ସ୍ପେନ୍କୁ ୨-୦ ଗୋଲ୍ରେ ହରାଇଲା ଭାରତ, ଚମକିଲେ ଓଡ଼ିଆ ପୁଅ ଅମିତ ରୋହିଦାସ
୧୯୮୦ ମସ୍କୋ ଅଲିମ୍ପିକ୍ସ ହକି ଫାଇନାଲ୍। ଆମେରିକା ନେତୃତ୍ବାଧୀନ ରାଷ୍ଟ୍ରସମୂହର ଅଲିମ୍ପିକ୍ସ କ୍ରୀଡା ବର୍ଜନ ପରିପ୍ରେକ୍ଷୀରେ ଭାରତ ହକିରେ ତା’ର ହୃତ ଗୌରବ ଫେରିପାଇବାକୁ ପ୍ରାଣପଣେ ଉଦ୍ୟମ କରି ସଫଳ ହୋଇଥିଲା। ଭାସ୍କରନଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଷ୍ଟ୍ରାଇକର ମହମ୍ମଦ ସାହିଦଙ୍କ ଚମତ୍କାର କ୍ରୀଡାନୈପୁଣ୍ୟରେ ଅର୍ଜିତ ୨ଟି ଗୋଲ୍ ସହାୟତାରେ ସେଦିନ ୪-୩ ଗୋଲରେ ସ୍ପେନକୁ ହରାଇ ଚମ୍ପିଆନ ହୋଇଥିଲା। ଅପେକ୍ଷାକୃତ କମ୍ ପ୍ରସିଦ୍ଧ ସ୍ପେନ୍ ଦଳ ହାରିଲା ସତ, ହେଲେ ଶେଷ କେଇ ମୁହୂର୍ତ୍ତ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କୁ ପାଣି ପିଆଇ ଦେଇଥିଲା। ଶେଷ ୬/୭ ମିନିଟ୍ ସେଦିନ ଭାରତୀୟ ଦଳର ଗୋଲପୋଷ୍ଟ ନିକଟରେ ବଲ୍ ଚାପି ରହିଥିଲା। ରେଡିଓରେ ଧାରାବିବରଣୀ ଶୁଣୁଥିବା କୋଟିକୋଟି ଭାରତୀୟ ସମର୍ଥକଙ୍କର ସେଦିନର ହୃତକମ୍ପନ ଆଜି ମଧ୍ୟ ମଝିମଝିରେ ଆଲୋଚନା ହୁଏ। ଇତିମଧ୍ୟରେ ୪୩ ବର୍ଷ ବିତିଯାଇଛି। ବ୍ରାହ୍ମଣୀ ନଦୀରେ କେତେ ଯେ ପାଣି ବହିଯାଇଥିବ ତା’ର ହିସାବ ନାହିଁ। ଓଡ଼ିଶାର ଇସ୍ପାତ ନଗରୀ ରାଉରକେଲା ଶୁକ୍ରବାର କେବଳ ଭାରତ-ସ୍ପେନ୍ ବିଶ୍ବ କପ୍ ମ୍ୟାଚ୍ ଆୟୋଜନ କରିନାହିଁ, ମ୍ୟାଚ୍ର ଶେଷ ମୁହୂର୍ତ୍ତଗୁଡିକରେ ଦେଖିବାକୁ ମିଳିଥିବା ଅଭୂତପୂର୍ବ ସାମଞ୍ଜସ୍ୟ ୪୩ ବର୍ଷ ତଳର ସ୍ମୃତି ରୋମନ୍ଥନ କରିଛି।
ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଭାରତୀୟ ଖେଳାଳିମାନେ ଅପେକ୍ଷାକୃତ ଉନ୍ନତ ଖେଳ ପ୍ରଦର୍ଶନ କରି ୨-୦ରେ ଆଗୁଆ ରହିଲେ। ମିଳିଥିବା ଏକାଧିକ ପେନାଲଟି କର୍ଣ୍ଣର ମଧ୍ୟରୁ ଗୋଟିକୁ କୌଣସି ମତେ ଗୋଲରେ ରୂପାନ୍ତରିତ କରିଥିବା ବେଳେ ଅନ୍ୟଟି ଏକ ଚମତ୍କାର ଫିଲ୍ଡ ଗୋଲ୍ ଥିଲା। ତେବେ ଦ୍ବିତୀୟାର୍ଦ୍ଧର ପ୍ରଥମ ଭାଗରେ ମିଳିଥିବା ଏକାଧିକ ପେନାଲଟି କର୍ଣ୍ଣର ମଧ୍ୟରୁ ଗୋଟିକୁ ମଧ୍ୟ ଗୋଲ୍ କରିପାରି ନଥିଲେ। ଏପରିକି ଏକ ପେନାଲଟି ହିଟ୍ ମଧ୍ୟ ନିଷ୍ଫଳ ହୋଇଥିଲା। ଅନ୍ୟପକ୍ଷରେ ଶେଷ ଭାଗରେ ସ୍ପେନ୍ ଦଳ ପ୍ରତିଆକ୍ରମଣ କରି ଭାରତୀୟ ଦଳ ଉପରେ ପ୍ରବଳ ଚାପ ପକାଇ ଚାଲିଥିଲେ। ଶେଷଆଡ଼କୁ ଭାରତୀୟ ଖେଳାଳିମାନେ ଥକିଯାଇଥିବା ସ୍ପଷ୍ଟ ଜଣାପଡୁଥିବା ବେଳେ ସ୍ପେନୀୟ ଖେଳାଳିମାନେ ମୂଳରୁ ଶେଷ ସମାନ ଫୁର୍ତ୍ତି ଦେଖାଇ ଦର୍ଶକମାନଙ୍କ ମନ ଜିଣିଥିଲେ। ଭାରତୀୟ ଗୋଲକିପର୍ ମ୍ୟାଚ୍ରେ ଅନ୍ୟୂନ ଦୁଇଟି ପେନାଲଟି କର୍ଣ୍ଣରକୁ ନିଷ୍ଫଳ କରିଥିବାରୁ ଦଳ ବିପର୍ଯ୍ୟୟରୁ ବର୍ତ୍ତିଯାଇଥିଲା। ହେଲେ ଆଗକୁ ଆହୁରି ଉନ୍ନତ ଦଳ ବିପକ୍ଷରେ ଅଧିକ ସଙ୍ଗଠିତ ହୋଇ ଖେଳିବାକୁ ହେବ ବୋଲି ପ୍ରାକ୍ତନ ହକି ତାରକା ଦିଲୀପ ତିର୍କୀ ମତ ଦିଅନ୍ତି। ଯଦିଓ ମୋଟାମୋଟି ଭାରତ ଭଲ ଖେଳି ଜିତିଲା, ଆଗକୁ ଶକ୍ତିଶାଳୀ ଦଳଗୁଡିକ ବିପକ୍ଷରେ ଏହି ମ୍ୟାଚ୍ ପରି ସୁଯୋଗ ହାତଛଡ଼ା କରିହେବ ନାହିଁ ବୋଲି ହକି ଇଣ୍ଡିଆର ସଭାପତି ଶ୍ରୀ ତିର୍କୀ କହନ୍ତି। ତେବେ ଭାରତ ପାଇଁ ଯେଉଁ କଥାଟି ଅଧିକ ଚିନ୍ତାର କାରଣ ତାହାହେଲା ପ୍ରଥମ ମ୍ୟାଚ୍ରୁ ହିଁ ଫାଉଲ୍ ପ୍ଲେ’ ପାଇଁ ଏକାଧିକ ଖେଳାଳିଙ୍କୁ କାର୍ଡ ଦେଖାଯାଇଛି। ଆଗକୁ ଏଥିପାଇଁ ସତର୍କ ରହିବାକୁ ହେବ ବୋଲି ଶ୍ରୀ ତିର୍କୀ କହିଛନ୍ତି।
ଆୟୋଜନ ବିଷୟରେ ଏତିକି କହିବା ଯଥେଷ୍ଟ ହେବ, ଭାରତର ଅପେକ୍ଷାକୃତ ଏଇ ଦୁଇଟି ଛୋଟ ସହରରେ ଲୋକଙ୍କ ଭିତରେ ବିଶ୍ବକପ୍ ଯେପରି ଉତ୍ସାହ ଉଦ୍ଦୀପନା ସୃଷ୍ଟି କରୁଛି, ତାହା ହୁଏତ ଅନ୍ୟ ବଡ଼ ସହରରେ ସମ୍ଭବ ହୋଇନଥା’ନ୍ତା। ସଂପୃକ୍ତ ଦୁଇଟି ସହର ସମେତ ରାଜ୍ୟର ଆହୁରି ଅନେକ ସ୍ଥାନକୁ ଏକରକମ ନବବଧୂର ରୂପ ଦିଆଯାଇଛି। ଏକଦା ନୈରାଶ୍ୟ ରାଜ୍ କରୁଥିବା ରାଉରକେଲା ସହର ତ ଝଟକୁଛି କହିଲେ ଚଳେ। ସରକାର ଓ ଶାସକ ଦଳର ମୁଣ୍ଡିଆଳମାନେ ସଫଳ ଆୟୋଜନ ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।
ନୂଆକରି ବିମାନ ସେବା ଆରମ୍ଭ ହୋଇଥିବାରୁ ଉଭୟ ଉଡ଼ାଣ ଓ ଅବତରଣ ବେଳେ ଲୋକେ ଘରର ଛାତ ଓ ବାଲକୋନିରୁ ବିମାନର ଫଟୋ ଉତ୍ତୋଳନ କରୁଥିବା ଦୃଶ୍ୟ ଭିନ୍ନ ଏକ ସଂକେତ ଦେଉଛି। ତେବେ ଏହି ଉତ୍ସାହ ରହିଲେ ହେଲା। ‘ରାତ୍ ଗୟି ବାତ୍ ଗୟି’ ନ୍ୟାୟରେ ଯଦି ଆଗକୁ କମ୍ପାନିମାନେ ରାଉରକେଲାରୁ ନିରନ୍ତର ବିମାନ ସେବାରୁ ଓହରିଯା’ନ୍ତି, ବିଶ୍ବକପ୍ ଆୟୋଜନର ଚମକ କ୍ଷଣସ୍ଥାୟୀ ହେବ। ସେହିପରି ବିଶ୍ବ କପ୍ ଆୟୋଜନ ପାଇଁ ନିର୍ମିତ ଆଖି ଖୋସିଲା ଭଳି ଭିତ୍ତିଭୂମିର ଭବିଷ୍ୟତରେ ଉପଯୋଗିତାକୁ ନେଇ ମଧ୍ୟ ତଥ୍ୟାଭିଜ୍ଞ ମହଲ ଉଭୟ ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି। ୨୦୧୮ ବିଶ୍ବକପ୍ ଠାରୁ କାହିଁ କେତେ ଗୁଣା ଅଧିକ ବ୍ୟୟରେ ଆୟୋଜିତ ଏହି ବୈଶ୍ବିକ ଇଭେଣ୍ଟ ସବୁ ଦୃଷ୍ଟିରୁ ଈର୍ଷଣୀୟ ହେବାପାଇଁ ଆଉ ଦୁଇଟି ପଦକ୍ଷେପ ଅପେକ୍ଷାରେ ଅଛି। ଗଢ଼ିଉଠିଥିବା ବିଶାଳ ଭିତ୍ତିଭୂମିର ଅର୍ଥପୂର୍ଣ୍ଣ ଉପଯୋଗିତା ଓ ରାଜ୍ୟବାସୀଙ୍କ ଆଗରେ ସମଗ୍ର ପ୍ରକ୍ରିୟାର ଅଟକଳ ଓ ବ୍ୟୟରେ ସ୍ବଚ୍ଛତା।