍ରଭାବ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ହିଁ ବିକଳ୍ପ। ଶିକ୍ଷା ଓ ସ୍ୱାସ୍ଥ୍ୟ , କର୍ମକ୍ଷେତ୍ରରେ ମହିଲାମାନଙ୍କ ଅଂଶଗ୍ରହଣ, ପରିବେଶ ସନ୍ତୁଳନ ଓ ପରିବେଶ ଅନୁକୂଳ ଜୀବନ ଜୀବିକା ଏବଂ ବିକାଶକୁ ସହଭାଗୀ କରିବା ଦିଗରେ ସରକାର ଓ ସିଭିଲ ସୋସାଇଟି ମିଳିତ ଭାବେ ଉଭୟ ବୁଦ୍ଧିମତା ଓ ସତର୍କତାର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼ଃ ବେହେରା ମତବ୍ୟକ୍ତ କରିଥିଲେ।
ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ UNDPର ଓଡିଶା ମୁଖ୍ୟ ସରକାରୀ ଯୋଜନାକୁ ଶ୍ରୀମତୀ ଅଭା ମିଶ୍ର ସମସ୍ତ ସରକାରୀ ଯୋଜନା ସହ ସ୍ଥାୟୀ ବିକାଶକୁ ଯୋଡିବା ଏବଂ ପରପିଢି ପାଇଁ ଏକ ସମାବେଶୀ ପୃଥିବୀ ଛାଡିଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଦିଗରେ ସରକାର ଓ ସିଭିଲ ସୋସାଇଟି ମିଳିତ ଭାବେ କାର୍ଯ୍ୟ କରି ସଫଳତା ହାସଲ କରିବାର ନଜିର ଏକ ପ୍ରମାଣିତ ତଥ୍ୟ। ସ୍ଥାୟୀ ବିକାଶ ୨୦୩୦ କାର୍ଯ୍ୟସୂଚୀର ସ୍ଥାନୀୟକରଣ ଲକ୍ଷ୍ୟ ହାସଲ କରିବା ଏହି ମିଳିତ ପ୍ରୟାସ ପାଇଁ ଏକ ଅଭିନବ ସୁଯୋଗ। ଏହି ପ୍ରୟାସ ମାଧ୍ୟମରେ ଆମେ ସମାଜର ଅବହେଳିତ, ବଞ୍ଚିତ ଗୋଷ୍ଠୀମାନଙ୍କ ନିରନ୍ତର ବିକାଶରେ ସହଭାଗୀ ହୋଇ ପାରିବା। ସ୍ଥାୟୀ ବିକାଶ ଓ ଓଡିଶା ସମ୍ପର୍କରେ ନିଜ ମତ ରଖି ଆକ୍ସନଏଡ଼ର ସ୍ଥାନାନ୍ତରଣ ଓ ଶିକ୍ଷା ମୁଖ୍ୟ ଉମି ଡାନିଏଲ କହିଥିଲେ ଯେ ସମସ୍ତଙ୍କ ଆବଶ୍ୟକତା ଓ ଆକାଂକ୍ଷା ସମାନ ନୁହେଁ। ଗୋଷ୍ଠୀଗତ ଆବଶ୍ୟକତା ଅନୁଯାୟୀ ସଠିକ ସମାଧାନ ଦେଇ ପାରିଲେ ଓଡ଼ିଶାର ପଛୁଆ ଜିଲ୍ଲା ମାନଙ୍କରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ସମ୍ଭବ ହେବ।
ମୋ କଲେଜ ଅଭିଯାନର ମୁଖ୍ୟ ଆକାଶ ଦାସନାୟକ କହିଥିଲେ ଯେ ଓଡ଼ିଶାରେ ଅସରନ୍ତି ସମ୍ଭାବନା ରହିଛି। ଯୁବଶକ୍ତିର ଆବଶ୍ୟକତା ଅନୁସାରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ହେବା ଆବଶ୍ୟକ। ଟାଟା କନସଲଟାନ୍ସୀର ଜେନେରାଲ ମ୍ୟାନେଜର ପ୍ରିୟା ମହାପାତ୍ର ତୃଣମୂଳ ସ୍ତରରେ ବିଭିନ୍ନ ବିଭାଗର ପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ସ୍ଥାୟୀ ବିକାଶର ଲକ୍ଷ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି ଓ ୨୦୩୦ କାର୍ଯ୍ୟସୂଚୀ ଲକ୍ଷ୍ୟ ହାସଲ କରିବା ଦିଗରେ ସେମାନଙ୍କୁ ପ୍ରେରିତ କରିବା ପାଇଁ ବ୍ୟାପକ ଉଦ୍ୟମ ଉଭୟ ସରକାରୀ ଓ କର୍ପୋରେଟ ସ୍ତରରେ ହେବା ଉଚିତ ବୋଲି ମତ ଦେଇଥିଲେ। ସଂପାନ ଆରମ୍ଭରେ ଏହି ସମ୍ପାନର ଆଭିମୁଖ୍ୟ ସମ୍ପର୍କରେ ମତ ରଖି YCDAର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମେହେର କହିଥିଲେ ଯେ SDGର ସ୍ଥାନୀୟକରଣ ସ୍ଥାନୀୟ ବିକାଶ ନୀତି ପାଇଁ ଏକ ସମାଵେଶୀ ଢାଞ୍ଚା ପ୍ରଦାନ କରିଥାଏ। ଏହି ସ୍ଥାନୀୟକରଣର କ୍ରିୟାନ୍ୱୟନରେ ସିଭିଲ ସୋସାଇଟିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସିଭିଲ ସୋସାଇଟି ଅନୁଷ୍ଠାନ ଗୁଡିକ ଦୀର୍ଘ ଦିନ ଧରି ସ୍ଥାନୀୟ ସମସ୍ୟା, ଆଶା, ଆକାଂକ୍ଷା ସହ ଜଡିତ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରି ଆସୁଛନ୍ତି। ଲୋକଙ୍କ ସହ ଦୀର୍ଘ ଦିନର ସମ୍ପର୍କ, ସେମାନଙ୍କ ସେମାନେ ସାମ୍ନା କରୁଥିବା ସମସ୍ୟା ଗୁଡିକୁ ନିରାକରଣ ଦିଗରେ ମିଳିତ ପ୍ରୟାସ, ଏହି ସଂସ୍ଥାଗୁଡିକୁ ବିଶ୍ୱସନୀୟତା ପ୍ରଦାନ କରିଛି। ସିଭିଲ ସୋସାଇଟି ଅନୁଷ୍ଠାନ ଗୁଡିକ ସରକାର, ସ୍ଥାନୀୟ ପ୍ରଶାସନ, ପଞ୍ଚାୟତରାଜ ଅନୁଷ୍ଠାନ ସହ ମିଳିତ ଭାବେ କାର୍ଯ୍ୟ କରି ସ୍ଥାୟୀ ବିକାଶର ୨୦୩୦ କାର୍ଯ୍ୟସୂଚୀକୁ ତୃଣମୁଳରେ ପ୍ରତିଫଳିତ ଓ ତ୍ୱରାନ୍ୱିତ କରିବା ଦିଗରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏହି ଆଲୋଚନାଚକ୍ରକୁ ଶ୍ରୀମତୀ ସରିତା ବଡ଼ପଣ୍ଡା ସଂଚାଳନା କରିଥିଲେ।
ଏହି ଅବସରରେ ସ୍ଥାୟୀ ବିକାଶର ସ୍ଥାନୀୟକରଣ ସଂବନ୍ଧୀୟ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ସମାଜବିଜ୍ଞାନୀ ଡ଼ଃ ମିତାଲି ମହାନ୍ତି ପ୍ରାକ ସୂଚନା ଦେଇଥିବା ବେଳେ ସମାଜସେବୀ ତଥା YCDAର ପରିଚାଳନା ସମିତି ସଦସ୍ୟ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ସମ୍ପାନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଦୁଇଶହରୁ ଉର୍ଦ୍ଧ୍ୱ ସମାଜସେବୀ ଯୋଗ ଦେଇଥିଲେ।