ଜାଲ୍‌ ଡାକ୍ତର ଠାବ କରିବାକୁ ଓଡିଶା ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ, ଚିହ୍ନଟ ହେବେ ନକଲି

ଜାଲିଆତି କରି ଡାକ୍ତରୀ ପେସାକୁ ଆସିଥିବା ଡାକ୍ତର ଧରା ହେବେ । ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର। ଆଉ ଯଦି ଧରାପଡିବେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଡାକ୍ତରୀ ପେସାରେ ଥିବା ସମସ୍ତଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯିବ। ରାଜ୍ୟରେ କାର୍ଯ୍ୟରତ ସବୁ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ସହ ଜାଲ୍‌ ଚିକିତ୍ସକ ଠାବ କରିବାକୁ ଓଡିଶା ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏମ୍‌.ଏସ୍‌ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ମାମଲାର ଶୁଣାଣି କରି ଖଣ୍ଡପୀଠ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯାଞ୍ଚ ପାଇଁ ସବୁ CDMOଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଫେବୃଆରି ୨୦ ସୁଦ୍ଧା ସାନି ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଜଣା ପଡିଥିଲା। ଏ ନେଇ ବିଶ୍ଵବ୍ୟାଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଙ୍ଗରେ ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୨୦୨୨ ଡିସେମ୍ବର ୨୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ସତ୍ୟପାଠ ଦାଖଲ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ କହିଥିଲେ।

Spread the love