ବାମରା ଷ୍ଟେସନରେ ଉତ୍ତେଜନା, ଫେରିଗଲେ ଯାତ୍ରୀ

ରାଉରକେଲା: ଦକ୍ଷିଣପୂର୍ବ ‌ରେଳପଥ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ବାମରା ଷ୍ଟେସନ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ବାମରା କ୍ରିୟାନୁଷ୍ଠାନ କମିଟି ଆଜି ଆନ୍ଦୋଳନକୁ ଜୋରଦାର କରିଥିଲା। ଶହ ଶହ ଆନ୍ଦୋଳନକାରୀ ରେଳଧାରଣାରେ ବସି ରହିବାରୁ ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗରେ ରେଳ ଚଳାଚଳ ଠପ୍‌ ହୋଇଯାଇଥିଲା। ଅପରାନ୍ନ ସାଢ଼େ ୪ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଯାହାର ବେଶି ପ୍ରଭାବ ପଡ଼ିଥିଲା ରାଉରକେଲା ଷ୍ଟେସନରେ। ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା। ଅହମ୍ମଦାବାଦ-ହାୱଡା ଏକ୍ସପ୍ରେସ୍‌ ରାଉରକେଲା ଷ୍ଟେସନରେ ସକାଳୁ ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ଟ୍ରେନ୍‌ରେ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀମାନଙ୍କୁ ନାହିଁ ନଥିବା ଦହଗଞ୍ଜ ହେବାକୁ ପଡିଥିଲା।

ସାଢ଼େ ୧୨ଟା ପରେ ଟ୍ରେନ୍‌ରୁ ଚକ୍ରଧରପୁର ପରିବର୍ତ୍ତେ ଅନୁଗୋଳ ଦେଇ ଯାତ୍ରା କରିଥିଲା। ରାଉରକେଲା ବିଭିନ୍ନ ସ୍ଥାନକୁ ଯିବାକୁ ଅପେକ୍ଷା କରିଥିବା ଶହ ଶହ ଯାତ୍ରୀ ବେଶି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଶହ ଶହ ଯାତ୍ରୀ ଘଣ୍ଟା ଘଣ୍ଟା ଅପେକ୍ଷା କରି ଶେଷରେ ଘରକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ବିବାହ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଆଖାପାଖ ଅଞ୍ଚଳକୁ ଟ୍ରେନ୍‌ରେ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀମାନେ ବିକଳ୍ପ ବ୍ୟବସ୍ଥା ସ୍ବରୂପ କାର ଓ ବସ୍‌ରେ ଯିବାକୁ ବାଧ୍ୟ ହୋଇଥିଲେ। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଉରକେଲା ରେଳ ଷ୍ଟେସନରେ ଆର୍‌ପିଏପ୍‌ ଓ ରେଳବାଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଷ୍ଟେସନ ସମ୍ମୁଖରେ ସ୍ବତନ୍ତ୍ର ସହୟତା କେନ୍ଦ୍ର ଖୋଲାଯାଇଥିଲା। ସହାୟତା କେନ୍ଦ୍ରରେ ଯାତ୍ରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସେପଟେ ରେଳରୋକୋ ଯୋଗୁ ୧୩ରୁ ଅଧିକ ଟ୍ରେନ୍‌କୁ ବାତିଲ କରାଯାଇଥିଲା। ରାଉରକେଲା ଦେଇ ଯାଉଥିବା ଅଧିକାଂଶ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା।

ହାୱଡା-ଟିଟଲାଗଡ (ଇସ୍ପାତ) ଏକ୍ସପ୍ରେସ୍‌ ରାଉରକେଲା ପର୍ଯ୍ୟନ୍ତ ଆସିଥିଲା। ରାଉରକେଲା- ଟିଟିଲାଗଡ ଷ୍ଟେସନ ମଧ୍ୟରେ ବାତିଲ ହୋଇଥିଲା। ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‌ ଝାରସୁଗୁଡାଗୁଡା ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲା। ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍‌ ହଟିଆ ଷ୍ଟେସନ ପରିବର୍ତ୍ତେ ଝାରସୁଗୁଡା ପର୍ଯ୍ୟନ୍ତ ଆସିଥିଲା। ପୁରୀ-ରାଉରକେଲା ଏକ୍ସପ୍ରେସ୍‌ ପୁରୀ ପରିବର୍ତ୍ତେ ସମ୍ବଲପୁର ପର୍ଯ୍ୟନ୍ତ ଆସିଥିଲା। ସେହିପରି ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍, ଦୁର୍ଗ-ରାଜେନ୍ଦ୍ରନଗର ଏକ୍ସପ୍ରେସ୍‌, ରାଜେନ୍ଦ୍ରନଗର-ଦୁର୍ଗ ଏକ୍ସପ୍ରେସ୍‌ ପୂର୍ବ ପରି ନିର୍ଦ୍ଧାରିତ ରୁଟ୍‌ରେ ଯାତାୟତ କରିଥିଲା। ସେପଟେ ରାଉରକେଲା ଦେଇ ଚଳାଚଳ କରୁଥିବା ୧୦ରୁ ଅଧିକ ଏକ୍ସପ୍ରେସ୍‌ ଟ୍ରେନ୍‌ ଆଜି ବାତିଲ ହୋଇଥିଲା। ସେଗୁଡିକ ହେଲା ରାଉରକେଲା-ପୁରୀ ଏକ୍ସପ୍ରେସ୍‌, ଟିଟିଲାଗଡ-ଏତୱାରୀ ଏକ୍ସପ୍ରେସ୍‌, ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌, ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌, ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍‌, ଝାରସୁଗୁଡା-ହଟିଆ ମେମୁ, ହଟିଆ -ଝାରସୁଗୁଡା ମେମୁ, ଝାରସୁଗୁଡା-ରାଉରକେଲା ମେମୁ, ରାଉରକେଲା-ଝାରସୁଗୁଡା ମେମୁ। ଗୁରୁବାର ପୁରୀ-ରାଉରକେଲା ଏକ୍ସପ୍ରେସ୍‌ ବାତିଲ ରହିବ। ସେମିତି ମରାମତି କାର୍ଯ୍ୟ ପାଇଁ ଶୁକ୍ରାରବାର ଉରକେଲା-ଚକ୍ରପୁର-ରାଉରକେଲା ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି।

Spread the love