ବଜେଟ୍ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମିଛ କହି ରାଜ୍ୟବାସୀଙ୍କୁ ଠକିବା ଉଚିତ୍ ନୁହେଁ : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ତା.୦୨/୦୨ : କେନ୍ଦ୍ର ବଜେଟରେ ମନରେଗା ଅର୍ଥ କମିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ ଓ ନିରାଧାର ଅଟେ ବୋଲି ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁରଜ କହିଛନ୍ତି ଯେ, ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ବିଜେପି ନେତୃବୃନ୍ଦଙ୍କ ପ୍ରତି ସେ ପ୍ରୟୋଗ କରିଥିବା ଶବ୍ଦ ଅଶୋଭନୀୟ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତ ସମୟରେ କହିଥିଲେ ଓଡ଼ିଶା ଶାସନକୁ କିଏ ଚଲାଉଛି ଏବଂ ଓଡ଼ିଶାର ଶାସନ ଦାୟିତ୍ୱ କାହା ହାତରେ ନ୍ୟସ୍ତ ରହିଛି । ଗତକାଲି କେନ୍ଦ୍ର ବଜେଟ୍ ପ୍ରତିକ୍ରିୟାରେ ମିଛ କହି ରାଜ୍ୟବାସୀଙ୍କୁ ଠକିବା ଉଚିତ୍ ନୁହେଁ । ବିଜେଡି ମଧ୍ୟ ସେହି ବାଟ ଆପଣାଇଛି । ମୁଖ୍ୟମନ୍ତ୍ରୀ ବଜେଟକୁ ଭଲରେ ଜାଣି ଟ୍ୱିଟ୍ କରିଛନ୍ତି ନା ତାଙ୍କ ଅଜାଣତରେ କିଏ ଟ୍ୱିଟ୍ କରିଛି ବୋଲି ଶ୍ରୀ ସୁରଜ ପ୍ରଶ୍ନ କରିଛନ୍ତି ।
ଆୟୁଷ୍ମାନ ଭାରତ, ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ନେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟିରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ୮୦ ହଜାର କୋଟି ଟଙ୍କାର ସହାୟତା ମିଳିଛି । ୯ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ରରେ ଗରିବଙ୍କୁ ୨୦ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି । ଭାରତ ସରକାରଙ୍କ ତଥ୍ୟ ଅନୁସାରେ ଗରିବ ଏବଂ ମଧ୍ୟବିତ ଶ୍ରେଣୀର ଲୋକମାନେ ୧ ଲକ୍ଷ କୋଟି ଟଙ୍କା ସଂଚୟ କରିପାରିଛନ୍ତି । ଆୟୁଷ୍ମାନ ଭାରତ କଣ, ତାହା ଦେଶ ଓ ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି ।
ଆଭା ଯୋଜନାରେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ରାଜ୍ୟ ସରକାର ରାଜନୈତିକ ଅଭିସନ୍ଧି ରଖି ଦୀର୍ଘ ୫ବର୍ଷ ହେଲା ଓଡ଼ିଶାର ପ୍ରାୟ ୬୦ଲକ୍ଷ ଗରିବ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ରଖିଛନ୍ତି । ଗ୍ରାମୀଣ ଓଡ଼ିଶାର ପ୍ରାୟ ୩୩.୪୫ ପ୍ରତିଶତ ପରିବାର କାମ କରିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତି । ଗଞ୍ଜାମ ସମେତ ଏହି ପ୍ରବାସୀ ଓଡ଼ିଆମାନଙ୍କ ସଂଖ୍ୟା ଆଜି ୨୫ଲକ୍ଷ ଟପିଲାଣି । ଏହା କେଉଁ ପ୍ରକାରର ସାର୍ବଜନୀନ ସ୍ୱାସ୍ଥ୍ୟସେବା ? ଆୟୁଷ୍ମାନ ଭାରତରେ ଅଛନ୍ତି ୨୬,୨୬୭ରୁ ଅଧିକ ଡାକ୍ତରଖାନା । ଓଡିଆ ଲୋକେ ଯଦି ନିଜ ଦେଶର ଯେକୌଣସି ରାଜ୍ୟରେ, ଯେକୌଣସି ସହର ବା ଅଂଚଳରେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଲେ, ତାହେଲେ ଏହା କି ପ୍ରକାରର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ? ବିଏସକେୱାଇରେ ମିଛ ପ୍ରଚାର କରୁଛନ୍ତି । ଗୋଟିଏ ବିଧାୟକର ଅନୁରୋଧରେ କଟକ ଏସସିବି ମେଡିକାଲରେ ଆଇସିୟୁ ମିଳୁନାହିଁ ଏବଂ ସାଧାରଣ ଲୋକଙ୍କ କଥା କଣ କହିବା ? ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟସେବା ଯଦି ଭଲ ଅଛି ତେବେ ଦିବଙ୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭୁବନେଶ୍ୱରର ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ କାହିଁକି ଭର୍ତି କରାଗଲା ବୋଲି ଶ୍ରୀ ସୁରଜ ପ୍ରଶ୍ନ କରିଛନ୍ତି ।
ମନରେଗାରେ ଗ୍ରାମୀଣ ଅଂଚଳରେ ଶ୍ରମିକମାନଙ୍କୁ କାମ ଦେବା ତଥା ସେମାନଙ୍କୁ ରୋଜଗାର ଓ ସ୍ୱରୋଜଗାର କରିବା ପାଇଁ ମନରେଗା ଯୋଜନା ଆରମ୍ଭ କରାଯାଇଛି । ଓଡ଼ିଶାରେ ମନରେଗାରେ ଭାରତ ସରକାର ବଜେଟରେ ପଇସା କମାଇ ଦେବା ନେଇ ଭ୍ରାନ୍ତ ଧାରଣା ତିଆରି କରାଯାଉଛି । ଚଳିତ ଆର୍ôଥକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟରେ ମନରେଗା ଯୋଜନା ପାଇଁ ୬୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୦୬ ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମନରେଗାରେ ୨.୨୭ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ମୋଦି ସରକାରରେ ବିପୁଳ ଅର୍ଥ ୯ବର୍ଷରେ ମନରେଗା ଯୋଜନାରେ ୬.୫ ଲକ୍ଷ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଯୋଜନାରେ ୫.୭୭କୋଟି ପରିବାର ଲାଭବାନ ହୋଇଛନ୍ତି । ମନରେଗା ଯୋଜନାରେ ଦେଶରେ ମୋଦି ସରକାରରେ ଆର୍ôଥକ ବର୍ଷରେ୨,୪୦୨ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି ଏବଂ ୫ଲକ୍ଷ ୮୮ ହଜାର ୭୬୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ୬୨୦ ଲକ୍ଷ ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇଛି ।
ମନରେଗାରେ ଓଡ଼ିଶାକୁ ୨୦୧୪-୧୫ ରୁ ୨୦୨୩ ମଧ୍ୟରେ ୧୦୭ କୋଟି ଦିନର କାମ ଜେନେରେଟ୍ କରାଯାଇଛି । ଓଡ଼ିଶାକୁ ଏଥିପାଇଁ ୨୬,୧୬୬କୋଟି ଟଙ୍କା ଦିଆଯାଇଛି । ୩୧.୯୩ ଲକ୍ଷ ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇଛି । ବିଜେଡି କାରଣରୁ ମନରେଗା ଯୋଜନା ପଥଭ୍ରଷ୍ଟ ହୋଇଛି । ମନରେଗାରେ ଗଞ୍ଜାମ ଜିଲ୍ଲା ସର୍ବାଧିକ ଲାଭାନ୍ୱିତ । କିନ୍ତୁ ଲମ୍ବା ଦଶନ୍ଧି ଧରି ଦାୟିତ୍ୱରେ ରହିବା ପରେ ମଧ୍ୟ ମନରେଗାର ଲାଭ ପାଇନାହିଁ । ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ପୁଞ୍ଜିନିବେଶ କରିବା କହୁଛନ୍ତି ମାତ୍ର ଦାଦନ ଖଟିବା ପାଇଁ ଓଡ଼ିଆ ପିଲା କାହିଁକି ବାହାରକୁ ଦାଦନ ଯାଉଛନ୍ତି ? ଅପରପକ୍ଷରେ ନରେନ୍ଦ୍ର ମୋଦିଙ୍କ ସରକାରରେ ଭିତିଭୂମି ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ବିଭିନ୍ନ କ୍ଷେତ୍ରରେ ୧୦ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ରୋଜଗାର ବଢିବ । ଲୋକଙ୍କ ପାଖରେ ରୋଜଗାର ପହଂଚିବ । ଲୋକମାନେ କାମ ପାଇବେ । ଏହା ଇତିହାସରେ ବିରଳ । ସବୁ କ୍ଷେତ୍ରରେ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ମୋଦି ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ କହୁଛନ୍ତି ବଜେଟରେ ମନରେଗାରେ ଅନୁଦାନ କମିଯାଇଛି, ଏହା ସମ୍ପୂର୍ଣ୍ଣ ଭୁଲ ଓ ନିରାଧାର ବୋଲି ଶ୍ରୀ ସୁରଜ କହିଛନ୍ତି ।
ଓଡ଼ିଶାର ୪.୫ କୋଟି ନାଗରିକମାନଙ୍କ ମଧ୍ୟରୁ ୩.୨୫ କୋଟି ନାଗରିକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଉଛନ୍ତି । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ବିଫଳ ହୋଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ପ୍ରଦାନ କରାଯାଉଛି । ବଜାର ମୂଲ୍ୟ ଅନୁସାରେ ବର୍ତମାନ୍ କେଜି ପିଛା ୩୭.୨୮ ଟଙ୍କା ଖର୍ଚ୍ଚ ହେଉଛି । ଅର୍ଥାତ୍ ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦ୍ର ସରକାର ବର୍ଷକୁ ପ୍ରାୟ ୮,୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟ ପଟେ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ମାତ୍ର ୧୮୫ କୋଟି ଦେଉଥିଲେ । ମାତ୍ର ମୋଦି ସରକାର ଓଡ଼ିଶାରେ ପ୍ରାୟ ୮୦ ଭାଗ ଲୋକଙ୍କୁ ବିନା ମୂଲ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିବାର ଦାୟିତ୍ୱ ନେଇଛନ୍ତି । ଗରିବ ଲୋକଙ୍କ ପାଇଁ ମୋଦି ସରକାର ସବୁବେଳେ କାର୍ଯ୍ୟ କରିଚାଲିଛନ୍ତି । ସେଥିପାଇଁ ସେ ସବୁବେଳେ କହୁଛନ୍ତି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ବୋଲି ଶ୍ରୀ ସୁରଜ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love