୨୦୨୪ ଯାଏଁ ରହିବେ ନଡ୍ଡା। ଆଉ ବର୍ଷେ ବଢିଲା ସଭାପତି କାର୍ଯ୍ୟକାଳ

୨୦୨୪ ପାଇଁ ବିଜେପିରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନଡ୍ଡାଙ୍କ ସଭାପତିତ୍ୱ ଉପରେ ପୁଣି ଭରସା କରିଛି ଦଳ । ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ସମୟରେ ଦଳର ପ୍ରଦର୍ଶନକୁ ଭିତିକରି ତାଙ୍କ କାର୍ଯ୍ୟକାଳକୁ ପୁଣି ଥରେ ବଢାଇବାକୁ ବିଜେପି ସର୍ବସମ୍ମତି ନିଷ୍ପତି ନେଇଛି ।

୨୦୨୪ ଯାଏଁ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳକୁ ବଢାଇବା ଉପରେ ବିଜେପି କାର୍ଯ୍ୟକାରିଣୀ ମୋହର ମାରିଛି । ଏ ନେଇ ରାଜନାଥ ସିଂହ ପ୍ରସ୍ତାବ ଆଣିଥିଲେ ଓ କାର୍ଯର୍କାରିଣୀର ସବୁ ସଦସ୍ୟ ଏହାକୁ ସମର୍ଥନ କରିଥିଲେ । ଅମିତ ଶାହ ଏ ନେଇ ଘୋଷଣା କରିଛନ୍ତି । ନଡ୍ଡାଙ୍କ ନେତତ୍ୱରେ ବିଜେପି ୨୦୧୯ ପରେ ବଡ ସଫଳତା ପାଇଛି ।

-ୟୁପିରେ ଲଗାତାର ଦ୍ୱିତୀୟ ଥର ପାଇଁ ବଡ ବିଜୟ ହାସଲ
-ବିହାରରେ ବିଜେପିର ଭଲ ପ୍ରଦର୍ଶନ
-ମହାରାଷ୍ଟ୍ରରେ ଏନଡିଏ କ୍ଷମତାକୁ ଫେରିବା
ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ବୃଦ୍ଧି ଘଟି ମୁଖ୍ୟ ବିରୋଧୀ ଦଳ ହେବା
-ଗୁଜରାଟରେ ବିରୋଧୀଙ୍କୁ ଚିତପଟ୍ଟାଙ୍ଗ କରି ପ୍ରଚଣ୍ଡ ବହୁମତ ହାସଲ
-ଉତ୍ତର-ପୂର୍ବ ରାଜ୍ୟରେ ବି ବିଜେପିକୁ ସଫଳତା

ଏବେ ପୁଣି ୨୦୧୯ ଭଳି ମୋଦିଙ୍କ ନେତୃତ୍ୱ ଓ ନଡ୍ଡାଙ୍କ ସଭାପତିତ୍ୱ ଯୋଡିରେ ୨୦୨୪ରେ ରେକର୍ଡ ତୃତୀୟ ଥର ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ବିଜେପି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରଣୀରେ ୨୦୨୪ ପୂର୍ବରୁ ଚଳିତବର୍ଷର ୯ ବିଧାନସଭା ଭୋଟ ଜିତିବା ଉପରେ ଦଳର ଶୀର୍ଷ ନେତୃତ୍ୱ ଗୁରୁତ୍ୱ ଦେଇଛି । ମଧ୍ୟପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ଛତିଶଗଡ, ନାଗାଲାଣ୍ଡ, ମେଘାଳୟ. ମିଜୋରାମର ବିଜୟ ଆଗାମୀ ସାଧାରଣ ନିର୍ବାଚନରେ ପିଚ ତିଆରି କରିବ ବୋଲି ଦଳ ହୃଦବୋଧ କରିଛି ।

-ଏଥିପାଇଁ ବୁଥ ସ୍ତରରେ ଦଳର ପରିଚାଳନାକୁ ଗୁରୁତ୍ୱ ଦିଆଯିବ
-ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରାଯିବ
-କେନ୍ଦ୍ରର ସମସ୍ତ ଯୋଜନା ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

ତେଣୁ ଏହିସବୁ ଲକ୍ଷ୍ୟ ନେଇ ବିଜେପି ଲୋକଙ୍କ ପାଖକୁ ଯାଇ ୨୦୨୪ ନିର୍ବାଚନ ଲଢିବ ବୋଲି କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି । ଦିଲ୍ଲୀରେ ବିଜେପିର ବୈଠକ ଚାଲିଥିଲା ବେଳେ ରାଜ୍ୟରେ ମଧ୍ୟ ରାଜ୍ୟ ସଭାପତି ସମୀର ମହାନ୍ତି ୨୦୨୪ ନିର୍ବାଚନ ଯାଏଁ ନିଜ ଦାୟିତ୍ୱରେ ରହିବେ । ୨୦୧୯ ପରେ ବି ବିଜେପିର ବିଜୟଯାତ୍ରା ଅବ୍ୟାହତ ରହିଛି । ଆଉ ବିଜେପିର ରଣନୀତି ଓ ମୋଦି-ଶାହ ମ୍ୟାଜିକକୁ ଫିକା କରିବା ପାଇଁ ବିରୋଧୀ ବି ରଣନୀତି ପ୍ରସ୍ତତିରେ ଲାଗିଛନ୍ତି ।

Spread the love