ସମ୍ପୂର୍ଣ୍ଣା ଓ ରବିବାର…

ସମ୍ପୂର୍ଣ୍ଣା ଓ ରବିବାର
ଥଣ୍ଡା ଆଉ ସ୍ୱପ୍ନର ଯୁଗଳବନ୍ଦୀ
ମୋଟା କମ୍ବଳ ତଳେ ଉଷୁମ ପବନର ତାତି
ହଠାତ୍ ବାଜିଲା ଫୋନ୍ !
ନିଦ ଭାଙ୍ଗିଗଲା କଅଁଳିଆ ସ୍ୱରର
ଧୀର ଓ ନମନୀୟ ଶବ୍ଦରେ ।
ତମର କ’ଣ ମନେନାହିଁ
ଆଜି ପରା ରବିବାର,
ସମ୍ପୂର୍ଣ୍ଣା କହିଲା ଧୀରେ
କ୍ରୋଧ ସମ୍ବରଣ କରି ।
ମୁଁ ମୂର୍ଖ ବୁଝିପାରେନି
ତା’ର କ୍ରୋଧ ପଛରେ ନିରବତା
ବିହ୍ଵଳ ନା କୌତୁହଳ !
ବାରମ୍ବାର ଉଙ୍କି ମାରେ ଏହି ପ୍ରଶ୍ନ
ମୋ ମନର କେଉଁ ଏକ ନିରବ କୋଣରେ
ଆନ୍ଦୋଳିତ ହେଉଥାଏ ଦ୍ବନ୍ଦ୍ୱର ଜୁଆରେ ।
ସମ୍ପୂର୍ଣ୍ଣା ଫୋନ୍ କରେ ପ୍ରତି ରବିବାର
କଥା ହୁଏ, ଅଳି କରେ
କ୍ରୋଧିତ ବି ହୁଏ
ଆଉ ହକ୍ ବି ଜାହିର କରେ
ଅବୁଝା ପ୍ରେମିକା ପରି ।
ଅଭିମାନ କଲେ ସେ ସବୁଠୁ ଅଧିକ ସୁନ୍ଦର ଲାଗେ
ଯାହା ସେ ବାସ୍ତବରେ ଲାଗେନି ;
ସଂପୂର୍ଣା ରାଗିଗଲେ ଲାଗେ
କଅଁଳିଆ ସୂର୍ଯ୍ୟ ପରି
ଈଷତ୍ ଗାଢ଼ ରଙ୍ଗ, ତା’ର ସେଇ
ଗୋଲିଆ ମୁହଁରେ ।
କୋମଳ ହାତରେ ଖେଳୁଥାଏ
ଇଅର ଫୋନ୍ ସାଙ୍ଗେ
ଫୋନରେ କଥା ହେଲାବେଳେ ।
ଟୁକ୍ ଟୁକ୍ ଶବ୍ଦ ତା’ର ଭେଦିଯାଏ
ମୋ ରକ୍ତ ଧମନୀରେ
କଥା ହେଉ ହେଉ ହଠାତ୍ ସିଏ ଚୁପ ହେଇଯାଏ
ଛାତିର ସ୍ପନ୍ଦନ ବଢ଼େ
ଠିକ୍ ସ୍ପିଡୋମିଟର ଭଳି
ଓଠ ବି ଥରୁଥାଏ ହାଡ଼ଭଙ୍ଗା ଶୀତରେ ।
ଗରମ ପବନ ଦିଗହରା ହେଉଥାଏ
ଧକ୍କା ଦେବାକୁ
କେଉଁ ଏକ ସମୁଦ୍ର ମଝିରେ ଥିବା
ପାଲଟଣା ଡଙ୍ଗାକୁ।
ଆତୁରି ହେଉଥାଏ ସମ୍ପୂର୍ଣ୍ଣା ଚୁମା ଖାଇବାକୁ
ମଝିରେ ଥାଏ ମୋବାଇଲ ଫୋନର ପାଚେରୀ
ଧକ୍କା ହୁଏ ତିମିର ଅନ୍ଧାରେ
ଓଦା ହୁଏ ମୋବାଇଲ,
ଛୋଟ ଛୋଟ ଜଳବିନ୍ଦୁ ପାଲଟିଯାଏ
ଉଷୁମ ପବନ
(ଚାରୁ ଚନ୍ଦନ ଦାଶ )

Spread the love