ସର୍ବଭାରତୀୟ ଆନ୍ତଃ ଏନ୍‌ଆଇଟି କ୍ରୀଡ଼ା ମହୋତ୍ସବ’ ଶେଷ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଚାଲିଥିବା ତିନିଦିନିଆ ‘ସର୍ବଭାରତୀୟ ଆନ୍ତଃ ଏନ୍‌ଆଇଟି କ୍ରୀଡ଼ା ମହୋତ୍ସବ’ ଉଦ୍‌ଯାପିତ ହୋଇଛି। ଏଥିରେ ରାଉରକେଲା ଏନ୍‌ଆଇଟି ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ରାଉରକେଲା ଏନଆଇଟି ଦଳ ଉଭୟ ପୁରୁଷ ଓ ମହିଳା ବର୍ଗର ଖୋଖୋ ପ୍ରତିଯୋଗିତା ଚାମ୍ପିଅନ ହୋଇଛି। ଏହାସହ ଫୁଟବଲ(ପୁରୁଷ) ଓ ଗୋଷ୍ଠି ସନ୍ତରଣ(ମହିଳା)ରେ ଦ୍ବିତୀୟ ସ୍ଥାନ ଦଖଲ କରିଛି। ଫୁଟବଲ ପ୍ରତିଯୋଗିତାରେ ଏନଆଇଟି ଅରୁଣାଚଳ ପ୍ରଦେଶ ଚାମ୍ପିଅନ ହୋଇଥିବାବେଳେ ଗୋଷ୍ଠି ସନ୍ତରଣ(ପୁରୁଷ)ରେ ଏନ୍‌ଆଇଟି ଟ୍ରିଚି, ଗୋଷ୍ଠି ସନ୍ତରଣ(ମହିଳା)ରେ ଏନ୍‌ଆଇଟି ନାଗପୁର ପ୍ରଥମ ସ୍ଥାନ ଦଖଲ କରିଛନ୍ତି।

ଏହି ପ୍ରତିଯୋଗିତା ଗତ ୧୦ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ଦେଶର ବିଭିନ୍ନ କୋଣଅନୁକୋଣରେ ଥିବା ୨୬ଟି ଏନ୍‌ଆଇଟିର ୭୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ପ୍ରତିଯୋଗିତାରେ ଖୋଖୋ, ସନ୍ତରଣ ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ଏନ୍‌ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ସୁରଥକଲ ଏନ୍‌ଆଇଟିର ଡ. ଏନ.କେ. ଦତ୍ତ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବାସହ ଖେଳୁଆଡ୍‌ ମନୋଭାବ ନେଇ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଥିବାରୁ ଉଚ୍ଚପ୍ରଶଂସା କରିଥିଲେ। ପ୍ରତିଯୋଗିତା ଆୟୋଜନରେ ଅନୁଷ୍ଠାନର କ୍ରୀଡ଼ା ସଂସଦ ଉପସଭାପତି ପ୍ରଫେସର ରମେଶ ମହାପାତ୍ର, ଡ. ମୟଙ୍କ ଯାଦବ, କ୍ରୀଡ଼ାଅଧିକାରୀ ଟି.ଆର. ପଟ୍ଟନାୟକ ପ୍ରମୂଖ ଭୂମିକା ତୁଲାଇଥିଲେ।

Spread the love