ଭାରତ-ଋଷ ଯୁଗ୍ମ ପ୍ରକଳ୍ପ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବ- ଧର୍ମେନ୍ଦ୍ର ପ୍ରଧାନ

ଋଷର ପୂର୍ବାଂଚଳରେ ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ ରଖିଛନ୍ତି । ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି ଯୁଗ୍ମ ପ୍ରକଳ୍ପ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ଋଷର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ସମୟରେ ଏହା କହିଛନ୍ତି ।

ଶ୍ରୀ ପ୍ରଧାନ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ଏବଂ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳିଙ୍କ ସହ ଋଷରେ ପହଁଚିବା ପରେ ପ୍ରଥମେ ସେଠାରେ ଭାରତୀୟ ରାଷ୍ଟ୍ରଦୂତ ବାଲା ଭେଙ୍କଟଶ୍ ବର୍ମାଙ୍କ ସହ ଭରତ-ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ ଭାବରେ ତୈଳ, ଗ୍ୟାସ ଓ ଇସ୍ପାତ୍ କ୍ଷେତ୍ରର ସମୀକ୍ଷା କରିଥିଲେ । ଉଭୟ ପୂର୍ବାଂଚଳ ଋଷର କୁକିଂ କୋଲ୍ ଉପରେ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ପୂର୍ବାଂଚଳ ଋଷର ସର୍ବବୃହତ ଜେଭେଜ୍ଡା ସ୍ଥିତ ଜାହାଜ ନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନା କରିଥିଲେ । ଏହାସହ ସେଠାରେ ରୋଜନେଫ୍ଟର ସିଇଓ ସଚିନ ଇଗୋରଙ୍କୁ ମଧ୍ୟ ସାକ୍ଷାତ୍ କରି ଜେଭେଜଡା ଜାହାଜ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଜେଭେଜ୍ଡା ଜାହାଜ ସିପୟାର୍ଡ୍ ଆରକେଟିକ୍ ସିପିଂର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଭାରତ ଏବଂ ଋଷର ଜଳପଥକୁ ବିକାଶିତ  କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଅବସରରେ ଋଷର ପୂର୍ବାଂଚଳରେ ହାତକୁ ନିଆଯାଇଥିବା ବିଭିନ୍ନ ଯୁଗ୍ମ ତୈଳ ଏବଂ ଗ୍ୟାସ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବା ସହ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ ।

Spread the love