ମହାଭାରତ ସମୟରୁ ଆରମ୍ଭ ହୋଇଛି ଛଟ୍ ପର୍ବ

କାର୍ତ୍ତିକ ମାସ ଷଷ୍ଠୀ ତିଥିରେ ଛଟ୍ ପର୍ବ ପାଳନ କରାଯାଏ। ଏହି ପର୍ବରେ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରାଯାଏ। ଭାରତର ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶ ରାଜ୍ୟରେ ଛଟ୍ ପୂଜା ବଡ ଧୁମ୍‌ଧାମରେ ପାଳନ କରାଯାଏ। ଏହି ପୂଜାର ବିଧି ମଧ୍ୟ ବହୁତ କଠିନ ବୋଲି କୁହାଯାଏ। ଏହି ପର୍ବକୁ ନେଇ କିଛି ପୌରାଣିକ ମାନ୍ୟତା ରହିଛି।

ଛଟ୍ ପର୍ବ ମହାଭାରତ ସମୟରୁ ଆରମ୍ଭ ହୋଇଛି ବୋଲି ମାନ୍ୟତା ରହିଛି। ପୌରାଣିକ କଥା ଅନୁଯାୟୀ, ଯେତେବେଳେ ପାଣ୍ଡବମାନେ ଜୁଆରେ ନିଜର ସମସ୍ତ ସମ୍ପତ୍ତି ହରିଯାଇଥିଲେ, ସେତେବେଳେ ଦୌପଦୀ ଚାରି ଦିନ ବ୍ରତ ଧାରଣ କରି ଭଗବାନ ସୂର୍ଯ୍ୟଙ୍କୁ ଉପାସନା କରି ପାଣ୍ଡବଙ୍କ ସମସ୍ତ ସମ୍ପତ୍ତି ଫେରି ପାଇବାକୁ ପ୍ରାର୍ଥନା କରିଥିଲେ। ସେବେଠାରୁ ଏହି ଛଟ୍ ପର୍ବ ଆରମ୍ଭ ହୋଇଥିଲା ବୋଲି କୁହାଯାଏ।

ଏହା ବ୍ୟତୀତ ଅନ୍ୟ ଏକ ମାନ୍ୟତା ରହିଛି ଯେ, ମହାଭାରତରେ କର୍ଣ୍ଣ ଛଟ୍ ପର୍ବର ଆରମ୍ଭ କରିଥିଲେ। କର୍ଣ୍ଣ ଭଗବାନ ସୂର୍ଯ୍ୟଙ୍କ ଅନନ୍ୟ ଭକ୍ତ ଥିଲେ। ପାଣିରେ ଘଣ୍ଟା ଘଣ୍ଟା ଠିଆ ହୋଇ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ। ଯାହା ଦ୍ବାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ତାଙ୍କୁ ମହାନ ଯୋଦ୍ଧା ହେବାର ଆଶୀର୍ବାଦ ଦେଇଥିଲେ।

କିମ୍ବଦନ୍ତୀ ଅନୁଯାୟୀ, ରାମାୟଣ ସହ ମଧ୍ୟ ଛଟ୍ ପର୍ବର ସଂଯୋଗ ରହିଛି। ଐତିହାସିକ ନଗରୀ ମୁଙ୍ଗେରର ସୀତା ଚରଣରେ ମାତା ସୀତା ୬ ଦିନ ପର୍ୟ୍ୟନ୍ତ ଛଟ୍ ପୂଜା କରିଥିଲେ। ପୌରାଣିକ ବିଷୟବସ୍ତୁ ଅନୁଯାୟୀ, ଯେତେବେଳେ ଭଗବାନ ଶ୍ରୀରାମ ୧୪ ବର୍ଷ ବନବାସରୁ ଫେରିଥିଲେ, ସେତେବେଳେ ଋଷି-ମୁନିଗଣ ତାଙ୍କୁ ରାଜସୂର୍ଯ୍ୟ ଯଜ୍ଞ କରିବା ପାଇଁ ଆଦେଶ ଦେଇଥିଲେ। ଯାହା ଦ୍ବାରା ତାଙ୍କୁ ରାବଣ ବଧ ପାପରୁ ମୁକ୍ତି ପାରିବ। ଋଷି-ମୁନିଗଣ ଆଦେଶ କ୍ରମେ ରାଜସୂର୍ଯ୍ୟ ଯଜ୍ଞ କରିବା ପାଇଁ ଭଗବାନ ରାମ ଓ ମାତା ସୀତା ମୁଗ୍ଦଲ ଋଷିଙ୍କ ଆଶ୍ରମରେ ପହଞ୍ଚିଥିଲେ। ମୁଗ୍ଦଲ ଋଷି ମାତା ସୀତାଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରି ତାଙ୍କୁ ପବିତ୍ର କରିଥିଲେ ଏବଂ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ସୂର୍ଯ୍ୟ ଦେବତାଙ୍କ ଉପାସନା କରିବାକୁ ଆଦେଶ ଦେଇଥିଲେ। ସେହିଠାରେ ହିଁ ରହି ମାତା ସୀତା ୬ ଦିନ ପର୍ୟ୍ୟନ୍ତ ଭଗବାନ ସୂର୍ଯ୍ୟଦେବଙ୍କ ଉପାସନା କରିଥିଲେ। ସେଠାରେ ମା’ଙ୍କ ପାଦ ଚିହ୍ନ ରହିଥିବା ଆଜି ମଧ୍ୟ ଦେଖିବାକୁ ମିଳେ।

ଛଟ୍ ପର୍ବକୁ ନେଇ ଅନ୍ୟ ଏକ ମାନ୍ୟତା ରହିଛି। ଏହି ଦିନ ମା’ ଗାୟତ୍ରୀଙ୍କ ଜନ୍ମ ହୋଇଥିଲା ବୋଲି ମାନ୍ୟତା ରହିଛି। ଛଟ୍ ପୂଜା ସୂର୍ଯ୍ୟ ଦେବତାଙ୍କ ଉପାସନା ହେଉଥିବାରୁ ଏହି ବ୍ରତ ଧାରଣା କରୁଥିବା ବ୍ୟକ୍ତି ସୁଖ, ସୌଭାଗ୍ୟ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହି ଦିନ କୌଣସି ନଦୀ ବା ପୋଖରୀରେ ଠିଆ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ ।

Spread the love