ପୋଷ୍ଟ୍‌ ହେବାର ୧୦୦ ବର୍ଷ ପରେ ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚିଲା ଚିଠି

ଲଣ୍ଡନ୍‌: ୧୯୧୬ ମସିହାରେ ଇଂଲଣ୍ଡ୍‌ର ବେଥ୍‌ ନଗରୀରେ ପୋଷ୍ଟ୍‌ ହୋଇଥିବା ଗୋଟାଏ ଚିଠି ଶତାଧିକ ବର୍ଷ ପରେ ଲଣ୍ଡନ୍‌ ଠିକଣାରେ ପହଞ୍ଚିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ରାଜା ପଞ୍ଚମ ଜର୍ଜଙ୍କ ଚିତ୍ର ଥିବା ଗୋଟିଏ ‘ପେନି’ (ଏକ ପଇସିଆ) ମୂଲ୍ୟର ଡାକଟିକେଟ୍‌ ଲଗାଯାଇଥିବା ଏହି ଚିଠିଟିରେ ବେଥ୍ ଓ ସିଡେନ୍‌ହାମ୍‌ ଡାକ ମୋହର ବାଜିଛି। ଏହି ଚିଠିଟିକୁ ୨୦୨୧ରେ ଥି‌ଏଟର୍‌ ନିର୍ଦେଶକ ଫିନ୍‌ଲେ ଗ୍ଲେନ୍‌ଙ୍କ ‘କ୍ରିଷ୍ଟାଲ୍‌ ପାଲେସ୍‌’ ଫ୍ଲାଟ୍‌ରେ ଥିବା ଚିଠିବାକ୍ସରେ ପକାଯାଇଥିଲା। ଅପ୍ରତ୍ୟାଶିତ ଚିଠିଟି ପାଇ ୨୭ ବର୍ଷିୟ ଗ୍ଲେନ୍‌ ଓ ତାଙ୍କ ପ୍ରେମିକା ତାଜୁବ ହୋଇଯାଇଥିଲେ। ଗ୍ଲେନ୍‌ କହିଛନ୍ତି, ଚିଠିଟି ୧୦୦ ବର୍ଷ ଧରି କେମିତି ପଡ଼ି ରହିଥିଲା ଭାବି ଆଚମ୍ବିତ ହେବା ସ୍ବାଭାବିକ। ନିଜ ଘରେ ପ୍ରାୟ ବର୍ଷେ ରଖିବା ପରେ ଗ୍ଲେନ୍‌ ଏହି ଚିଠିଟିକୁ ନେଇ ସ୍ଥାନୀୟ ଐତିହାସିକ ସମାଜକୁ ଯାଇଥିଲେ। ଚଠିଟି କିଏ ଦେଇଥିଲା ଜାଣିବା ଥିଲା ତାଙ୍କର ଉଦ୍ଦେଶ୍ୟ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ଏଥିରେ ଉଲ୍ଲେଖ ଥିବା ପ୍ରାପକଙ୍କ ନାଁ ହେଉଛି ‘‌ଷ୍ଟାମ୍ପ୍‌ ଡିଲର୍‌’ ଓସ୍‌ୱାଲ୍‌ଡ୍‌ ମାର୍ସଙ୍କୁ ବିବାହ କରିଥିବା କେଟି ମାର୍ସ। ସେତେବେଳେ ପ୍ରଥମ ବିଶ୍ବଯୁଦ୍ଧ ଚାଲିଥିଲା। ବେଥ୍‌ ବୁଲି ଯାଇଥିବା କେଟିଙ୍କ ବାନ୍ଧବୀ କ୍ରିଷ୍ଟାବେଲ୍‌ ମିନେଲ୍‌ ଏହି ଚିଠିଟି ଲେଖି ପୋଷ୍ଟ୍‌ କରିଥିଲେ ବୋଲି ସ୍ଥାନୀୟ ଇତିହାସ ପତ୍ରିକା ‘ଦି ନର୍‌ଉଡ୍‌ ରିଭ୍ୟୁ’ର ସମ୍ପାଦକ ଷ୍ଟିଫେନ୍‌ ଅକ୍ସଫୋର୍ଡ କରିଥିବା ଗବେଷଣାରୁ ଜଣାପଡ଼ିଛି। କ୍ରିଷ୍ଟାବେଲ୍‌ ମିନେଲ୍‌ ଥିଲେ ବିତ୍ତଶାଳୀ ଚା ବ୍ୟବସାୟୀ ହେନେରି ଟ୍ୟୁକ୍‌ ମିନେଲ୍‌ଙ୍କ ଝିଅ। ଇଂଲଣ୍ଡ୍‌ର ଡାକ ବିଭାଗ ରୟାଲ୍‌ ମେଲ୍‌ କହିଛି ଯେ, ଚିଠିଟି କେମିତି ଏତେ ଦିନ ପଡ଼ି ରହିଥିଲା ସେ ବିଷୟରେ ସେମାନେ ଜାଣି ପାରୁନାହାନ୍ତି। କିନ୍ତୁ, ‘ଅକ୍ସଫୋର୍ଡ କହିଛନ୍ତି ଯେ, ସମ୍ଭବତଃ ବନ୍ଦ ହୋଇଯାଇଥିବା କୌଣସି ଚିଠି ‘ସର୍ଟିଙ୍ଗ୍‌’ (ଠିକଣା ଅନୁସାରେ ପଠାଇବା ପାଇଁ ଚିଠି ସଜଡ଼ିବା) ଅଫିସ୍‌ରେ ରହିଯାଇଥିଲା। ଚିଠିଟିର ପ୍ରେରକ କି, ପ୍ରାପକଙ୍କ ଆତ୍ମୀୟଙ୍କ ସହିତ ଯୋଗାଯୋଗ ହୋଇ ପାରିଲେ କ’ଣ କରିବେ ବୋଲି ଗ୍ଲେନ୍‌ଙ୍କୁ ପଚରାଯିବାରୁ ସେ କହିଛନ୍ତି, ସେମାନଙ୍କ ପାରିବାରିକ ଇତିହାସରେ ଏଇଟା ଗୋଟାଏ ବିଚିତ୍ର ଅଧ୍ୟାୟ ହେବ। ସେମାନ‌େ ଯଦି ଚିଠିଟିକୁ ନେବାକୁ ଆଗ୍ରହୀ, ସେମାନେ ଆସି ନେଇ ପାରିବେ।

Spread the love