ମୋଦିଜୀଙ୍କ ନେତୃତ୍ୱରେ ଭାରତୀୟ ଅର୍ଥବ୍ୟବସ୍ଥା ଉଜ୍ଜ୍ୱଳ ଭବିଷ୍ୟତ ଦିଗକୁ ଅଗ୍ରସର ହେଉଛି: ସମୀର ମହାନ୍ତି

ଭୁବନେଶ୍ୱର, ତା.୦୨/୦୨ : ସ୍ୱାଧୀନତାର ୧୦୦ ବର୍ଷ ପୁର୍ତୀ ଅବସରରେ ଆସନ୍ତା ୨୦୪୭ ମସିହାରେ ଭାରତବର୍ଷକୁ ସମୃଦ୍ଧ ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ଆର୍ôଥକ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଗତ କାଲି ଅମୃତ କାଳଖଣ୍ଡର ମୂଳଦୁଆ ପଡିଛି । ସୁଦୁରପ୍ରସାରୀ, ଯୁଗାନ୍ତକାରୀଏ ଏହି ଐତିହାସିକ ବଜେଟ୍‌ରେ ଗାଁ, ଗରୀବ, କିଷାନ, ମହିଳା, ଯୁବ, ଆଦିବାସୀ, ଦଳୀତ, ଶୋଷିତ, ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ମଧ୍ୟମ ବର୍ଗକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । ଗତ କାଲି ଉପସ୍ଥାପିତ ହୋଇଥିବା ବଜେଟ୍ ସମସ୍ତ ଦେଶବାସୀ ପାଇଁ ସମର୍ପିତ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ସାମଗ୍ରିକ ବିକାଶ, ସବୁଜ ବିକାଶ, ଯୁବ ଶକ୍ତି, ଦେଶର ଶେଷ ବ୍ୟକ୍ତି ପାଖକୁ ବଜେଟକୁ ପହଂଚାଇବା, ସଶକ୍ତ ଆର୍ଥିକ କ୍ଷେତ୍ର, ଭିତିଭୁମି ଓ ପୁଞ୍ଜିନିବେଶ ଏବଂ କ୍ଷମତାର ବିକାଶକୁ ଆଧାର କରି ଗତ କାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିଥାରମଣ ଏକ ଜନକଲ୍ୟାଣକାରୀ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ସମଗ୍ର ଦେଶବାସୀଙ୍କୁୁ ସାମାଜିକ ନ୍ୟାୟ, ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାର ସରକାରଙ୍କ ଏହି ବଜେଟ୍ । ଏହା ଏକ କେବଳ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ନୁହେଁ ବରଂ ଆଗାମୀ ୨୫ ରୁ ୫୦ ବର୍ଷ ପାଇଁ ବିକଶିତ ଅର୍ଥବ୍ୟବସ୍ଥାର ମୁଳଦୁଆ ରଖିବାର ‘ରୋଡ ମ୍ୟାପ୍‌’ ଅଟେ । ଏଭଳି ଏକ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ସର୍ବସମାବେଶୀ, ବିକଶିତ ଭାରତବର୍ଷ ଏବଂ ଦେଶବାସୀଙ୍କୁ ସମର୍ପିତ ବଜେଟ୍ ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
କରୋନା ମହାମାରୀ ସଂକଟ, ୟୁକ୍ରେନ-ରୁଷ ଯୁଦ୍ଧର ବୈଶ୍ୱିକ ସଂକଟ ସତ୍ୱେ ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହେବା ଭାରତବର୍ଷର ଦୃତ ଓ ଅଗ୍ରଗତି ଅର୍ଥବ୍ୟବସ୍ଥାକୁ ଦର୍ଶାଉଛି । ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାକୁ ବନ୍ଦ କରି ଏବଂ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୈାଣସି ଟାକ୍ସ ନଲଗାଇ ମଧ୍ୟମ ବର୍ଗଙ୍କୁ ଏକ ଐତିହାସିକ ପୁରସ୍କାର ପ୍ରଦାନ କରିଛନ୍ତି ମୋଦି ସରକାର । ଆସନ୍ତା ୩ ବର୍ଷରେ ୪୭ ଲକ୍ଷ ଯୁବକଙ୍କ ପାଇଁ ପିଏମ କୈାଶଳ ବିକାଶ ଯୋଜନା-୪.୦ର ଘୋଷଣା ସର୍ବଥା ସ୍ୱାଗତଯୋଗ୍ୟ । ମାଁ ଓ ଭଉଣୀମାନଙ୍କୁ ୨ ଲକ୍ଷ ଟଙ୍କାର ସଂଚୟ ଉପରେ ୭.୫ ପ୍ରତିଶତ ସୁଧ ମିଳିବ । ମହିଳା ସମ୍ମାନ ବିକାଶ ପତ୍ର ଜରିଆରେ ମହିଳାଙ୍କୁ ଆର୍ଥିକ ସଶକ୍ତୀକରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ବରିଷ୍ଠ ନାଗରିକମାନେ ନିଜ ନିଜ ସେଭିଙ୍ଗ ଆକାଉଂଟରେ ବର୍ତମାନ ୪.୫ ଲକ୍ଷ ପରିବର୍ତେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ ରଖିବା ସହ ବ୍ୟାକରେ ସଂଚୟ ପରିମାଣ ୧୫ ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି କରାଯାଇଛି । ପିଏମ ଆବାସ ଯୋଜନା ପାଇଁ ୬୬ ପ୍ରତିଶତ ବୃଦ୍ଧି ହୋଇ ୭୯ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ଶ୍ରୀ ଅନ୍ନ ଯୋଜନାରେ ମିଲେଟ ଖାଦ୍ୟଶସ୍ୟକୁ ଭାରତକୁ ବିଶ୍ୱର ଏକ ନମ୍ବର ଭାବେ ପ୍ରତିଷ୍ଠିତ କରିବା ପାଇଁ ମୋଦି ସରକାରରଙ୍କ କଟିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ । ପିଏମପିବିଟିଜି ବିକାଶ ମିଶନ ଆରମ୍ଭ କରି ଜନଜାତିଙ୍କ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଥିବା ସ୍ପଷ୍ଟ ହୋଇଛି । ଶିଶୁ ଓ କିଶୋରଙ୍କ ପାଇଁ ରାଷ୍ଟ୍ରୀୟ ଡିଜିଟାଲ ପୁସ୍ତକାଳୟ ସ୍ଥାପିତ କରିବା, ଆସନ୍ତା ୩ ବବର୍ଷରେ ୭୪୦ ଏକଲବ୍ୟ ବିଦ୍ୟାଳୟ ପାଇଁ ୩୮,୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବାର ନିଷ୍ପତି ନିହାତି ସ୍ୱାଗତଯୋଗ୍ୟ । କୃଷି ଋଣ ଲକ୍ଷ୍ୟକୁ ୨୦ ଲକ୍ଷ କୋଟିକୁ ବୃଦ୍ଧି କରିବାର ନିଷ୍ପତିକୁ ହୃଦୟର ସହ ସ୍ୱାଗତ କରୁଛି । କ୍ଷୁଦ୍ର ଓ ଛୋଟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମତ୍ସ୍ୟ ସଂପଦ ଯୋଜନାରେ ୬ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି । ଏହି ବଜେଟରେ ରେଳ ବିଭାଗକୁ ସର୍ବକାଳୀନ ସର୍ବାଧିକ ୨ ଲକ୍ଷ ୪୦ ହଜାର କୋଟି ଟଙ୍କା ମିଳିଛି । ରାଜ୍ୟକୁ ମିଳୁଥିବା ସୁଧମୁକ୍ତ ଋଣ ଅବଧିକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି । ଦେଶର ସମସ୍ତ ୧୫୭ଟି ମେଡିକାଲ କଲେଜରେ ୧୫୭ଟି ନର୍ସିଂ କଲେଜ ଖୋଲାଯିବାର ନିଷ୍ପତି; କ୍ଷେତ୍ରୀୟ ଗମନାଗମନକୁ ସୁଦୃଢ କରିବା ପରିପ୍ରେକ୍ଷୀରେ ନୂତନ ୫୦ ଟି ବିମାନ ବନ୍ଦରର ସ୍ଥାପନା, ଏମଏସଏମଇକୁ ପ୍ରାଧାନ୍ୟ ଦିଆଯାଇ ଅତିରିକ୍ତ ୯ ହଜାର କୋଟି ଟଙ୍କାର କ୍ରେଡିଟ ଗ୍ୟାରେଂଟି ପ୍ରଦାନ ଆଦି ଭଲି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମୋଦି ସରକାର ଗୁରୁତ୍ୱ ଦେଇଥିବାରୁ ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଭାରତୀୟ ଅର୍ଥବ୍ୟବସ୍ଥା ସଠିକ ରାସ୍ତାରେ ଅଛି ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଦିଗକୁ ଅଗ୍ରସର ହେଉଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି । ସ୍ୱାଧୀନତାର ୧୦୦ ବର୍ଷ ପୁର୍ତି ପରବର୍ତୀ ଭାରତବର୍ଷର ପରିକଳ୍ପାନାର ବଜେଟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
୨୦୨୩-୨୪ କେନ୍ଦ୍ର ବଜେଟରେ ଓଡିଶାର ବିକାଶ ପାଇଁ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିଛି । ବିଶେଷ ଭାବେ ଏହି ବଜେଟ୍ ଦ୍ୱାରା ଓଡିଶାବାସୀ ଅଧିକ ଲାଭାନ୍ୱିତ ହେବେ । ରାଜ୍ୟର ଆଦିମ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଅର୍ତ ବ୍ୟବସ୍ଥା ରହିଛି । ଅନ୍ୟ ପଟେ ରାଜ୍ୟରେ ଥିବା ୨୩ବର୍ଷର ବିଜେଡି ସରକାରଙ୍କ କୈାଣସି ବିକାଶମୁଳକ କାର୍ଯ୍ୟ ପାଇଁ ଆଭିମୁଖ୍ୟ ନାହିଁ ଏବଂ କେନ୍ଦ୍ର ବଜେଟରେ ବ୍ୟୟବରାଦ ଅର୍ଥକୁ ସଠିକ ଭାବେ ଖର୍ଚ୍ଚ କରିବାରେ ବିଫଳ ହୋଇଛି ବିଜେଡି ସରକାର । ଛାତ୍ରଛାତ୍ରୀ, ଯୁବ ବର୍ଗ, ମହିଳା, ଚାଷୀକୁଳର ବିକାଶ ପାଇଁ ଆଦୈା ଚିନ୍ତିତ ନଥିବା ଦିଶାହୀନ ବିଜେଡି ସରକାର କେବଳ ରାଜନୀତି ଉଦ୍ଦେଶ୍ୟରେ ଏବଂ ବାଧ୍ୟବାଧକତାରେ ବଜେଟକୁ ନିନ୍ଦା କରିଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରୀୟ ଅର୍ଥକୁ ସଠିକ୍ ଭାବେ ବ୍ୟବହାର କରି ଓଡିଶା ଏବଂ ଓଡିଆ ଯୁବକଙ୍କୁ ସମୃଦ୍ଧ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love