ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ସାମ୍ବିଧାନିକ ପଦର ଗାରିମାକୁ ନଷ୍ଟ କରିଛି ବିଜେଡି : ସୋନାଲୀ ସାହୁ

ଭୁବନେଶ୍ୱର, ତା.୨୨/୦୩: ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ବିଜୁ ଜନତା ଦଳର ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ସାମ୍ବିଧାନିକ ପଦର ଗାରିମାକୁ ନଷ୍ଟ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।

କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିରେ ତାଙ୍କ କାର୍ଯ୍ୟାଳୟର ସଂପୃକ୍ତି ବିଷୟରେ ଓଡିଶାବାସୀଙ୍କୁ ଅଛପା ନାହିଁ । ସେହିପରି ୧୧୧ ଜଣ ବିଜେଡି ନେତା ଓ ମନ୍ତ୍ରୀଙ୍କ ବିରୋଧରେ ୧୭୪ଟି କେସ୍ ରହିଛି । ସେ ମଧ୍ୟରୁ ୧୫୧ଟି ସଂଗୀନ ଦଫା ରହିଛି । ୫୩୬ଟି ବିଭିନ୍ନ ଅପରାଧିକ ମାମଲା ରହିଛି । ୪୦ ଜଣ ବିଜେଡି ବିଧାୟକଙ୍କ ଉପରେ ଅପରାଧିକ ମାମଲା; ୬ ଜଣ ବିଧାୟକଙ୍କ ବିରୋଧରେ ହତ୍ୟା ଅଭିଯୋଗ; ୨ ଜଣ ବିଧାୟକଙ୍କ ବିରୋଧରେ ଡକାୟତି; ୯ ଜଣ ବିଧାୟକଙ୍କ ବିରୋଧରେ ଚୋରୀ; ୪ ଜଣ ବିଧାୟକଙ୍କ ବିରୋଧରେ ଲାଂଚ ନେବା; ୨୮ ଜଣ ବିଧାୟକଙ୍କ ବିରୋଧରେ ଧମକ୍ ଦେବା; ୫ ଜଣ ବିଧାୟକଙ୍କ ବିରୋଧରେ ମହିଳା ଅସଦାଚରଣ; ୧ ବିଧାୟକଙ୍କ ବିରୋଧରେ ବଳାତ୍କାର; ୪ ଜଣ ବିଧାୟକଙ୍କ ବିରୋଧରେ ଅପହରଣ ଭଳି ସଂଗୀନ ଅଭିଯୋଗ ରହିଛି । କାହାକୁ ଆକ୍ଷେପ କରିବା ପୂର୍ବରୁ ବିଜୁ ଜନତା ଦଳର ନେତାମାନେ ନିଜ ଦଳର ନେତା ଓ ମନ୍ତ୍ରୀଙ୍କ ବିଷୟରେ ଜାଣିବା ଉଚିତ୍ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଅସୁସ୍ଥ ଥିବା ସତ୍ୱେ ବିଧାନସଭାକୁ ଆସି ନିଜ ସାମ୍ବିଧାନିକ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଅନ୍ୟ ପଟେ ଦଳୀୟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ପାଇଁ କୁଂଠାବୋଧ କରୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।
କରୋନା ସଂକଟ ଦୁର ହେବା ପରେ ମଧ୍ୟ ବିଧାନସଭାରେ କଟକଣା କାହା ପାଇଁ ରହିଛି ? ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବା ଲୋକ ସେବା ଭବନ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରମା ଦେବୀ ବିଶ୍ୱ ବିଦ୍ୟାଳୟ / ଉତ୍କଳ ସଂଗୀତ ମହାବିଦ୍ୟାଳୟ / ଏନ୍‌ଆର୍‌ଆର୍‌ଆଇ – କଟକ ଆଦି ସ୍ଥାନରେ ଗଣମାଧ୍ୟମ ପ୍ରବେଶ ବାରଣ କରାଯାଇଥିଲା । ଯେଉଁ ଯେଉଁ ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି, ସେହି ସ୍ଥାନମାନଙ୍କରେ ଗଣମାଧ୍ୟମ ପ୍ରବେଶ ଉପରେ ରୋକ୍ ଲଗାଯାଉଛି । ଏପରିକି ଗତ କାଲି ବିଧାନସଭା ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଯାଉଥିବା ସ୍ଥାନରେ କିଛି କହୁନାହାନ୍ତି ବା ଅଳ୍ପ କିଛି ଲେଖାକୁ ପଢି ଦେଇ ମଂଚରୁ ଓହ୍ଲାଇ ଆସୁଛନ୍ତି । ପ୍ରତ୍ୟେକ ସ୍ଥାନରେ ୫-ଟି ସଚିବଙ୍କ ଉପସ୍ଥିତିକୁ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ତ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।

Spread the love