ବୁଡ଼ିଯିବ କି ଉପକୂଳ ଓଡ଼ିଶା ? ବଢୁଛି ଉପକୂଳ ଅଞ୍ଚଳ ପ୍ରତି ବିପଦ

ବୁଡ଼ିବ କି ଉପକୂଳ ଓଡ଼ିଶା ? ବଢୁଛି ସମୁଦ୍ରର ଜଳସ୍ତର। ବଢୁଛି ଉପକୂଳ ଅଞ୍ଚଳ ପ୍ରତି ବିପଦ। ଆଗକୁ ବିଶ୍ୱବ୍ୟାପୀ ପଡ଼ିବାକୁ ଯାଉଛି ଏହାର ଗଭୀର ପ୍ରଭାବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ପାଇଁ ସମୁଦ୍ର ଜଳସ୍ତର ବୃଦ୍ଧିର ପ୍ରଭାବ ନେଇ ଆଲୋଚନା ପରେ ସତର୍କ କରିଛି ବିଶ୍ୱ ପାଣିପାଗ ସଂସ୍ଥା। ଅଧିକ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ମୁମ୍ବାଇ ଓ ନ୍ୟୁୟର୍କ ଭଳି ବୃହତ ସହର। ଏଥିରୁ ବାଦ୍‌ ପଡ଼ିନି ପୂର୍ବଭାରତରେ ସମୁଦ୍ର ଉପକୂଳରେ ଥିବା ଓ଼ଡିଶା ତଟ। ସମୁଦ୍ର ଆଁରେ ବୁଡିଯାଇପାରେ କୋଷ୍ଟାଲ୍‌ ଓଡ଼ିଶା। ୧୯୯୩ରୁ ୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮ ମିଲିମିଟର ବଢ଼ିଛି। ଏହି ସମୟରେ ଭାରତ ଉପକୂଳରେ ଗୋପାଳପୁର-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଉପକୂଳରେ ଗୁରୁତର ଭାବରେ ବୃଦ୍ଧି ପାଇଛି ଜଳସ୍ତର । ଗୋପାଳପୁର-ପୁରୀ ଉପକୂଳ ଜଳସ୍ତର ପ୍ରାୟ ୫ ମିଲିମିଟର ବୃଦ୍ଧି ହେଉଥିବା ବେଳେ ବାଲେଶ୍ୱର-ଭଦ୍ରକ ଉପକୂଳରେ ଏହା ୨-୩ ମିଲିମିଟର ବୃଦ୍ଧି ହୋଇଛି । ଆଗାମୀ ଦିନରେ ସମୁଦ୍ରର ଅବକ୍ଷୟ ଓ ଜଳସ୍ତର ବୃଦ୍ଧି ଓଡ଼ିଶା ଉପକୂଳ ପାଇଁ ବିପଦ ଆଣିପାରେ । ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ବଡ଼ ବିପଦ ଆଣିପାରେ ସମୁଦ୍ରର ଜଳସ୍ତର ବୃଦ୍ଧି।

କ୍ଷୁଦ୍ର ବିକାଶଶୀଳ ଦେଶ ଓ ତଳିଆ ଅଞ୍ଚଳରେ ଥିବା ବିଶ୍ୱର ଅନ୍ୟ ସହରରେ ରହୁଥିବା କୋଟିକୋଟି ଅଧିବାସୀଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ସମୁଦ୍ର ସ୍ତର ବୃଦ୍ଧି ଦ୍ୱାରା କିଛି ଦେଶର ଅସ୍ତିତ୍ୱ ପ୍ରତି ମଧ୍ୟ ବିପଦ ବଢିଛି। ସମୁଦ୍ର ପତ୍ତନ ବୃଦ୍ଧି ଦ୍ୱାରା ଭାରତ, ବାଂଲାଦେଶ, ଚୀନ, ନେଦରଲାଣ୍ଡ ଭଳି ଦେଶ ପ୍ରତି ସଙ୍କଟ ମୁହାଁଇଛି। ଏହାଦ୍ୱାରା କମ୍‌ ଉଚ୍ଚତାରେ ସମୁଦ୍ର ଉପକୂଳରେ ରହୁଥିବା ପ୍ରାୟ ୯୦କୋଟି ଲୋକଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଛି। ବର୍ତ୍ତମାନର ବିଶ୍ୱ ତାପମାତ୍ରା ଠାରୁ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟମ ବୃଦ୍ଧି ପାଇଲେ ସମୁଦ୍ର ଜଳପତ୍ତନ ଯଥେଷ୍ଟ ବୃଦ୍ଧି ପାଇପାରେ ବୋଲି ଜାତିସଂଘ ଆଲୋଚନା କାଳରେ କୁହାଯାଇଛି। ଆଣ୍ଡାମାନ ସାଗରରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳସ୍ତର ବଢୁଥିବାରୁ ଓଡ଼ିଶା ଉପକୂଳ ପ୍ରତି ବିପଦ ବଢିବ ବୋଲି ଆଶଙ୍କା କରାଯାଉଛି।

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟର୍କଟିକାରେ ବରଫ ଖଣ୍ଡ ତରଳିବାରେ ଲାଗିଛି । ଏହା ସମୁଦ୍ର ଜଳସ୍ତର ବୃଦ୍ଧି କରାଇବାରେ ବଡ଼ କାରଣ। ଗତ ୩ହଜାର ବର୍ଷ ମଧ୍ୟରେ ବିଗତ ଶତାବ୍ଦୀ ମାନଙ୍କରେ ୧୯୦୦ ପରଠାରୁ ସମୁଦ୍ର ଜଳ ସ୍ତର ଦ୍ରୁତ ବେଗରେ ବୃଦ୍ଧି ପାଉଛି। ସମୁଦ୍ର ଜଳପତ୍ତନ ବୃଦ୍ଧି ଦ୍ୱାରା କୋଟି କୋଟି ଲୋକ ବିପନ୍ନ ହେବା ସହ ଖାଦ୍ୟ ଉତ୍ପାଦନ ହ୍ରାସ ଓ ଖାଦ୍ୟ ସଙ୍କଟ ଦେଖାଯିବ ବୋଲି କୁହାଯାଇଛି।

Spread the love